ହୋଲି ଖେଳିବା ପୂର୍ବରୁ ମୁହଁ ଓ ଶରୀରରେ ତେଲ ମାଲିସ କରନ୍ତୁ

ଦୋଳ ପୂର୍ଣ୍ଣିମାର ଆନନ୍ଦ ବିଭିନ୍ନ ରଙ୍ଗର ଫଗୁ ଭିତରେ….

ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିବା ଉଚିତ । ଶତ୍ରୁତାର ଅବସାନ ଓ ବନ୍ଧୁତ୍ୱକୁ ସୁଦୃଢ଼ କରିବାର ଏକମାତ୍ର ସାଧନ ହୋଲି । ପବିତ୍ର ଦୋଳପୂର୍ଣ୍ଣିମା ଆମକୁ ପ୍ରେମମୟୀ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଚିରନ୍ତନ ପ୍ରେମ ଆଡ଼କୁ ନେଇଯାଏ ଯାହା ଆଜି ବିରଳ । ଦୋଳ ପୂର୍ଣ୍ଣିମାର ଆନନ୍ଦ ବିଭିନ୍ନ ରଙ୍ଗର ଫଗୁ ଭିତରେ । ସମୟ କ୍ରମେ ଫଗୁ ଭିତରକୁ ଧସେଇ ପଶିଲା ରାସାୟନିକ ରଙ୍ଗ ।

ବିଷାକ୍ତ ରାସାୟନିକ ରଙ୍ଗ ପ୍ରଭାବରେ ଆମକୁ ଚର୍ମରୋଗ ସଂକ୍ରମଣ କରିପାରେ । ଆପଣଙ୍କ ମୁହଁ ଓ ଶରୀରରେ ରଙ୍ଗ ବୋଳିବାକୁ ଆସୁଥିବା ସବୁ ଲୋକମାନେ ଯେ ଜୈବିକ ରଙ୍ଗ ବ୍ୟବହାର କରୁଥିବେ, ତା’ର କୌଣସି ନିଶ୍ଚିତତା ନାହିଁ । ରାସାୟନିକ ରଙ୍ଗ ଧରି ଖେଳୁଥିବା ଲୋକଙ୍କୁ ରଙ୍ଗ ନଲଗାଇବା ପାଇଁ କହିବା ଅର୍ଥ ଆନନ୍ଦ ଉତ୍ସବ ମୁଖର ପରିବେଶକୁ ଫିକା କରିଦେବା ।

ଅନ୍ୟ ମନରେ କଷ୍ଟ ଦେବା ଅପେକ୍ଷା ଆମକୁ ରାସାୟନିକ ରଙ୍ଗ ଦାଉରୁ ସୁରକ୍ଷିତ ରହିବାର ଉପାୟ ସର୍ବାଦୌ ଗ୍ରହଣୀୟ ନୁହେଁ କି? ଆସନ୍ତୁ, ରାସାୟନିକ ରଙ୍ଗ ଦାଉରୁ କିପରି ସୁରକ୍ଷିତ ରହିବେ, ଜାଣିବା ।

୧. ପାଖରେ ଛୋଟ ବରଫ ଖଣ୍ଡ ରଖନ୍ତୁ: ହୋଲି ଖେଳିବାକୁ ଯିବା ପୂର୍ବରୁ ମୁହଁ ଉପରେ ଛୋଟ ବରଫ ଖଣ୍ଡକୁ ଅତି କମ୍‌ରେ ୧୫ ମିନିଟ୍‌ ପାଇଁ ଘଷି ନିଅନ୍ତୁ । ରାସାୟନିକ ରଙ୍ଗର ବିଷାକ୍ତ ପ୍ରଭାବ ଆପଣଙ୍କ ମୁହଁ ଉପରେ ପଡ଼ିବନି ।

୨. ଖରାରେ ହୋଲି ଖେଳିବାର ମଜା ଅଛି । ସୂର୍ଯ୍ୟଙ୍କ କିରଣ, ରଙ୍ଗ ଓ ପାଣି ଆପଣଙ୍କ ଚର୍ମକୁ ସଂକ୍ରମିତ କରିପାରେ । ତେଣୁ ହୋଲି ଖେଳିବା ପୂର୍ବରୁ ଆପଣଙ୍କ ଚର୍ମକୁ ସୁହାଇବା ଭଳି ସନ୍‌ ସ୍କ୍ରିନ ଲଗାଇ ପଦାକୁ ବାହାରନ୍ତୁ । ସନ୍‌ ସ୍କ୍ରିନ୍‌ ଏସ୍‌ପିଏଫ୍‌ ୫୦ ହେଲେ ଭଲ ।

୩. ଶରୀରରେ ତେଲ ଲଗାଇ ଖେଳିବାକୁ ଯାଆନ୍ତୁ: ସାଙ୍ଗସାଥୀଙ୍କ ସହିତ ରଙ୍ଗ ଖେଳିବାକୁ ଯିବା ପୂର୍ବରୁ କେଶ, ମୁହଁ, ଦେହରେ କିଛି ତେଲ ଘଷି ଦିଅନ୍ତୁ । ଚିକ୍କଣ ତ୍ୱଚା ଉପରେ ରଙ୍ଗର ବଳିଷ୍ଠ ପ୍ରଭାବ ପଡେ଼ନାହିଁ । ତେଲ ଲଗାଇବା ଫଳରେ ଆପଣଙ୍କୁ ବହୁତ ଫାଇଦା ମିଳିବ ।

୪. ଭଲ ଲିପ୍‌ ବାମ୍‌ ବ୍ୟବହାର କରନ୍ତୁ: ଆମ ମୁଖ ମଣ୍ଡଳରେ ଓଠର ଉପର ଭାଗ ଚର୍ମଟି ଅତି ସମ୍ବେଦନଶୀଳ । ରାସାୟନିକ ରଙ୍ଗ ପ୍ରଭାବରେ ତାହା ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ହୋଲି ଖେଳିବା ପୂର୍ବରୁ ଓଠରେ ମୂଲ୍ୟବାନ ଲିପ୍‌ ବାମ୍‌ ଲଗାଇ ନିଅନ୍ତୁ । ଆଜିକାଲି ମନୋହାରୀ ଦୋକାନରେ ନାଚୁରାଲ ଲିପ୍‌ ବାମ୍‌ ମିଳୁଛି । ଆପଣ ସେଗୁଡ଼ିକୁ ବ୍ୟବହାର କରିବା ସର୍ବୋତମ ହେବ ।

୫. ଯଥେଷ୍ଟ ପାଣି ପିଅନ୍ତୁ: ହୋଲି ସମୟରେ ଅଧିକ ସମୟ ଧରି ଖରାରେ ବୁଲିବା କାରଣରୁ ଆପଣଙ୍କ ଚର୍ମ ମଳିନ ପଡ଼ିଯିବ । ପ୍ରାକୃତିକ ଔଜ୍ଜଲ୍ୟତା ହରାଇବାର ସମ୍ଭାବନା ରହିଛି । ଅତଏବ ଯଥେଷ୍ଟ ପାଣି ପିଇ ରଙ୍ଗ ଖେଳନ୍ତୁ । ତା’ଦ୍ୱାରା ଆପଣଙ୍କ ଚର୍ମ ଶୁଖିଲା ରହିବନି; ପରିସ୍ରା ଆକାରରେ ଶରୀରରୁ ବିଷାକ୍ତ ରସାୟନ ଚାଲିଯିବ । ଖରାରେ ବୁଲିଲେ କିଛି ଫରକ ପଡ଼ିବନି ।