ପ୍ରୟାଗରାଜରେ ପାପ ଧୋଇଲା, ଧର୍ମ ମୁଣ୍ଡାଇଲା ଅଧା ଭାରତ

ପ୍ରୟାଗରାଜର ତ୍ରିବେଣୀ ସଂଗମ ନିକଟରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଅଧା ଭାରତ ବୁଡ଼ ପକାଇ ସାରିଲାଣି । ମହା ଶିବରାତ୍ରୀ (ଫେବୃଆରୀ ୨୬) ସୁଦ୍ଧା ବୁଡ଼ ପକାଇ ସାରିଥିବା ଲୋକଙ୍କ ସଂଖ୍ୟା ୯୦ କୋଟି ଟପି ଯାଇଥିବ ।

୧୪୦ କୋଟି ଜନତାଙ୍କ ଭିତରୁ ୯୦ କୋଟି ଗଙ୍ଗା ଯମୁନା ସରସ୍ୱତୀ ନଦୀର ମିଳନ ସ୍ଥଳରେ ବୁଡ଼ ପକାଇ ସବୁ ପାପ ଧୋଇ ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ପ୍ରୟାଗରାଜରେ ବୁଡ଼ ପକାଇବା ପରଠାରୁ ସାରା ଦେଶଟା ସତେ ଯେପରି ଚେତା ଫେରି ପାଇଲା । ଛୋଟ ବ୍ୟବସାୟୀଠାରୁ ଆରମ୍ଭ କରି ମୁକେଶ ଅମ୍ବାନୀ, ଛୋଟ ସାଧୁଙ୍କ ନିକଟରୁ ଆରମ୍ଭ କରି ମହାନ ଗୁରୁ ଶଙ୍କରାଚାର୍ଯ୍ୟ, କୁଜିନେତାଠାରୁ ଆରମ୍ଭ କରି ବଡ଼ ରାଜନେତା, ଛୋଟ ଭିକାରୀଠାରୁ ଆରମ୍ଭ କରି ମହାମହିମ ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତେ ମହାକୁମ୍ଭରେ ବୁଡ଼ ପକାଇ ସବୁ ପାପ ଧୋଇ ପକାଇଛନ୍ତି । ଏବେ ସମସ୍ତଙ୍କ ଶରୀର ମହକୁଥିବ ।

୧୪୦ କୋଟି ଦେଶବାସୀଙ୍କ ପିଠିରେ ୨୦୦ ଲକ୍ଷ କୋଟି ଟଙ୍କାର ଋଣ ଗଣ୍ଡିରା ଲଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରୁ ଘରକୁ ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ସାଢେ଼ ଚାରିକୋଟି ଜନତାଙ୍କ ପିଠିରେ ୪୭ ହଜାର କୋଟି ଟଙ୍କାର ଋଣ ଲଦିବାର ପାପକୁ ସାମାନ୍ୟ ହାଲୁକା କରିବା ପାଇଁ ପ୍ରୟାଗରାଜକୁ ଉଡ଼ି ଯାଇଛନ୍ତି ।