ସବୁଠି ଦିଶିବ ଓଡିଆ ଅସ୍ମିତାର ଝଲକ

ଏବେ ଓଡ଼ିଆରେ ଓଡ଼ିଶା ଶାସନ । ସବୁଠି ଦିଶିବ ଓଡିଆ ଅସ୍ମିତାର ଝଲକ । ସବୁ କାମ ହେବ ଓଡିଆରେ । ଲୋକସେବାଉ ଭବନରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଦପାଠ ସହ ଲୋକସେବା ଭବନରେ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ କରିଡରରେ ଦେଖିବାକୁ ମିଳିଛି ଓଡିଆ ନାମଫଳକ । ସେଥିରେ ପୁଣି ସମ୍ବଲପୁରୀ ହସ୍ତଶିଳ୍ପର ଛାପ । ଆଣଣ୍ଠୁମାଡି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ ମୋହନ ଚରଣ ମାଝି । ବିଧିବଦ୍ଧ ଭାବେ ଓଡିଆ ରିତିନୀତି, ପରମ୍ପରା ପାଳନ କରି ତୃତୀୟ ମହଲାରୁ ଗୁରୁବାର ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆରମ୍ଭରୁ ଓଡିଆ ଅସ୍ମିତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସବୁ ନଥିପତ୍ର ଓଡିଆରେ ହେବ । ଓଡିଶାରେ କେବଳ ଓଡିଆ ଭାଷାରେ ହିଁ ଚାଲିବ ଶାସନ । ଏହାର ଆରମ୍ଭ ମୁଖ୍ୟମନ୍ତ୍ରୀ ଦପ୍ତରରୁ ଗୁରୁବାର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଆ ଭାଷାରେ ହିଁ ସରକାରୀ କାର୍ଯ୍ୟ ହେବ । ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ ବ୍ୟାପକ କରାଯିବ । ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ ଅଣାଯିବ । ଏଥିସହ ପ୍ରତିଷ୍ଠା ହେବ ଅନୁବାଦ ଏକାଡେମୀ, ଭାଷା କମିଶନ । ଉଚ୍ଚବିଦ୍ୟାଳୟରେ ନିଯୁକ୍ତ ହେବେ ଓଡ଼ିଆ ଭାଷା ଶିକ୍ଷକ । ଓଡ଼ିଆ ଅସ୍ମିତା ନେଇ ଲୋକଙ୍କଠାରୁ ପ୍ରସ୍ତାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଓଡ଼ିଆ ଅସ୍ମିତା ଭବନ, ବରୁନେଇ ପାଇକ ଏକାଡେମୀ ମଧ୍ୟ ପ୍ରତିଷ୍ଠା ହେବ ।

ରାଜ୍ୟ ପରିଚାଳନା ରାଜ୍ୟ ଭାଷା ଓଡ଼ିଆରେ ହିଁ ହେବ । ଲଳିତକଳା, ସାହିତ୍ୟ, ନାଟକ ଏକାଡେମୀର ପୁନର୍ଗଠନ କରାଯିବ । ଦରକାର ପଡିଲେ ସରକାରୀ ଭାଷା ଆଇନକୁ ସଂଶୋଧନ କରି ଆହୁରି ସଶକ୍ତ କରାଯିବ । ରାଜ୍ୟର ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ସକଳ୍ପବଦ୍ଧ । ସବୁ କାର୍ଯ୍ୟ ଲୋକମାନଙ୍କ ସହଯୋଗ ସହଭାଗିତା ଓ ପରାମର୍ଶରେ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।