ରାକ୍ଷୀ ବାନ୍ଧିବା ପାଇଁ ଅଭିଜିତ ଓ ବିଜୟ ମୁହୂର୍ତ୍ତ ସର୍ବୋତ୍ତମ ଜାଣନ୍ତୁ..

ଭାଇ-ଭଉଣୀ ପବିତ୍ର ବନ୍ଧନ ‘ରାକ୍ଷୀ’

ପର୍ବପର୍ବାଣୀ ପାଳନ ଦିଗରେ ଭାରତ ବିଶ୍ୱବିଦିତ । ପାଖରେ ଟଙ୍କା ନ ଥିଲେ ଲୋକମାନେ ଧାରକରଜ କରି ପର୍ବପର୍ବାଣୀ ପାଳନ କରିଥାନ୍ତି । ଏମିତି ଦେଖିଲେ, ପ୍ରତିଦିନ ଭାରତର ଯେ କୌଣସି ଅଂଚଳ ଉତ୍ସବମୁଖର ଦେଖିବାକୁ ମିଳେ । ମାତ୍ର ହାତଗଣତି ପର୍ବକୁ ପ୍ରାୟ ସବୁ ବର୍ଗର ଲୋକମାନେ ପାଳନ ପାଇଁ ଚାତକ ଭଳି ଅନାଇ ରହିଥାନ୍ତି । ଭାଇର ଶୁଭ ମନାସି ଭଉଣୀଟିଏ ଶ୍ରଦ୍ଧାର ସହିତ ରାକ୍ଷୀଟିଏ ବାନ୍ଧିଦିଏ । ତା’ ସହିତ ଭାଇର ଦୀର୍ଘାୟୁ ଓ ସୁଖସମୃଦ୍ଧି କାମନା କରିଥାଏ ।

ଚଳିତ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥି ପଡୁଛି ଅଗଷ୍ଟ ୧୧ ତାରିଖ (ଗୁରୁବାର); ଭାଇ-ଭଉଣୀ ପବିତ୍ର ସମ୍ପର୍କ ‘ରକ୍ଷା ବନ୍ଧନ’ ପାଳନ ପାଇଁ ପୁରପଲ୍ଲୀ ସହର ବଜାର ହସୁଛି । ଛୋଟବଡ଼ ଦୋକାନରେ ଝୁଲୁଛି ବିଭିନ୍ନ ଧରଣର ରାଖି । ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ ଜାଣିବା ଜରୁରୀ।

ଗୁରୁବାର ଦିନ ୧୦ଟା ୩୮ ମିନିଟରୁ ତା’ ପରଦିନ ଅର୍ଥାତ୍‌ ଶୁକ୍ରବାର ସକାଳ ୭ଟା ୦୫ ମିନିଟ୍‌ ପର୍ଯ୍ୟନ୍ତ ପୂର୍ଣ୍ଣମୀ ତିଥି ରହୁଛି; ମାତ୍ର ଅଗଷ୍ଟ ୧୧ ତାରିଖ ଦିନ ରକ୍ଷା ବନ୍ଧନ ପାଳନ ପାଇଁ ଉପଯୁକ୍ତ । ରାକ୍ଷୀ ବାନ୍ଧିବା ପାଇଁ ସକାଳ ୧୧ଟା ୩୭ ମିନିଟ୍‌ରୁ ୧୨ଟା ୨୯ ମିନିଟ୍‌ (ଅଭିଜିତ ମୁହୁର୍ତ୍ତ), ଦିନ ଦୁଇଟା ୧୪ ମିନିଟ୍‌ରୁ ୩ଟା ୦୭ ମିନିଟ୍‌ (ବିଜୟ ମୁହୂର୍ତ୍ତ) ଉପଯୁକ୍ତ ସମୟ । ଏହି ସମୟ ଭିତରେ ଭଉଣୀଟି ଭାଇ ହାତରେ ରାକ୍ଷୀ ବାନ୍ଧିଲେ, ଉଭୟଙ୍କର ମଙ୍ଗଳ ହୋଇଥାଏ ।

ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଭଦ୍ରାଙ୍କ ଦୃଷ୍ଟି ପଡୁଥିବାରୁ ସନ୍ଧ୍ୟା ୫ଟା ୧୭ ମିନିଟ୍‌ରୁ ରାତି ୮ଟା ଭିତରେ ରାଖି ବାନ୍ଧିବା ଅନୁଚିତ । ରାକ୍ଷୀ ପୂର୍ଣ୍ଣମୀ ଦିନ ଭାଇଭଉଣୀଙ୍କ ଭିତରୁ କେହି କଳାରଙ୍ଗର ପୋଷାକ ପିନ୍ଧିବା ଅନୁଚିତ । ଭାଇଙ୍କ ମୁଣ୍ଡକୁ ରୁମାଲରେ ଘୋଡ଼ାଇ ତାଙ୍କ ମଥାରେ ଟୀକା ଲଗାଇବା ବିଧିସମ୍ମତ । ରାକ୍ଷୀ ବାନ୍ଧିବା ସମୟରେ ଭାଇ ଦକ୍ଷିଣ ଦିଗକୁ ମୁହଁ କରି ବସିବା ଅନୁଚିତ । ଭାଇ ମଥାରେ ଲଗାଉଥିବା ଅରୁଆ ଚାଉଳ ଅକ୍ଷତ ରହିବା ଜରୁରୀ । ଅକ୍ଷତ ଅରୁଆ ଚାଉଳକୁ ଶୁଭ ବିବେଚନା କରାଯାଏ । ଭଙ୍ଗା ଚାଉଳ ଜୀବନରେ ଦୁଃଖ ଯନ୍ତ୍ରଣା ଭରିଦିଏ ବୋଲି ବିଶ୍ୱାସ ଅଛି ।

ରାକ୍ଷୀ ବାନ୍ଧିବା ପାଇଁ ତିନୋଟି ଗଣ୍ଠି ସର୍ବୋତ୍ତମ..

ପ୍ରଥମ ଗଣ୍ଠିଟି ଭାଇର ଦୀର୍ଘାୟୁ ଓ ନିରୋଗ ପାଇଁ ଉଦ୍ଦିଷ୍ଟ । ଦ୍ୱିତୀୟ ଗଣ୍ଠି ଭାଇର ସୁଖସମୃଦ୍ଧି ପାଇଁ ଉଦ୍ଦିଷ୍ଟ । ତୃତୀୟ ଗଣ୍ଠିଟି ଭାଇ-ଭଉଣୀ ସମ୍ପର୍କ ମଜଭୁତ ପାଇଁ ଉଦ୍ଦିଷ୍ଟ । ତିନୋଟି ଗଣ୍ଠିକୁ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ମହେଶ୍ୱରଙ୍କୁ ସମର୍ପଣ କରିବ । ରାଖି ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣମୀ ମଧ୍ୟ କହନ୍ତି । ସେଦିନ ମହାପ୍ରଭୁ ବଳରାମଙ୍କ ଜନ୍ମଦିନ । ଗହ୍ମା ପୂର୍ଣ୍ଣିମା ଦିନ ସକାଳୁ ଚାଷୀ ବଳଦକୁ ପରିଷ୍କାର କରି ଗାଧୋଇ ଦିଅନ୍ତି । ବଳଦ ମଥାରେ ସିନ୍ଦୁର, ବେକରେ ଫୁଲମାଳ ପକାଇବା ପରେ ଥାଳିରେ ଦୁର୍ବାକ୍ଷତ ଓ ଦୀପ ଜଳାଇ ବନ୍ଦାପନା କରନ୍ତି । ଥାଳିରେ ସ୍ୱାଦିଷ୍ଟ ପିଠା ରଖି ବଳଦକୁ ଅର୍ପଣ କରନ୍ତି । ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ବଳଦକୁ ସୁଖସମୃଦ୍ଧିର କାରକ ଭାବେ ଧରି ନିଆଯାଏ ।