ଚର୍ଚ୍ଚ ଜମିରେ ଶିବଲିଙ୍ଗ ଠାବ, ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ପୂଜାର୍ଚ୍ଚନା ଅନୁମତି

ତିରୁବନନ୍ତପୁରମ: ଧର୍ମକୁ ଆଳ କରି ଦୁଇଟି ସଂପ୍ରଦାୟ ଭିତରେ ରକ୍ତପାତ ଓ ବିବାଦ ପିଢ଼ି ପିଢ଼ି ଧରି ଲାଗି ରହୁଥିଲା ବେଳେ କେରଳର କୋଟ୍ଟାୟମ ଜିଲ୍ଲା ଅନ୍ତର୍ଗତ ଏକ ଚର୍ଚ୍ଚ ପରିଚାଳନା କମିଟି ଉଦାରପଣିଆ ଦେଖାଇ ପ୍ରଶଂସାର ପାତ୍ର ହୋଇଛନ୍ତି ।

ପ୍ରାୟ ୨୦୦ ବର୍ଷ ତଳେ ନିର୍ମିତ ମନ୍ଦିର ସନ୍ଧାନ ମିଳିଥିଲା କେରଳର କୋଟ୍ଟାୟମ ଜିଲ୍ଲା ଅନ୍ତର୍ଗତ ଏକ ଚର୍ଚ୍ଚ ଅଧିନରେ ଥିବା ଏକ ଜମିରେ । ଚର୍ଚ୍ଚ ପରିଚାଳକଙ୍କ ଅନୁମତି କ୍ରମେ ସଂପୃକ୍ତ ଜମିକୁ ଖୋଳାଖୋଳି କରାଯାଉଥିବା ସମୟରେ ଏକ ଶିବଲିଙ୍ଗର ସନ୍ଧାନ ମିଳିଥିଲା । ଖବରଟି ବିଜୁଳି ବେଗରେ ପ୍ରଚାର ହୋଇଯିବା ମାତ୍ରେ ଶତାଧିକ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମାଗମ ହୋଇଥିଲା ।

କୌଣସି ଅନାଗତ ବିବାଦ ସୃଷ୍ଟି ନକରି ଚର୍ଚ୍ଚ ପରିଚାଳନା କମିଟି ମାଟିତଳୁ ଆବିଷ୍କୃତ ଶିବଲିଙ୍ଗଟିକୁ ପୂଜାର୍ଚ୍ଚନା କରିବା ପାଇଁ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଅନୁମତି ଦେଇଥିଲେ ।
କେରଳ ସରକାର କହିଛନ୍ତି ଯେ ତାଙ୍କ ରାଜ୍ୟରେ ଧାର୍ମିକ ଭାବନକୁ କେନ୍ଦ୍ର କରି କୌଣସି ବିବାଦର ସୂତ୍ରପାତ ହେବାର ଆଶଙ୍କା ନାହିଁ । କେରଳରେ ମୁସଲିମ, ଖ୍ରୀଷ୍ଟିୟାନ ଓ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିତରେ ମଧୁର ଭାଇଚାରା ରହିଛି ।