ଭୁବନେଶ୍ୱର: ବେଶି ଦୂରକୁ ଯିବା ଦରକାର ନାହିଁ । ରାଜଧାନୀ ଭୁବନେଶ୍ୱରର କିଛି ବିଦ୍ୟାଳୟକୁ ଚାଲିଗଲେ; ‘ନବୀନ ଓଡ଼ିଶା’ର ବାହାର ରୂପଟା ଭାରି ସୁନ୍ଦର ଦିଶିବ । କିନ୍ତୁ ଅସଲ ଚେହେରା ଭାରି କଦାକାର । ଯୋଉ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଗୁଣାତ୍ମକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାରି ଉଦ୍ୟମୀ । ସେହି ଶିକ୍ଷା ବ୍ୟବସ୍ଥା ଏ ଯାଏ ବଦଳିନି ।
ମୁଖ୍ୟମନ୍ତ୍ରୀଙ୍କ ପଂଚରତ୍ନଙ୍କ ଅଧୀନକୁ ଯାଇଥିବା ରାଜଧାନୀର କିଛି ବିଦ୍ୟାଳୟର ବିକଳ ଚେହେରାକୁ ଆମେ ଅତି ନିକଟରୁ ଦେଖିବା ପରେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିଛୁ ।
୨୦୨୩ ମେ’ ୫ ତାରିଖରେ ୩୦୦ଟି ବିଦ୍ୟାଳୟର ରୂପାନ୍ତର ହୋଇଥିଲା । ତା’ ଭିତରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ବିଦ୍ୟାଳୟ ଥିଲା । ସେହି ୬୨ଟି ବିଦ୍ୟାଳୟ ଭିତରୁ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଭୁକ୍ତ ୨୭ ଓ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ୪ଟି ବିଦ୍ୟାଳୟ ରହିଛି । ବିଦ୍ୟାଳୟର ବାହାର ପାଖଟିକୁ ରଙ୍ଗ କରି ଦିଆଯାଇଛି; ମାତ୍ର ଆଉ ସବୁ ପୂର୍ବଭଳି ରହିଛି । ରୂପାନ୍ତର ମାନେ କ’ଣ ବିଦ୍ୟାଳୟଟିକୁ ରଙ୍ଗ କରି ବାହାଦୁରି ନେବା ।
କୋଉଠି ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ ତ କୋଉଠି ଶିକ୍ଷକ ଅଭାବ । ଜଣେ ସରକାରୀ ଅଧିକାରୀଙ୍କ ମତରେ ବିଦ୍ୟାଳୟ ରୂପାନ୍ତର ପରେ କମ୍ପ୍ୟୁଟର ଯୋଗାଣ କାମ ଜିଲ୍ଲା ପ୍ରଶାସନର । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭିତରେ ତାଳମେଳ ରହୁ ନଥିବାରୁ ବିଦ୍ୟାଳୟକୁ କମ୍ପ୍ୟୁଟର ଦିଆଯାଇନି ।
ଗଣ୍ଡମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଭର୍ସିଟି ଉଚ୍ଚ ବିଦ୍ୟାଳୟ, ବିଜୁ ପଟ୍ଟନାୟକ ମେମୋରିଆଲ ଉଚ୍ଚ ବିଦ୍ୟାଳୟ, ସରକାରୀ ହାଇସ୍କୁଲ ଡୁମୁଡୁମା, ପଳାସୁଣୀ ସରକାରୀ ହାଇସ୍କୁଲରେ ଡିଜିଟାଲ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି; ମାତ୍ର ସେଗୁଡ଼ିକରେ କମ୍ପ୍ୟୁଟର ଲଗା ଯାଇନି ।