‘ଆଉ ଜୀବିତ ନାହାନ୍ତି ପେହେଲଗାମରେ ନିରସ୍ତ୍ର ନିରୀହ ହିନ୍ଦୁମାନଙ୍କୁ ମାରିଥିବା ସବୁ ଆତଙ୍କୀ’ । ଭାରତୀୟ ସେନା, ସିଆରପିଏଫ୍ ଓ ଜେକେ ସେନାର ମିଳିତ ଅଭିଯାନ ‘ଅପରେସନ୍ ମହାଦେବ’ ସଫଳ ହୋଇଛି । ପେହେଲଗାମର ବୈସାରଣ ଉପତ୍ୟକାରେ ସାଂପ୍ରଦାୟିକ କାର୍ଡ ଖେଳି ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିବା ତିନିଜଣ କୁଖ୍ୟାତ ଲସ୍କର ଆତଙ୍କୀମାନଙ୍କୁ ମାରି ଦିଆଯାଇଛି ।
ମଙ୍ଗଳବାର ଦିନ ରାଜ୍ୟସଭାକୁ ଏହି ତଥ୍ୟ ପ୍ରଦାନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ରାଜ୍ୟସଭାରେ ‘ଅପରେସନ୍ ସିନ୍ଦୁର’ ପ୍ରସଙ୍ଗ ଆଲୋଚନାରେ ଭାଗ ନେଇ ଅମିତ ଶାହ କହିଛନ୍ତି, ପରିବାର ଲୋକଙ୍କ ଆଗରେ ଗୁଳି ମାରି ହତ୍ୟା କରିବାର ପରିଣାମ କେତେ ଭୟଙ୍କର ହୋଇପାରେ, ଆମ ସେନା ତା’ର ଉପଯୁକ୍ତ ଜବାବ ଦେଇସାରିଚି । ଏବେ ଆପଣମାନେ ଥଣ୍ଡା ପଡ଼ିଯାଆନ୍ତୁ ।
ଅମିତ ପୁଣି କହିଛନ୍ତି, ‘ମୃତ ଆତଙ୍କୀଙ୍କୁ ଚିହ୍ନଟ କରିଛନ୍ତି ସେମାନଙ୍କୁ ଆଶ୍ରୟ ଦେଇଥିବା କଶ୍ମୀରୀ ପରିବାର । ପେହେଲଗାମ ଆତଙ୍କୀ ହମ୍ଲାର ମୁଖ୍ୟ କାର୍ପଟଦାର ସୁଲେମାନ ଶାହ, ଅଫଗାନ ଓ ଜିବ୍ରାନ ଆଉ ଜୀବିତ ନାହାନ୍ତି । ଏପ୍ରିଲ ୨୨ ପୂର୍ବରୁ ଆତଙ୍କୀମାନଙ୍କୁ ଆଶ୍ରୟ ଦେଇଥିବା ପରିବାର ଲୋକମାନେ ଏବେ ଜେଲରେ ଅଛନ୍ତି ।’
ଖୋଦ ଅମିତ ଶାହ ଗଣମାଧ୍ୟମ ଆଗରେ ମାନିଛନ୍ତି ଯେ ଦରକାର ପଡ଼ିଲେ ଲୋକଙ୍କୁ ଜୁମ୍ଲାର ଶିକାର କରି ବିଜେପି ତା’ର ସ୍ୱାର୍ଥ ହାସଲ କରିବାକୁ ପଛାଏ ନାହିଁ । ସଦନରେ ‘ଅପରେସନ୍ ସିନ୍ଦୁର’ ଆଲୋଚନା ସୁନିଶ୍ଚିତ ଜାଣିବା ପରେ କେନ୍ଦ୍ର ସରକାର ମୁଣ୍ଡରୁ ‘ଅପରେସନ୍ ମହାଦେବ’ ଜନ୍ମ ନେଇଥିଲା ।