କୋଉ ଅମଳରୁ ମହିଷାସୁର ସହିତ ଲଢୁଛନ୍ତି ମା’ ଦୁର୍ଗତି ନାଶିନୀ

କୋଉ ଅମଳରୁ ମହିଷାସୁର ସହିତ ଲଢୁଛନ୍ତି ମା’ ଦୁର୍ଗତି ନାଶିନୀ । ମହିଷାସୁର ମରିବାର ନାଁ ଧରୁନି । ପ୍ରତିଦିନ ପୂର୍ବ ଦିଗରେ ସିନ୍ଦୁରା ଫାଟିବା ମାତ୍ରେ ମହିଷାସୁର ଓ ମା’ ଦୁର୍ଗାଙ୍କ ଭିତରେ ଲଢ଼େଇ ଆରମ୍ଭ ହେଉଛି । ସୂର୍ଯ୍ୟ ଦେବତା ପଶ୍ଚିମ ଦିଗରେ ଅସ୍ତମିତ ହେବା ମାତ୍ରେ ଉଭୟ ପକ୍ଷ ଶଙ୍ଖ ଫୁଙ୍କି ଯୁଦ୍ଧ ବିରାମ କରୁଛନ୍ତି ।

ଯେ ପର୍ଯ୍ୟନ୍ତ ୟେ ଧରାପୃଷ୍ଠରେ ମଣିଷ ସମାଜ ତିଷ୍ଠି ରହିଥିବ, ସେତେଦିନ ପର୍ଯ୍ୟନ୍ତ ମା’ ଦୁର୍ଗା ଓ ମହିଷାସୁର ଯୁଦ୍ଧ ଦେଖିବାକୁ ମିଳୁଥିବ । ପ୍ରତିବର୍ଷ ପୂଜା ମଣ୍ଡପରେ ମହିଷା ମର୍ଦିନୀ ମା’ ଦୁର୍ଗାଙ୍କ ପ୍ରତିମା ଆଶ୍ୱିନ ମାସ ଶୁକ୍ଳପକ୍ଷ ପଂଚମୀ ତିଥିରୁ ଦଶମୀ ତିଥି ପର୍ଯ୍ୟନ୍ତ ପୂଜା ପାଉଥିବେ ।

ଭସାଣ ଉତ୍ସବରେ ମା’ ଦୁର୍ଗାଙ୍କ ପ୍ରତିମାକୁ ମହା ଆଡମ୍ବର ସହକାରେ ନିକଟତମ ଜଳାଶୟରେ ବିସର୍ଜନ କରାଯାଉଥିବ । ଏହି ପରମ୍ପରା କାହିଁ କୋଉ ଆବହମାନ କାଳରୁ ପାଳିତ ହୋଇଆସୁଛି ।

ଏତେ ସବୁ ବଖାଣିବା ପଛରେ ଆମର ଗୋଟିଏ ଉଦେ୍ଦଶ୍ୟ, ଆପଣମାନେ ଦଶହରା ପାର୍ବଣରୁ କିଛି ଶିଖନ୍ତୁ ଓ ତାକୁ ଆପଣଙ୍କ ଜୀବନରେ ବ୍ୟବହାର କରନ୍ତୁ ।

ମା’ ଦଶଭୂଜାଙ୍କ ଚରଣ ତଳେ ମହିଷାସୁରକୁ ଦେଖିବା ଅର୍ଥ ଦୁଷ୍ଟଶକ୍ତି ଉପରେ ଦୈବୀଶକ୍ତିର ବିଜୟ ।

ୟେ ଦୁନିଆରେ ଦୁଷ୍ଟଶକ୍ତି ଓ ଦୈବୀଶକ୍ତି ଅବସ୍ଥାନ କରିଛନ୍ତି । ସାଧାରଣ ଲୋକଙ୍କ ଚଳପ୍ରଚଳ କରିବା ପାଇଁ ତିଆରି କରାଯାଇଥିବା ରାସ୍ତାକୁ ଜଣେ ଲୋକ ବ୍ୟକ୍ତିଗତ କାମରେ ବ୍ୟବହାର କରିବା ଅର୍ଥ ସଂପୃକ୍ତ ଲୋକଟି ମନରେ ମହିଷାସୁର ଅବା ଦୁଷ୍ଟଶକ୍ତି ବିଜେ କରିଛି ଯାହା ଫଳରେ ସେ ଅନ୍ୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା ଉପରେ ତା’ର ଅଧିକାର ଜାହିର କରିବାକୁ ଯାଇ ବାଲି, ଇଟା ଗଦା କରିଛି ।

ଏବେ ଆପଣଙ୍କର କର୍ତ୍ତବ୍ୟ କ’ଣ ହେବା ଉଚିତ? ମା’ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ, ଉପଯୁକ୍ତ ବିଚାର କରନ୍ତୁ ।

ଗୋଟିଏ କଥା ମନେରଖନ୍ତୁ, ମା’ ଦୁର୍ଗା ଆପଣଙ୍କ ଭିତରେ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟକୁ ଫୋନ୍ କରି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା ଉପରେ ଜଣେ ଲୋକ ତାଙ୍କ ଘର ପାଇଁ ଅଣାଯାଇଥିବା ବାଲିକୁ ଅଜାଡ଼ି ଦେଇଥିବା ଅଭିଯୋଗ କରନ୍ତୁ, ଆପଣଙ୍କ ମୋବାଇଲରେ ରାସ୍ତା ଉପରେ ଅଜଡ଼ା ଯାଇଥିବା ବାଲି ଫଟୋ ଉଠାଇ ସଂପୃକ୍ତ ଅଧିକାରୀଙ୍କ ନିକଟକୁ ସେୟାର କରନ୍ତୁ ।

ଏପରି କାମ କରି ଆପଣ ସଂପୃକ୍ତ ବ୍ୟକ୍ତିଙ୍କ ଭିତରେ ଥିବା ମହିଷାସୁରକୁ ମାରିବାକୁ ଯାଉଛନ୍ତି, ମା’ ଦୁର୍ଗା ପ୍ରତିବର୍ଷ ଧରାପୃଷ୍ଠକୁ ଆସି ଆପଣଙ୍କ ମନରେ ଅନ୍ୟାୟ ବିରୋଧରେ ଲଢ଼ିବାର ଶକ୍ତି ଭରି ଦେଉଛନ୍ତି ।