ଗୁରୁ ହର ରାୟ ସାହିବ ଜୀ

ସିଖ ଧର୍ମାବଲମ୍ବୀଙ୍କ ସପ୍ତମ ଗୁରୁ ହେଉଛନ୍ତି ଗୁରୁ….

ସିଖ ଧର୍ମାବଲମ୍ବୀଙ୍କ ସପ୍ତମ ଗୁରୁ ହେଉଛନ୍ତି ଗୁରୁ ହର ରାୟ ସାହିବ ଜୀ(ଜନ୍ମ: ୧୬ ଜାନୁଆରି ୧୬୩୦; ମୃତ୍ୟୁ: ୬ ଅକ୍‌ଟୋବର୍‌ ୧୬୬୧)। ସେ ଥିଲେ ଆଧ୍ୟାତ୍ମବାଦୀ, ରାଷ୍ଟ୍ରବାଦୀ ମହାପୁରୁଷ ଓ ଯୋଦ୍ଧା। ପ˚ଜାବ ଅନ୍ତର୍ଗତ କୀରତପୁର ରୋପଡ଼ରେ ସେ ଜନ୍ମ ହୋଇଥିଲେ। ଷଷ୍ଠ ସିଖ ଗୁରୁ ତଥା ଜେଜେବାପା ଗୁରୁ ହର ଗୋବିନ୍ଦ ସାହିବ ଜୀ, ଜୀବିତାବସ୍ଥାରେ ତାଙ୍କୁ ନିଜର ଧାର୍ମିକ ଉତ୍ତରାଧିକାରୀ ଘୋଷିତ କରିଥିଲେ। ସେତେ ବେଳେ ଗୁରୁ ହର ରାୟଙ୍କୁ ମାତ୍ର ଷୋହଳ ବର୍ଷ। ସେ ଶାନ୍ତିକାମୀ ଧର୍ମଗୁରୁ ଥିଲେ। ମୁଗଲମାନଙ୍କ ସହ ସିଧା-ସଳଖ କଳହ-ଲିପ୍ତ ହେବା ପସନ୍ଦ କରୁ ନ ଥିଲେ। ତେବେ, ସିଖ ବାହିନୀକୁ ଭାଙ୍ଗି ନ ଥିଲେ କି ଦୁର୍ବଳ ହେବାକୁ ଦେଇ ନ ଥିଲେ।

ଜେଜେବାପାଙ୍କ ଉପଦେଶ ଅନୁଯାୟୀ ସିଖ ବାହିନୀକୁ କେବଳ ଆତ୍ମରକ୍ଷା, ପ୍ରତିରକ୍ଷା ପାଇଁ ବ୍ୟବହାର କରୁଥିଲେ। ନିଷ୍ଠୁର ଔରଙ୍ଗଜେବଙ୍କ କବଳରୁ ଶାହ ଜହଁାଙ୍କ ବଡ଼ ପୁଅ ଦାରା ଶିକୋହଙ୍କୁ ଉଦ୍ଧାର କରିଥିଲେ। ଏକଦା ମାଲଵା ଏବଂ ଦୋଆବରୁ ଫେରୁଥିବା ବେଳେ ମୋହମ୍ମଦ ୟାରବେଗ ଖାନଙ୍କ ସଶସ୍ତ୍ର ସେନା, ତାଙ୍କୁ ଆକ୍ରମଣ କରିଥିଲା। ମୁସଲମାନ ସୈନିକଙ୍କ ସ˚ଖ୍ୟା ହଜାରେରୁ ଅଧିକ ଥିଲା। ଗୁରୁ ହର ରାୟଙ୍କ ଦେହରକ୍ଷୀଙ୍କ ସ˚ଖ୍ୟା ଥିଲା ମାତ୍ର ଶହେ। ୟାରବେଗଙ୍କ ପିତା ଗୁରୁ ହର ଗୋବିନ୍ଦଙ୍କ ହାତରେ ନିହତ ହୋଇଥିବାରୁ, ସେ ପ୍ରତିଶୋଧ ନେବା ପାଇଁ ଅତର୍କିତ ଆକ୍ରମଣ କରିଥିଲେ। ତେବେ, ଅପୂର୍ବ ଶକ୍ତି ଓ ସାହସର ସହ ସ୍ବୟ ଗୁରୁ ହର ରାୟ ମୁହଁା-ମୁହିଁ ଯୁଦ୍ଧ ଲଢ଼ିଥିଲେ। ସିଖ ବାହିନୀର ପ୍ରତି-ଆକ୍ରମଣ ଏତେ ଭୟଙ୍କର ହୋଇଥିଲା ଯେ, ମୁସଲମାନ ସେନା ଛତ୍ରଭଙ୍ଗ ଦେବାକୁ ବାଧୢ ହୋଇଥିଲା। ସେ କୀରତପୁରରେ ଏକ ଆୟୁର୍ବେଦୀୟ ଚିକିତ୍ସାଳୟ ପ୍ରତିଷ୍ଠା କରିଥିଲେ। କୌଣସି ଅଜଣା ବ୍ୟାଧି ଯୋଗୁଁ ଦାରା ଶିକୋହଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଗୁରୁ ହର ରାୟଙ୍କ ଚିକିତ୍ସା ଦ୍ବାରା ତାଙ୍କୁ ନବଜୀବନ ମିଳିଥିଲା। ସେ ସିଖ ଧାର୍ମିକ ବ୍ୟବସ୍ଥା ସହ ସ˚ପୃକ୍ତ ଭ୍ରଷ୍ଟ ମସନ୍ଦମାନଙ୍କୁ ହଟାଇ ସ˚ସ୍କାର ଆଣିଥିଲେ।