‘ଭଲ କାମ କଲେ ଭଲ ପରିଣାମ ପାଇବ’ । ଅଧିକାଂଶ ଲୋକଙ୍କ ମନରେ ଏହି ଧାରଣା ରହିଆସିଛି । ମାତ୍ର ପ୍ରକୃତ କଥା ହେଉଛି, କର୍ମ ଏକ ନିରନ୍ତର ପ୍ରକ୍ରିୟା ଯାହାର ଆଦି ଅନ୍ତ ନାହିଁ । ଏ ଜନ୍ମରେ ସୁଖ ଭୋଗୁଥିବା ମଣିଷଟି ତା’ର ପୂର୍ବଜନ୍ମର କର୍ମଫଳ ଭୋଗୁଛି ବୋଲି ଧରିନେବାକୁ ହେବ । ସେହିପରି ଏ ଜନ୍ମରେ ଦୁଃଖ ଯନ୍ତ୍ରଣା ଭିତରେ ଦିନ କାଟୁଥିବା ମଣିଷଟି ତା’ର ପୂର୍ବଜନ୍ମର କର୍ମଫଳ ଭୋଗୁଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁସାରେ କର୍ମ କେବେ ମଣିଷର ପିଛା ଛାଡେ଼ନା । ଏ ଜନ୍ମର କର୍ମଫଳ ବା ପାରିଶ୍ରମିକ ଜୀବକୁ ଆଗାମୀ ଜନ୍ମରେ ଅବଶ୍ୟ ମିଳିଥାଏ । ଏ ଜନ୍ମରେ କାମ କରୁଥିବା ସମୟରେ ପ୍ରାଣ ହରାଉଥିବା ଜୀବକୁ ଆଗାମୀ ଜନ୍ମରେ ପାରିଶ୍ରମିକ ମିଳିଯିବା ସୁନିଶ୍ଚିତ । ତୁମ କଲା କର୍ମ ଫଳ ତୁମକୁ ଭୋଗିବାକୁ ପଡ଼ିବ, ତାହା ସୃଷ୍ଟିର ନିୟମ ।
ଶ୍ରୀମଦ୍ ଭଗବତ୍ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ଋତୁ ପରେ ଋତୁ ପରିବର୍ତନ ହେବା ଭଳି ସୁଖ ପରେ ଦୁଃଖ, କଷ୍ଟ ପରେ କୃପା ଫେରିବ ନିଶ୍ଚିତ । ସୁନାକୁ ନିଆଁରେ ପୋଡ଼ିଲେ ତାହା ପୂର୍ବ ତୁଳନାରେ ଅଧିକ ଉଜ୍ଜ୍ୱଳ ଦିଶିଥାଏ । ସେହିଭଳି ତୁମେ ଭୋଗୁଥିବା ଦୁଃଖ ଯନ୍ତ୍ରଣାକୁ ପୂର୍ବଜନ୍ମର ଅଭିଶାପ ମଣ ନାହିଁ । ଭଗବାନଙ୍କ ଆଶୀର୍ବାଦ ମଣି ଧୈର୍ଯ୍ୟର ସହ ଅପେକ୍ଷା କର । ତୁମକୁ ଉପଯୁକ୍ତ ପୁରସ୍କାର ଅବଶ୍ୟ ମିଳିବ । ଏ ଜନ୍ମରେ ହୁଏତ ନ ମିଳିପାରେ, ତେବେ ଆଗାମୀ ଜନ୍ମରେ ନିଶ୍ଚିତ ମିଳିବ । ମାନସିକ ଆଘାତ ଓ ଶାରୀରିକ ପୀଡ଼ା ମଣିଷ ମନରୁ ଅହଂକାର ଦୂର କରିଦିଏ । ଦୁଃଖ ହେଉ କି ସୁଖ, ତାକୁ ଭଗବାନଙ୍କ ଆଶୀର୍ବାଦ ମଣି ଖୁସିର ସହିତ ଆଲିଙ୍ଗନ କର ।