ଅନ୍ତିମ ତିଥିରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନଙ୍କ ଧୁଆମୁଗ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆଜି ଶେଷ ହେଲା ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ଅବଧି । ଯୋଗଜନ୍ମା ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ବିଜେଡି କୋଟାରୁ ରାଜ୍ୟସଭାକୁ ଯିବା ଉଭୟ ବିଜେପି ଓ ବିଜେଡି ପାଇଁ ଶୁଭ ଖବର । ଅଶ୍ୱିନୀଙ୍କୁ ରାଜ୍ୟସଭାକୁ ପଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ଼ ଚାରିକୋଟି ଓଡ଼ିଆଙ୍କୁ ଜଣାଇ ଦେଇଛନ୍ତି ଯେ ବିଜେପି ସହିତ ବିଜେଡିର ଘନିଷ୍ଠ ବନ୍ଧୁତା ରହିଛି । ଏମିତି ଦେଖିବାକୁ ଗଲେ, ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି ।

ରାଜ୍ୟସଭାକୁ ଯିବା ପାଇଁ ଆଜି ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ଲାଭ କରିବା ଏକପ୍ରକାର ସୁନିଶ୍ଚିତ ହୋଇସାରିଛି । ଆମେ ଏପରି କହିବାର କାରଣ ବୈଷ୍ଣବ ସେତୁର ଲୋକାର୍ପଣ । ବୈଷ୍ଣବ ସେତୁକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ନେତାଙ୍କ ବିଜୟ ବାନାକୁ ଛଡ଼ାଇ ନେଇଗଲେ ।

କେନ୍ଦ୍ର ବିଜେପିକୁ ସନ୍ତୁଷ୍ଟ କରି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟ ବିଜେପି ସବୁଥର ଭଳି ଭକୁଆ ହୋଇ ରହିଯିବ ।

ନାମାଙ୍କନ ଦାଖଲ ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କହିବା ବାହୁଲ୍ୟ, ନବୀନ ପଟ୍ଟନାୟକଙ୍କ ସମର୍ଥନ ଲାଭ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମାମୁଲି ମାତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଶ୍ୱିନୀଙ୍କର ଅଖଣ୍ଡ ବିଶ୍ୱାସ ଥିଲେ ଯେକୌଣସି ଲୋକସଭା ଆସନରୁ  ପ୍ରାର୍ଥୀ ହେବାର ସତ୍‌ ସାହସ ଦେଖାଇଥାନ୍ତେ ।