କଶ୍ମୀର ପଣ୍ଡିତଙ୍କୁ ଝୁରୁଛନ୍ତି ମା’ ଶାରଦା

ହିନ୍ଦୁ ଧର୍ମର ଆରାଧ୍ୟ ମା’ ସରସ୍ୱତୀଙ୍କ ପ୍ରାଚୀନ ମନ୍ଦିର ଭାବେ ପରିଚିତ ଶାରଦା ପୀଠ ଦୀର୍ଘ ୭୫ ବର୍ଷ ଧରି ପିଓକେରେ….

ଶ୍ରୀନଗର: ‘ପାକ୍‌ ଅଧିକୃତ କଶ୍ମୀର ବା ପିଓକେ, ଭାରତର ଅଂଶବିଶେଷ ଥିଲା, ରହିବ । ଭୋଳାନାଥ ଶିବଙ୍କ ରୂୁପରେ ବାବା ଅମରନାଥ ଆମ ଗହଣରେ, ଅଥଚ ମା’ ଶାରଦା ସୀମା ନିୟନ୍ତ୍ରଣ ରେଖା ଆରପଟେ । ଅସମ୍ଭବ ।’ କାରଗିଲ ବିଜୟ ଦିବସ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭାବବିହ୍ୱଳ ବୟାନ ଏବେ ଆଲୋଚନାର ବିଷୟ ପାଲଟିଛି ।

ହିନ୍ଦୁ ଧର୍ମର ଆରାଧ୍ୟ ମା’ ସରସ୍ୱତୀଙ୍କ ପ୍ରାଚୀନ ମନ୍ଦିର ଭାବେ ପରିଚିତ ଶାରଦା ପୀଠ ଦୀର୍ଘ ୭୫ ବର୍ଷ ଧରି ପିଓକେରେ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ । କଶ୍ମୀର ପଣ୍ଡିତଙ୍କ ଆରାଧ୍ୟ ଦେବୀ ଭାବେ ମା’ ଶାରଦା ପୂଜା ପାଉଥିଲେ । ଅଷ୍ଟାଦଶ ଶତାବ୍ଦୀ ଅମଳର ୧୮ଟି ମହାଶକ୍ତି ପୀଠ ଭିତରୁ ଶାରଦା ପୀଠ ଅନ୍ୟତମ । କୁହାଯାଏ, ଉକ୍ତ ସ୍ଥାନରେ ମାତା ସତୀଙ୍କ ଡାହାଣ ହାତ ପଡ଼ିଥିଲା ।

ନୀଲମ, ମଧୁମତୀ ଓ ସରଗୁନ ନଦୀ ସଙ୍ଗମ ନିକଟରେ ଦଣ୍ଡାୟମାନ ହରମୁଖ ପାହାଡ଼ ଉପରେ ପ୍ରାୟ ୬୫୦୦ ଫୁଟ ଉଚ୍ଚରେ ଶାରଦାଙ୍କ ପୀଠ ଅବସ୍ଥିତ । ପିଓକେସ୍ଥିତ ମୁଜାଫରବାଦଠାରୁ ପ୍ରାୟ ୧୪୦ କିମି ଓ କଶ୍ମୀର ଅନ୍ତର୍ଗତ କୁପୱାଡ଼ାଠାରୁ ମାତ୍ର ୩୦ କିମି ଦୂରରେ ଅଛି । ଭାରତ ଓ ପାକିସ୍ତାନ ବିଭାଜନ ପୂର୍ବରୁ ଶାରଦା ପୀଠ, ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିର ଓ ଅମରନାଥ ଗୁମ୍ଫାକୁ ଜମ୍ମୁ-କଶ୍ମୀରର ତିନୋଟି ପ୍ରମୁଖ ତୀର୍ଥପୀଠ ଭାବେ ଗଣାଯାଉଥିଲା ।

ଐତିହାସିକମାନେ ମା’ ଶାରଦାଙ୍କ ମନ୍ଦିର ନିର୍ମାଣ ସମ୍ପର୍କରେ ନାନା ମତପ୍ରଦାନ କରିଛନ୍ତି । ତେବେ ସେଗୁଡ଼ିକ ଭିତରୁ ଗୋଟିଏ ମତକୁ ପ୍ରାୟ ସମସ୍ତେ ମାନିବାକୁ ବାଧ୍ୟ ହେଉଛନ୍ତି । ଖ୍ରୀଷ୍ଟପୂର୍ବ ୨୭୩ରେ ସମ୍ରାଟ ଅଶୋକଙ୍କ ଶାସନ କାଳରେ ମା’ ଶାରଦାଙ୍କ ପୀଠ ନିର୍ମାଣ କରାଯାଇଥିବା ମତବାଦକୁ ଅଧିକାଂଶ ଖଣ୍ଡନ କରିଛନ୍ତି । କିଛି ଐତିହାସିକଙ୍କ ମତରେ କୁଶାଣ ବଂଶ ଅମଳରେ ମନ୍ଦିର ନିର୍ମାଣ କରାଯାଇଥିଲା । କିନ୍ତୁ ସେ ସମ୍ପର୍କରେ ଗବେଷକଙ୍କ ପାଖରେ ବଳିଷ୍ଠ ପ୍ରମାଣ ନାହିଁ ।
ବୌଦ୍ଧ ଧର୍ମାବଲମ୍ବୀଙ୍କ ନିକଟରେ ଶାରଦା ପୀଠର ଗୁରୁତ୍ୱ ସର୍ବାଧିକ ଥିବାର ପ୍ରମାଣ ମିଳିଛି । ପ୍ରସିଦ୍ଧ ଗବେଷକ ଫୈଜଉର ରେହମାନଙ୍କ ସୂଚନା ମୁତାବକ କଶ୍ମୀର ରାଜା ଲଳିତାଦିତ୍ୟ ମୁକ୍ତପିଣ୍ଡଙ୍କ ଅମଳରେ ମା’ ଶାରଦାଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । ଲଳିତାଦିତ୍ୟ ଖ୍ରୀଷ୍ଟପୂର୍ବ ୭୨୪ରୁ ୭୬୦ ପର୍ଯ୍ୟନ୍ତ କଶ୍ମୀରକୁ ଶାସନ କରିଥିଲେ । ତାଙ୍କରି ସମୟରେ ଶାରଦାଙ୍କ ମନ୍ଦିର ନିର୍ମାଣ କରାଯାଇଥିବାର ପ୍ରମାଣ ମିଳେ । ଗବେଷକ ରେହମାନ କହନ୍ତି ଯେ ରାଜା ଲଳିତାଦିତ୍ୟ ହିନ୍ଦୁଧର୍ମର ବହୁ ଦେବାଦେବୀ ମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ଅମଳରେ ନିର୍ମିତ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିର ନିର୍ମାଣଶୈଳୀ ସହ ଶାରଦା ମନ୍ଦିର ନିର୍ମାଣଶୈଳୀର ସାମଞ୍ଜସ୍ୟ ରହିଛି । ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ରଚିତ ନୀଳମତ ପୁରାଣରୁ ପ୍ରାଚୀନ କଶ୍ମୀର ସମ୍ପର୍କରେ ବହୁ ଗୂଢ଼ତଥ୍ୟ ବର୍ଣ୍ଣନା କରାଯାଇଛି ।

ଏକାଦଶ ଶତାବ୍ଦୀରେ କଶ୍ମୀର କବି ବିହ୍ଲଣ ତାଙ୍କ ରଚନାରେ ଶାରଦା ପୀଠର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ଏକାଦଶ ଶତାବ୍ଦୀରେ ଭାରତ ପରିଭ୍ରମଣରେ ଆସିଥିବା ପାର୍ସୀ ପଣ୍ଡିତ ଅଲ-ବରୁନୀ ତାଙ୍କ ରଚିତ ପୁସ୍ତକରେ ମୁଲତାନ ସୂର୍ଯ୍ୟ ମନ୍ଦିର, ସ୍ଥାନେଶ୍ୱର ମହାଦେବ ମନ୍ଦିର ଓ ସୋମନାଥ ମନ୍ଦିର ସହ ଶାରଦା ପୀଠ ସମ୍ପର୍କରେ ଲେଖିଛନ୍ତି । ଦ୍ୱାଦଶ ଶତାବ୍ଦୀରେ କଶ୍ମୀର କବି କହ୍ଲଣଙ୍କ ରଚିତ ପୁସ୍ତକ ରାଜତରଙ୍ଗିଣୀରେ ଶାରଦା ପୀଠକୁ ପ୍ରମୁଖ ପୂଜାର୍ଚ୍ଚନା ପୀଠ ଭାବେ ବର୍ଣ୍ଣନା କରାଯାଇଛି ।

ଷୋଡ଼ଶ ଶତାବ୍ଦୀରେ ସମ୍ରାଟ ଆକବରଙ୍କ ନବରତ୍ନଙ୍କ ଭିତରୁ ଅବୁଲ ଫଜଲ ତାଙ୍କ ପୁସ୍ତକରେ ଶାରଦା ପୀଠକୁ ପ୍ରସ୍ତରରେ ନିର୍ମିତ ମହାନ୍‌ ଶକ୍ତିପୀଠ ରୂପେ ଦର୍ଶାଇ ଲେଖିଛନ୍ତି ଯେ ପ୍ରତି ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶାରଦାଙ୍କ ମନ୍ଦିରରେ ଅସାଧାରଣ ଦୈବୀଶକ୍ତି ଅନୁଭୂତ ହୋଇଥାଏ । ଅଷ୍ଟମୀ ତିଥିରେ ମନ୍ଦିର ସାମାନ୍ୟ ହଲୁୂଥିବାର ଅନୁଭବ କରାଯାଏ।