ଭଗବତୀ ଦୁର୍ଗା ନାମର ଇତିହାସ

ଭଗବତୀ ଶତାକ୍ଷୀଙ୍କ ଦ୍ବାରା ସଂସାର ଏବଂ ଦେବତା ମାନଙ୍କ ସୁରକ୍ଷା ଓ ସଂରକ୍ଷଣ କଥା ଶୁଣି ଦୁର୍ଗମ ଦୈତ୍ୟ ଅତ୍ୟନ୍ତ କୁପିତ ହେଲା । ସେ ନିଜ ସୈନ୍ୟ ମାନଙ୍କ ସହିତ ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ହୋଇ ଭଗବତୀ ଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ରଣବାଦ୍ୟ ବଜାଇ ଚାଲିଲା । ତାପାଖରେ ଗୋଟିଏ ଅକ୍ଷୌହିଣୀ ସେନା ଥିଲା । ଦେବାତା ମାନଙ୍କ ସୈନ୍ୟ ଦଳକୁ ଘେରି ସେହି ଦୈତ୍ୟ ଭଗବତୀଙ୍କ ଆଗରେ ଆସି ଠିଆ ହେଲା।  ଭଗବତୀ ଶିବା ବ୍ରାହ୍ମଣ ଓ ଦେବତା ମାନଙ୍କୁ ଗୋଟିଏ ତେଜମୟ ଚକ୍ର ଭିତରେ ରଖି ନିଜେ ସେହି ଚକ୍ରରୁ ବାହାରି ଆସିଲେ । ଦେବୀ ଓ ଦୁର୍ଗମ ଦୈତ୍ୟ ଭିତରେ ଭୟଙ୍କର ସଂଗ୍ରାମ ଆରମ୍ଭ ହୋଇଗଲା । ଦୁଇପଟରୁ ବାଣ ଗୁଡିକର ବର୍ଷାରେ ସୂର୍ଯ୍ୟ ମଣ୍ତଳ ଘୋଡେଇ ହୋଇଗଲା ।

ଦେବୀଙ୍କ ଶ୍ରୀବିଗ୍ରହରୁ ବହୁତ ଗୁଡାଏ ଉଗ୍ରଶକ୍ତି ଗୁଡିକ ପ୍ରକଟ ହେଲେ । କାଳିକା, ତାରିଣୀ, ବାଳା, ତ୍ରିପୁରା, ଭୈରବୀ, ରମା, ବଗଳା, ମାତଙ୍ଗୀ, ତ୍ରିପୁରସୁନ୍ଦରୀ , କାମାକ୍ଷୀ, ତୁଳଜା, ଜମ୍ଭିନୀ, ମୋହିନୀ, ଗୁହ୍ୟକାଳୀ ଏବଂ ଦଶସହସ୍ରବାହୁକା ଆଦି ନାମଥିଲା ବତିଶି ଶକ୍ତିଗୁଡିକ ଉତ୍ପନ୍ନ ହେଲେ । ତାପରେ ଚୌଷଠୀ  ଏବଂ ଆହୁରି ଅଗଣିତ ଶକ୍ତିମାନେ ପାଦୁର୍ଭାବ ହେଲେ । ସେହି ଶକ୍ତିମାନେ ଦାନବ ର ବହୁତ ଗୁଡାଏ ସୈନ୍ୟ ନଷ୍ଟ କରିଦେଲେ । ଫେର୍ ଦୁର୍ଗମ ସ୍ବୟଂ ଶକ୍ତି ମାନଙ୍କ ଆଗରେ ଉପସ୍ଥିତ ହୋଇ ତାଙ୍କ ସହିତ ଯୁଦ୍ଧ କରିଲା।  ଦଶ ଦିନର ଯୁଦ୍ଧରେ ସେହି ଦୈତ୍ୟର ସମ୍ପୂର୍ଣ୍ଣ ସେନା ସଂହାର ହୋଇଗଲା । ଏହାଦେଖି ସେ ଅତ୍ୟନ୍ତ କ୍ରୋଧିତ ହୋଇ , କିଛି ସମୟ ମଧ୍ୟରେ ସେହି ପରାକ୍ରମୀ ଦୈତ୍ୟ ଦେବୀଙ୍କ ସମ୍ପୂର୍ଣ୍ଣ ଶକ୍ତି ମାନଙ୍କ ଉପରେ ବିଜୟ ପ୍ରାପ୍ତକଲା । ତାପରେ ସେ ଭଗବତୀ ସମ୍ମୁଖକୁ ରଥ ନେଇ ଆସିଲା ।  ଭଗବତୀ ଜଗଦମ୍ବା ଓ ଦୁର୍ଗମ ଦୈତ୍ୟ ଭିତରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଗଲା । ହୃଦୟକୁ ଆତଙ୍କିତ କରିବା ପରି ଏହି ଭୟଙ୍କର  ଯୁଦ୍ଧ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଲା ।

ଏହାପରେ ଦେବୀ ଦୁର୍ଗମ ଉପରେ ପନ୍ଦଟି ବାଣ ପ୍ରହାର କରିଲେ । ଦୁର୍ଗମର ରଥର ଚାରୋଟି ଘୋଡା ଦେବୀଙ୍କ ଚାରୋଟି ବାଣର ଶିକାର ହେଲେ । ଗୋଟିଏ ବାଣ ସାରଥି କୁ ବାଜିଲା , ଗୋଟିଏ ବାଣ ରଥର ଧ୍ବଜ କାଟିଦେଲା , ଦୁଇଟି ବାଣ ଦୁର୍ଗମର ଦୁଇଟି ନେତ୍ର ଓ ଦୁଇଟି ଭୁଜକୁ ଯାଇ ବାଜିଲା । ଜଗଦମ୍ବା ଙ୍କ ପାଞ୍ଚଟି ବାଣ ସେହି ଦୈତ୍ୟର ଛାତିକୁ ବିଦୀର୍ଣ୍ଣ କରିଦେଲା । ଶେଷରେ ସେହି ଦୈତ୍ୟ ରକ୍ତବାନ୍ତି କରି ତଳେ ପଡିଗଲା । ତାହାର ଶରୀରରୁ ଗୋଟିଏ ତେଜ ବାହାରି ଭଗବତୀ ଙ୍କ ଶରୀରରେ ଲୀନ ହୋଇଗଲା । ସେହି ମହାନ୍ ଦୈତ୍ୟ ମରିଯିବା ଦେଖି ସବୁଲୋକମାନେ ଆନନ୍ଦିତ ହେଲେ । ଭଗବାନ୍ ବିଷ୍ଣୁ ଓ ଶିବଙ୍କୁ ଆଗରେ ରଖି ସବୁ ଦେବତା ମାନେ ଭଗବତୀଙ୍କ ସ୍ତୁତି କରି କହିଲେ– ସମ୍ପୂର୍ଣ୍ଣ ଜଗତର ଏକମାତ୍ର କାରଣ ପରମେଶ୍ଵରୀ  ! ଶତଲୋଚନୀ ! ତୁମକୁ ବାରମ୍ବାର ନମସ୍କାର ।
ଯିଏ ଦିବ୍ୟ ଆଭୂଷଣ ରେ ସୁଶୋଭିତ ଅଛନ୍ତି ଏବଂ ଯିଏ ବ୍ରହ୍ମା ବିଷ୍ଣୁ ଆଦି ଦେବଙ୍କୁ ପ୍ରକଟ କରିଛନ୍ତି, ସେହି ଭଗବତୀ ଭୂବନେଶ୍ବରୀ ଚରଣରେ ଆମେ ସାଷ୍ଟାଙ୍ଗ ପ୍ରଣାମ କରୁଛୁ ।

କରୁଣାର ଅସୀମ ସାଗର ଭଗବତୀ ଶାକମ୍ବରୀ ତୁମର ଜୟ ହେଉ । ଆପଣ ଦୁର୍ଗମକୁ ମାରି ଦେବତା ମାନଙ୍କ ସଂକଟ ଦୂର କରିଛନ୍ତି । ତେଣୁ ଆମେ ସବୁ ଦେବତା ଆପଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଅର୍ପଣ କରୁଛୁ । ବ୍ରହ୍ମା, ବିଷ୍ଣୁ, ଶିବ ଆଦି ଦେବତାଙ୍କ ସ୍ତବନ ଓ ପୂଜନରେ ଭଗବତୀ ଜଗଦମ୍ବା ସନ୍ତୁଷ୍ଟ ହେଲେ । ସେ ଦୁର୍ଗମାସୁର ଛଡାଇନେଇଥିବା ବେଦ ଗୁଡିକୁ ଦେବତା ମାନଙ୍କୁ ଦେଇଦେଲେ । ଏହାପରେ ସେ ବ୍ରାହ୍ମଣ ମାନଙ୍କୁ କହିଲେ — ଯାହାର ଅଭାବରୁ ଏପରି ଅନର୍ଥକାରୀ ସମୟ ଉତ୍ପନ୍ନ ହେଲା । ସେହି ବେଦବାଣୀ ମୋ ଶରୀରରୁ ହିଁ ପ୍ରକଟ ହୋଇଥିଲା । ତେଣୁ ତାହାର ରକ୍ଷା କରିବା ଉଚିତ୍ । ମୋର ପୂଜାରେ ସଂଲଗ୍ନ ରହିବା ତୁମର କର୍ତ୍ତବ୍ୟ । ତୁମ ମାନଙ୍କ କଲ୍ୟାଣ ନିମନ୍ତେ ଏହାଠାରୁ ଆଉ କୌଣସି ଶ୍ରେଷ୍ଠ ଉପାୟ ନାହିଁ । ମୋ ହାତରେ ଦୁର୍ଗମ ନାମକ ଦୈତ୍ୟର ବଦ୍ଧ ହେଲା, ଅତଃ ଆଜିଠାରୁ ମୋର ଆଉ ଏକ ନାମ ‘ଦୁର୍ଗା’ ରୂପରେ ପ୍ରସିଦ୍ଧ ହେବ । କରୁଣାର ସ୍ବରୂପ ହେବା ଯୋଗୁଁ ମୁଁ ‘ଶତାକ୍ଷୀ’ କୁହାଗଲି । ଯେଉଁ ବ୍ୟକ୍ତି ମୋର ଏହି ନାମକୁ କୀର୍ତ୍ତନ କରିବ , ସେ ମାୟାର ବନ୍ଧନକୁ ଭାଙ୍ଗିଦେଇ ମୋର ସ୍ଥାନ ପାଇବ । ଏହିପରି ଭଗବତୀ ଦୁର୍ଗା ଦେବତା ଓ ବ୍ରାହ୍ମଣ ମାନଙ୍କୁ ଉପଦେଶ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ ।