ଜନତାଙ୍କ ବିଶ୍ୱାସ କଂଗ୍ରେସକୁ ସୁଦୃଢ଼ କରିବ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେଲାପରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିଥିଲେ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ଲଗାତାର ତିନିଦିନ ଧରି ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଂଗ୍ରେସ ନେତା, କର୍ମୀ,  କଂଗ୍ରେସ ପ୍ରେମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ,  କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ କଂଗ୍ରେସକୁ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି । ଓଡ଼ିଶା ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ବିଶ୍ୱାସ ଜିତିବା ଆମର ପ୍ରଥମ କର୍ତବ୍ୟ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଓଡ଼ିଶାର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଗିରିଧର ଗମାଙ୍ଗୋ, ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ନକୁଳ ନାୟକ, ପ୍ରାକ୍ତନମନ୍ତ୍ରୀ ବିଜୟଲକ୍ଷ୍ମୀ, ଓଡ଼ିଶା ସହ ପ୍ରଭାରୀ ଶାହାନୱାଜ ଚୌଧୁରୀ, ରୋଜାଲିନ ତିର୍କି,  ଅନନ୍ତ ସେଠୀ, ଶରତ ରାଉତ, ପ୍ରାକ୍ତନ ବିଧାୟକ ସନ୍ତୋଷସିଂ ସାଲୁଜା, ଡଃ. ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ବିଶ୍ୱିଜିତ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରୁ ପୁରୀ ଯାତ୍ରା ସମୟରେ କଂଗ୍ରେସର ପୁରୁଖା ନେତାମାନଙ୍କ ନୈତିକ ସମର୍ଥନ ଦଳପାଇଁ କାମକରିବାର ଅପୂର୍ବ ମନୋବଳ ଯୋଗାଇଛି । ପଦଯାତ୍ରା ସମୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ସାମିଲ ନହୋଇଥିଲେ ମଧ୍ୟ ଜନସମ୍ପର୍କ ଯୋଡ଼ିବାରେ ତାଙ୍କର ସମର୍ଥନ ଜଣାଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ ଯେ ମାନନୀୟା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶାରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାପାଇଁ ମୋତେ ଦାୟିତ୍ୱ ଦେଇଥିଲା ବେଳେ ପ୍ରଭାରୀ ଭାବେ ଅଜୟ କୁମାର ଲଲ୍ଲୁଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ସମସ୍ତଙ୍କୁ ସାଥିରେ ନେଇ କଂଗ୍ରେସ ଦଳକୁ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ରୂପେ ଗଢ଼ିବା ହେଉଛି ମୋର ପ୍ରଥମ କାମ । ମୁଖ୍ୟମନ୍ତ୍ରୀ ହେବା ମୋର କୌଣସି ଇଚ୍ଛା ନାହିଁ । ଦଳକୁ ଗଢ଼ି କ୍ଷମତାକୁ ଆଣିଲେ ମୋର ଜୀବନର ସମସ୍ତ ଇଚ୍ଛା ପୂରଣ ହେବ ବୋଲି ଭାବିବି, ତାହାହିଁ କେବଳ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି । ଆସନ୍ତା ଦିନରେ ଓଡ଼ିଶାରେ ଚାରିକୋଟି ପଚାଶ ଲକ୍ଷଙ୍କ ଆଶା, ଭାରସା ଓ ଆଶିର୍ବାଦକୁ ପାଥେୟ କରି କଂଗ୍ରେସ ଏ ଅହଂକାରି ଜନବିରୋଧି, ଗଣତନ୍ତ୍ରବିରୋଧି ସରକାର ବିରୋଧରେ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତାରେ  ଲଢ଼େଇ କରିବ । କୌଣସି ଜନତାଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ସବୁକିଛି ବଳିଦାନ ଦେବା ପାଇଁ କଂଗ୍ରେସ ପ୍ରସ୍ତୁତ । ଆସନ୍ତାଦିନ ଛାତ୍ର କଂଗେଅସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ଠାରୁ ଆରମ୍ଭ କରି ସମସ୍ତ ଛାମୁଆଁ ସଂଗଠନକୁ ନେଇ ସାରା ରାଜ୍ୟରେ ଲଢ଼େଇର ଡାକରା ଦିଆଯିବ ।

ରାଜନୈତିକ ଦଳ ଭାବେ ଜନତାଙ୍କ ପାଖରେ ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ ରହିବ । ଜଗନ୍ନାଥଙ୍କ ପାଖରେ ସମର୍ପଣ ଭାବ ନେଇ ସଂକଳ୍ପ କରିଛୁ ଯେ ସାଧାରଣ ଜନତାଙ୍କ ସେବାରେ କଂଗ୍ରେସ କାର୍ଯ୍ୟକରିବ । କେବଳ କଂଗ୍ରେସ ଭବନରେ ବସିଲେ କାମ ହେବନାହିଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଯାଇ ଦଳର କର୍ମୀ ଓ ସାଧାରଣ ଜନତାଙ୍କ ସହ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଗୁରୁତ୍ୱ ଦିଆଯିବ । ମୋର ହାତ ଭାଙ୍ଗିଲେ ବି ମନୋବଳ ଭାଙ୍ଗି ନାହିଁ । ସମସ୍ତ ପ୍ରତିକୁଳ ପରିସ୍ଥିତିରେ ଦଳକୁ ଆଗକୁ ନେବାପାଇଁ କେବେବି ପଛଘୁଂଚା ଦେବିନାହିଁ । କଂଗ୍ରେସ ପାଖରେ ବିଜେପି ଭଳି ପଇସା ନଥିଲେ ବି ଆମ ପାଖରେ ଆତ୍ମ ବିଶ୍ୱାସ ରହିଛି । ସେହି ବିଶ୍ୱାସ ନେଇ ଆମେ କାମ କରିବୁ । ବିଜେପି କ୍ଷମାତାକୁ ଆସିଲାପରେ ତାର ଚିତ୍ର, ଚରିତ୍ର ପଦାରେ ପଡ଼ିଛି । ବଡ଼ ବଡ଼ କଥା କହି  ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ଛଡ଼ା ଅନ୍ୟକିଛି ନାହିଁ । ମୁଁ ଡିକ୍ଟେରସିପ ରେ ବିଶ୍ୱାସ କରେ ନାହିଁ ଗଣତନ୍ତ୍ର ଉପରେ ବିଶ୍ୱାସ କରେ । ଲୁହ ଲହୁ ଢ଼ାଳି ଯେତେ କଷ୍ଟ ହେଲେବି ପ୍ରଥମ ଲକ୍ଷ୍ୟ ହେବ ଜନତାଙ୍କ ପାଖରେ ପହଂଚିବି ସେମାନଙ୍କ ସମସ୍ୟାରେ ସାମିଲି ହେବି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସଂଗ୍ରାମ ଜାରି ରଖିବି । ଗର୍ବ ଅହଂକାର ଅପେକ୍ଷା ଆତ୍ମ ସମର୍ପଣ ଭାବ ନେଇ ଲୋକଙ୍କ ମନଜିତିବା ଆମର ପ୍ରଥମ ଲକ୍ଷ୍ୟ ହେବ । ଓଡ଼ିଶାର କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରତ୍ୟେକ କଂଗ୍ରେସ କର୍ମୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ସେମାନେ ଭୟ କରନ୍ତି ନାହିଁ ।

କେନ୍ଦ୍ର ଓ ରାଜ୍ୟରେ ଚାଲିଥିବା ଘୃଣା, ହିଂସା ଓ ଭେଦ ଭାବର ଡବଲ ଇଞ୍ଜିନ ସରକାର ପତନ କରାଇବା ମୋର ପ୍ରଥମ କାମ । ଏ ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କ ପ୍ରତି  ଘୋର ଅନ୍ୟାୟ କରାଯାଉଛି । ବିଶେଷ କରି ଆଦିବାସୀ ଓ ଅନୁସୂଚିତ ଜାତିର ଲୋକମାନଙ୍କର ଜମିକୁ ବଳ ପ୍ରୟୋଗ କରି ଅଧିଗ୍ରହଣ କରି ନିର୍ଦ୍ଧିଷ୍ଟ କତିପୟ ବ୍ୟବସାୟଙ୍କୁ ଦିଆଯାଉଛି । ଖାଲି ସେତିକି ନୁହେଁ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସାଂଘାତିକସ୍ଥିତିରେ ଏ ସରକାର ଆସିବା ପରେ ପାଖାପାଖି ୧୧ ଜଣରୁ ଅଧିକ କୃଷକ ଆତ୍ମହତ୍ୟା କରିବା ସହିତ ରାଜ୍ୟର ବିଭିନ୍ନ ଅଂଚଳରେ ଆଦିବାସୀ ମହିଳାମାନଙ୍କ ପ୍ରତି ପାସବିକ ଅତ୍ୟାଚାର କରାଯାଉଛି । ଏପରିକି ସାମଗ୍ରିକ ଭାବରେ ମହିଳାମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏ ସରକାର ଏହାକୁ ଗୁରୁତର ସହ ସମାଧାନ କରୁନାହିଁ । ରାଜ୍ୟର ସମସ୍ତ ଖଣିଜ ସମ୍ପଦ ହରିଲୁଟ ଚାଲିଛି । ଏପରିକି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦକୁ ଆଦାନୀ ହାତରେ ଟେକିଦେବା ପାଇଁ ଚକ୍ରାନ୍ତ ଚାଲିଛି । ଏହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ।

ସଡକରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନଜାରି ରହିବ । ସାମାଜିକ ନ୍ୟାୟ, ଚାଷୀମାନଙ୍କ ସମସ୍ୟା, ଶ୍ରମିକ ମାନଙ୍କ ଅଧିକାର, ମହିଳମାନଙ୍କ ପ୍ରଗତୀ ଓ ଯୁବକମାନଙ୍କ ନିଯୁକ୍ତି ପାଇଁ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବ୍ୟାପକ ପରିବର୍ତନ ପାଇଁ ଦଳ ଲଢ଼େଇ ଜାରି ରଖିବ । କେନ୍ଦ୍ର ସରକାରଙ୍କ ଦୁର୍ବଳ ଶାସନ ଓ ଗୃହମନ୍ତ୍ରୀଙ୍କ ଅପାରଗତା ବାରମ୍ବାର ପ୍ରମାଣିତ ହୋଇସାରିଛି । ଦରଦାମ ଆଜି ଆକାଶଛୁଆଁ । ଲୋକଙ୍କ ପାଖରେ ସଂଚୟ ନାହିଁ । ଆଦିବାସୀ, ଦଳିତ ଓ ଅବହେଳିତ ବର୍ଗ ପାଇଁ ଦଳ ଯେଉଁ ସଂକଳ୍ପ ନେଇଛି ସେଥିପାଇଁ ଅହରହ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ଲଲ୍ଲୁ କହିଥିଲେ ।

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ପ୍ରମୁଖ ବହୁ କଂଗ୍ରେସ ନେତା ଯୋଗଦେଇଥିଲେ । ଶ୍ରୀଜୟଦେବ ଜେନା ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ ଓଡ଼ିଶାର ଜନସାଧାରଣ କଂଗ୍ରେସ ଆଡ଼କୁ ମୁହାଁଇଲାଣି । ଏକ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତି ଆଜି ପ୍ରଦେଶ କଂଗ୍ରେସ ସଭାପତି ହୋଇଛନ୍ତି । ମୁଁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି । ଶ୍ରୀକାନ୍ତ ଜେନା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏକ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି ଏହାକୁ ଆମେ ହାତଛଡା କରିବୁ ନାହିଁ । ଆସନ୍ତା ଦିନରେ କଂଗ୍ରେସ ନିଶ୍ଚିତ ସରକାର କରିବ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ  ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯିବ । ସେ ଜଣେ ଲଢ଼ୁଆ ନେତା ଅଟନ୍ତି ।