ଆନନ୍ଦ ହିଁ ବ୍ରହ୍ମ ଅଟେ
ମହର୍ଷି ବଶିଷ୍ଠ -ରାମ ଗୀତା
ଭୃଗୁ -ବରୁଣ କଥା
ବିଚାର କରି ସେ ଏହି ନିଶ୍ଚୟ କଲେ ଯେ ବିଜ୍ଞାନ ସ୍ୱରୂପ ଚେତନ ଜୀବାତ୍ମା ହିଁ ବ୍ରହ୍ମ ଅଟେ। ଭୃଗୁ ଭାବିଲେ – ପିତା ବ୍ରହ୍ମଙ୍କ ଯେଉଁ ଲକ୍ଷଣ ବତାଇଥିଲେ, ସେ ସବୁ ଲକ୍ଷଣ ସମ୍ପୂର୍ଣ୍ଣ ରୂପେ ଏଥିରେ ମିଳିଯାଉଛି। ଏହି ଜଗତର ସମସ୍ତ ପ୍ରାଣୀ ଜୀବାତ୍ମାରୁ ହିଁ ଉତ୍ପନ୍ନ ହୁଅନ୍ତି , ସଜୀବ ଚେତନ ପ୍ରାଣୀଙ୍କଠାରୁ ହିଁ ପ୍ରାଣୀମାନେ ଉତ୍ପନ୍ନ ହେବା ପ୍ରତ୍ୟକ୍ଷ ରୂପେ ଦେଖାଯାଏ। ଉତ୍ପନ୍ନ ହେବା ପରେ ଏହି ବିଜ୍ଞାନ ସ୍ୱରୂପ ଜୀବାତ୍ମାରେ ହିଁ ପ୍ରାଣୀମାନେ ବଞ୍ଚନ୍ତି। ଯଦି ଜୀବାତ୍ମା ନ ରହେ, ତେବେ ଏହି ମନ, ଇନ୍ଦ୍ରିୟ , ପ୍ରାଣ ଆଦି କିଛି ହେଲେ ଶରୀରରେ ରହିପାରିବେ ନାହିଁ କିମ୍ବା କେହି ବି ନିଜର କାମ କରିପାରିବେ ନାହିଁ। ମୃତ୍ୟୁ ପରେ ମନ, ଇନ୍ଦ୍ରିୟ ଆଦି ସବୁ କିଛି ଜୀବାତ୍ମାରେ ହିଁ ପ୍ରବିଷ୍ଟ ହୋଇଯାଆନ୍ତି – ଜୀବ ବାହାରିଗଲା ପରେ ମୃତ ଶରୀରରେ ଏଗୁଡିକ ଦେଖିବାକୁ ମିଳନ୍ତି ନାହିଁ। ଏଣୁ ବିଜ୍ଞାନ ସ୍ୱରୂପ ଜୀବାତ୍ମା ହିଁ ବ୍ରହ୍ମ ଅଟେ। ଏହା ନିଶ୍ଚୟ କରି ସେ ପୂର୍ବ ପରି ପିତା ବରୁଣଙ୍କ ନିକଟକୁ ଗଲେ।
ପିତାଙ୍କ ପାଖକୁ ଯାଇ ସେ ନିଜର ନିଶ୍ଚିତ ଅନୁଭବକୁ ପିତାଙ୍କୁ ଜଣାଇଲେ। ପିତା ବରୁଣ ଭାବିଲେ – ଏଥର ଏ ବହୁତ କିଛି ବ୍ରହ୍ମର ନିକଟକୁ ଆସିଗଲାଣି। ଏହାର ବିଚାର ସ୍ଥୁଳ ଓ ସୂକ୍ଷ୍ମ – ଦୁଇଟିଯାକ ଜଡ଼ ତତ୍ତ୍ୱରୁ ଉପରକୁ ଉଠି ଚେତନ ଜୀବାତ୍ମା ପର୍ଯ୍ୟନ୍ତ ପହଞ୍ଚି ଗଲାଣି। କିନ୍ତୁ ବ୍ରହ୍ମଙ୍କ ସ୍ୱରୂପ ତ ଏହାଠାରୁ ମଧ୍ୟ ଅତି ବିଲକ୍ଷଣ ଅଟେ, ସେ ତ ନିତ୍ୟ ଆନନ୍ଦ ସ୍ୱରୂପ ଏକ ଅଦ୍ଵିତୀୟ ପରମାତ୍ମା ଅଟେ। ଏହାକୁ ବର୍ତ୍ତମାନ ଆହୁରି ତପସ୍ୟା କରିବାର ଆବଶ୍ୟକତା ଅଛି। ତେଣୁ ଉତ୍ତର ନ ଦେବା ହିଁ ଠିକ ହେବ। ଏହିପରି ପିତାଙ୍କ ଠାରୁ ବାରମ୍ବାର ଉତ୍ତର ନ ପାଇ ମଧ୍ୟ ଭୃଗୁ ହତୋତ୍ସାହ କିମ୍ବା ନିରାଶ ହେଲେ ନାହିଁ। ସେ ପୂର୍ବ ପରି ପୁଣି ପିତାଙ୍କୁ ସେହି ପ୍ରାର୍ଥନା କଲେ – ହେ ଭଗବନ୍ ! ଯଦି ମୁଁ ଠିକ ନ ବୁଝିଛି , ତେବେ ଆପଣ ମୋତେ ବ୍ରହ୍ମର ରହସ୍ୟ ବତାଇଦିଅନ୍ତୁ। ସେତେବେଳେ ପିତା ବରୁଣ ପୁଣି ସେହି ଉତ୍ତର ଦେଲେ – ‘ଜ୍ଞାନଂ ଶ୍ରେୟମ’ ‘ତୁମେ ବିଚାରରୂପୀ ତପ ଦ୍ୱାରା ହିଁ ବ୍ରହ୍ମତତ୍ତ୍ୱକୁ ଜାଣିବାକୁ ଇଛା କର ଅର୍ଥାତ ତପସ୍ୟାରତ ହୋଇ ପୂର୍ବ ଉପଦେଶ ଅନୁସାରେ ବିଚାର କର।’ ଏହିପରି ପିତାଙ୍କ ଆଜ୍ଞାନୁସାରେ ପୂର୍ବ ପରି ସଂଯମତା ପାଳନ କରି ପିତାଙ୍କ ଉପଦେଶ ଉପରେ ବିଚାର
କରିବାକୁ ଲାଗିଲେ।
ଏଥର ଭୃଗୁ ପିତାଙ୍କ ଉପଦେଶକୁ ଗଭୀର ଭାବରେ ବିଚାର କରି ନିଶ୍ଚୟ କଲେ ଯେ ଆନନ୍ଦ ହିଁ ବ୍ରହ୍ମ ଅଟେ। ଆନନ୍ଦଘନ ପରମାତ୍ମା ହିଁ ଅନ୍ନମୟ, ପ୍ରାଣମୟ, ମନୋମୟ, ବିଜ୍ଞାନମୟ, ଆନନ୍ଦମୟ ଆଦି ସମସ୍ତଙ୍କର ଅନ୍ତରାତ୍ମା ଅଟନ୍ତି। ଏହି ସବୁଗୁଡ଼ିକ ତାଙ୍କର ସ୍ଥୁଳ ରୂପ ଅଟେ। ସେଥିପାଇଁ ସେଗୁଡିକରେ ବ୍ରହ୍ମ ବୁଦ୍ଧି ହୁଏ ଓ ବ୍ରହ୍ମଙ୍କର ଆଂଶିକ ଲକ୍ଷଣ ମଧ୍ୟ ଦେଖାଯାଏ। କିନ୍ତୁ ସର୍ବାଂଶରେ ବ୍ରହ୍ମର ଲକ୍ଷଣ ଆନନ୍ଦରେ ହିଁ ଘଟିତ ହୁଏ କାରଣ ସମସ୍ତ ପ୍ରାଣୀ ସେହି ଆନନ୍ଦସ୍ୱରୂପ ପରମାତ୍ମାଙ୍କଠାରୁ ହିଁ ସୃଷ୍ଟିର ଆରମ୍ଭ କାଳରେ ଉତ୍ପନ୍ନ ହୁଅନ୍ତି। ସମସ୍ତଙ୍କର ଆଦି କାରଣ ପରମାତ୍ମା ହିଁ ଅଟନ୍ତି ତଥା ଆନନ୍ଦଘନଙ୍କର ଆନନ୍ଦର ଅଂଶ ପାଇ ହିଁ ସବୁ ପ୍ରାଣୀ ଜୀବନ ଧାରଣ କରୁଛନ୍ତି। ତେଣୁ କେହି ହେଲେ ଦୁଃଖ ପ୍ରାପ୍ତି କରିବା ପାଇଁ ଚାହେଁ ନାହିଁ।
କେବଳ ଏତିକି ନୁହେଁ , ସେହି ଆନନ୍ଦଘନ ସର୍ବାନ୍ତର୍ଯ୍ୟାମୀ ପରମାତ୍ମାଙ୍କର ଅଚିନ୍ତ୍ୟ ଶକ୍ତିର ପ୍ରେରଣା ଯୋଗୁଁ ହିଁ ଏହି ଜଗତର ସମସ୍ତ ପ୍ରାଣୀଙ୍କର ସମସ୍ତ କ୍ରିୟା ହେଉଛି। ପରମାତ୍ମାଙ୍କ ଅଧୀନରେ ଥିବା ସୂର୍ଯ୍ୟ, ପବନ, ଜଳ ଆଦିଙ୍କୁ ଯଦି ପରମାତ୍ମାଙ୍କ ଠାରୁ ଶକ୍ତି ନ ମିଳେ, ସେମାନେ ନିଜ ନିଜ କାର୍ଯ୍ୟ ତୁଲାଇପାରିବେ ନାହିଁ ଓ କୌଣସି ପ୍ରାଣୀ ଗୋଟିଏ ମୁହୂର୍ତ୍ତ ମଧ୍ୟ ବଂଚିପାରିବେ ନାହିଁ। ସମସ୍ତଙ୍କ ଜୀବନାଧାର ପ୍ରକୃତରେ ସେହି ଆନନ୍ଦସ୍ୱରୂପ ପରମାତ୍ମା ହିଁ ଅଟନ୍ତି ତଥା ପ୍ରଳୟକାଳରେ ସମସ୍ତ ପ୍ରାଣୀଙ୍କ ସହିତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ତାଙ୍କ ଭିତରେ ହିଁ ପ୍ରବିଷ୍ଟ ହୁଏ ଓ ସୃଷ୍ଟିକାଳରେ ତାଙ୍କଠାରୁ ଉତ୍ପନ୍ନ ହୁଏ। ତେଣୁ ସେ ହିଁ ସବୁ ପ୍ରକାରରେ ସଦାସର୍ବଦା ସମସ୍ତଙ୍କର ଆଧାର ଅଟନ୍ତି। ଏହି ପରି ଅନୁଭବ ହୋଇଯିବା ମାତ୍ରେ ଋଷିକୁମାର ଭୃଗୁଙ୍କୁ ପରଂବ୍ରହ୍ମଙ୍କର ସୋହମ ରୂପରେ ଯଥାର୍ଥ ଜ୍ଞାନ ହୋଇଗଲା। ଆଉ ତାଙ୍କର କୌଣସି ପ୍ରକାର ଜିଜ୍ଞାସା ରହିଲା ନାହିଁ।
ହେ ରାମ ! ଏହା ଋଷି ବରୁଣଙ୍କ ଦ୍ୱାରା ଉପଦେଶ କରାଯାଇଥିବା ଓ ଋଷିକୁମାର ଭୃଗୁଙ୍କୁ ପ୍ରାପ୍ତ ହୋଇଥିବା ବ୍ରହ୍ମବିଦ୍ୟା ଅଟେ। ଯେଉଁ ବ୍ୟକ୍ତି ଆଜି ମଧ୍ୟ ସଦଗୁରୁଙ୍କ ଉପଦେଶ ପାଳନ କରି ଭୃଗୁଙ୍କ ପରି ତପସ୍ୟା ପୂର୍ବକ ଏହାକୁ ବିଚାର କରି ପରମାନନ୍ଦ ସ୍ୱରୂପ ପରଂବ୍ରହ୍ମ ପରମାତ୍ମାଙ୍କୁ ‘ମୁଁ ‘ ରୂପରେ ଜାଣିଯାଏ , ସେ ମଧ୍ୟ ସେହି ବିଶୁଦ୍ଧ ପରମାନନ୍ଦ ସ୍ୱରୂପ ପରମାତ୍ମାଙ୍କଠାରେ ସ୍ଥିତ ହୋଇଯାଏ।
କ୍ରମଶଃ………