ଦେବୀ ପୁରାଣ, ଦେବୀ ଭାଗବତରେ ମା’ ଦୁର୍ଗାଙ୍କୁ ଦଶଭୁଜା ବର୍ଣ୍ଣନା କରାଯାଇଛି । ଅସୁର ରାଜା ମହିଷାସୁର କବଳରୁ ତ୍ରିପୁରକୁ ରକ୍ଷା କରିବା ପାଇଁ ଦେବତାମାନେ ମିଶି ମା’ ଦୁର୍ଗାଙ୍କୁ ଆବାହନ କରିଥିଲେ ।
ମା’ ଦୁର୍ଗା ଅସୁର ରାଜ ମହିଷାସୁର ସହିତ ଘମାଘୋଟ ଲଢ଼େଇ କଲେ ଓ ତାଙ୍କୁ ନିଧନ କଲେ । ମା’ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜାକର୍ମରେ ମା’ ମହାଲକ୍ଷ୍ମୀ ଓ ମା’ ସରସ୍ୱତୀଙ୍କ ଆରାଧନା କରାଯାଏ ।
ମାତୃଶକ୍ତିର ପ୍ରତିଟି ସ୍ୱରୂପକୁ ପୂଜା କରାଯାଏ । ପୁରାଣ ବର୍ଣ୍ଣିତ ତଥ୍ୟଗୁଡ଼ିକ ଆମ ଦୃଷ୍ଟିରେ ଗୋଟିଏ ଗୋଟିଏ କାହାଣୀ ଭଳି ଝଲସି ଉଠେ ।
ଆଜିର ମଣିଷ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରାଥମିକତା ଦେଇ ପ୍ରତ୍ୟେକ କାହାଣୀର ସତ୍ୟତା ଅଣ୍ଡାଳୁଥିବା ସମୟରେ ଆମ ଭିତରୁ ଗୋଟିଏ ଗୋଷ୍ଠୀ ପୁରାଣକୁ କାଳ୍ପନିକ କାହାଣୀ କହି ଉପହାସ କରୁଛନ୍ତି ।
ମା’ ଦୁର୍ଗାଙ୍କର ଦଶଭୁଜା ପ୍ରତିମାକୁ ଦେଖି ବିଦ୍ରୁପ କରି କୁହନ୍ତି, ଋଷିମୁନି ସାଧୁ ମହାତ୍ମାଙ୍କ ମନଗଢ଼ା କାହାଣୀ ମୁତାବକ ଦଶଭୁଜା ପ୍ରତିମାଟିଏ ତିଆରି କରି ତା’ର ନାମ ମା’ ଦୁର୍ଗା ଦିଆଯାଉଛି । ସେହି ପ୍ରତିମାଟିର ପାଦତଳେ ଗୋଟିଏ ମଇଁଷି ମୁଣ୍ଡଧାରୀ କଦାକାର ଚେହେରା ବିଶିଷ୍ଟ ପୁରୁଷର ପ୍ରତିମା ତିଆରି କରି ତା’ର ନାମ ମହିଷାସୁର ଦିଆଯାଉଛି ।
ଚିକିତ୍ସା ବିଜ୍ଞାନର ଯୋଉ ଅଧ୍ୟାୟରେ ମଣିଷ ଶରୀରରେ ପଶୁ ମୁଣ୍ଡଟିଏ ଯୋଡ଼ି ଦିଆଯାଇ ପାରୁଥିବ, ସେଥିରେ ଜୀବନ ସଂଚାର କରି ହେଉଥିବ, ସେ ଅଧ୍ୟାୟଟି ବୋଧହୁଏ ଏ ଯାଏ ମଣିଷ ଦୃଷ୍ଟିକୁ ଆସିନି, ତେଣୁ ଆଜିର ମଣିଷ ମା’ ଦୁର୍ଗାଙ୍କ ଦଶଭୁଜା ରୂପ ଓ ମଇଁଷି ମସ୍ତକଧାରୀ ମଣିଷକୁ ସହଜରେ ଗ୍ରହଣ କରିପାରୁନି ।
ବିଜ୍ଞାନର କଷଟି ପଥରରେ ପୁରାଣର ଚରିତ୍ରଗୁଡ଼ିକ ଗୋଟିଏ ଗୋଟିଏ କାହାଣୀର କାଳ୍ପନିକ ନାୟକ, ଖଳନାୟକ ଓ ସହ ନାୟକ ବୋଲାଇଲେ ତା’ର ସଠିକ ଜବାବ ଦେବାକୁ ଅକ୍ଷମ ମଣିଷଟିଏ ‘ମାନିଲେ ଦେବତା ନ ମାନିଲେ ପଥର’ ମନ୍ତବ୍ୟ ପ୍ରଦାନ କରି କୋଟି କୋଟି ମଣିଷଙ୍କୁ କୁହୁକ ବିଦ୍ୟାରେ ବଶୀଭୂତ କରିଦିଏ ।
ପିଲାଟି ଦିନରୁ ବାପାମା’ଙ୍କ କଥାରେ ହାତୀମୁଣ୍ଡିଆ ମଣିଷଟିକୁ ବିଘ୍ନ ବିନାଶନ ଗୌରୀ ନନ୍ଦନ ବୁଦ୍ଧି ସିଦ୍ଧି ପ୍ରଦାୟକ ଭଗବାନ ଶ୍ରୀଗଣେଶ ଭାବେ ସ୍ୱୀକାର କରି ତା’ ନିକଟରେ ହାତଯୋଡ଼ି ବିଦ୍ୟା ଓ ଜ୍ଞାନ ମାଗୁଥିବା ମଣିଷଟି ତା’ର ଆଗାମୀ ପିଢ଼ିକୁ ମଧ୍ୟ ସମାନ ପରାମର୍ଶ ଦିଏ ଓ ଅନୁକରଣ ପାଇଁ ଏକରକମର ବାଧ୍ୟ କରେ ।
ଏଇଟା ହିିଁ ଆମ ପରମ୍ପରା ।