ମହା ଶିବରାତ୍ରୀ ୨୦୨୫: ଖାଡ଼ା ଉପାସ ରହି ବ୍ରତ ପାଳୁଛନ୍ତି, ଗ୍ରହଣ କରନ୍ତୁ ଏହି ୫ ପ୍ରକାର ଖାଦ୍ୟ

ମହା ଶିବରାତ୍ରୀ ଅବସରରେ ଅଧିକାଂଶ ହିନ୍ଦୁ ଶ୍ରଦ୍ଧାଳୁ ଉପବାସ କରିଥାନ୍ତି । କେହି କେହି ଦିନ ତମାମ ଖାଡ଼ା ଉପାସ ରୁହନ୍ତି ତ କେହି ଫଳ ଆହାର କରିଥାନ୍ତି ।
ଫେବୃଆରୀ ୨୬ ତାରିଖ ଦିନ ପବିତ୍ର ଜାଗର ଯାତ୍ରା । ଶ୍ରଦ୍ଧାଳୁଙ୍କ ସମାବେଶରେ ସାରାଦେଶର ପ୍ରତି ଶୈବପୀଠ ଚଳଚଂଚଳ ହେବ । ସମସ୍ତଙ୍କ ମନରେ ଗୋଟିଏ ଆଶା, ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବେ । ପ୍ରଭୁ ସଦାଶିବ, କୋପେ ବର ନହେଲେ ତପେ ବର ।

ଭୋଳାନାଥଙ୍କ ଆଶିଷ ପାଇବା ପାଇଁ କିଛି ଶ୍ରଦ୍ଧାଳୁ ଦିନ ସାରା ଲେମ୍ବୁ ପାଣି ପିଇ ବ୍ରତ ପାଳନ କରନ୍ତି । କେହି କେହି ନିର୍ଜଳା (ପାଣି ପିଅନ୍ତି ନାହିଁ କି ଫଳରସ ପିଅନ୍ତି ନାହିଁ) ବ୍ରତ କରିଥାନ୍ତି । କିଛି ଶ୍ରଦ୍ଧାଳୁ ଫଳାହାର କରିଥାନ୍ତି । କିଛି ସାତ୍ୱିକ ଖାଦ୍ୟ ସେବନ କରିଥାନ୍ତି । ଶ୍ରଦ୍ଧାଳୁମାନେ ପ୍ରଭୁ ଭୋଳାନାଥଙ୍କୁ ଭାଙ୍ଗ, ଫଳ, ମହୁ, ଘିଅ, ମିଠା ଓ ଖିର ଚଢ଼ାଇଥାନ୍ତି । ଲୋକମାନେ ଏକଜୁଟ ହୋଇ ଶିବଲିଙ୍ଗକୁ ପୂଜାର୍ଚ୍ଚନା କରିଥାନ୍ତି । ଦିନ ସାରା ଉପବାସ ରହିବା ଫଳରେ ଶରୀରରେ ଜଳ କମିଯାଏ । ବ୍ରତଧାରୀ ହାଲିଆ ଅନୁଭବ କରିପାରନ୍ତି । ଶରୀରକୁ ସତେଜ ଓ ସକ୍ରିୟ ରଖିବାକୁ ହେଲେ, ମାଖନ ସେବନ ଅତ୍ୟନ୍ତ ଉପାଦେୟ । ସାମାନ୍ୟ ହାଲୁକା ମାତ୍ର ପ୍ରଚୁର ଭିଟାମିନଯୁକ୍ତ ମାଖନ ଶରୀର ପାଇଁ ଶକ୍ତିବର୍ଦ୍ଧକ । ଅଧିକାଂଶ ଶ୍ରଦ୍ଧାଳୁ ବ୍ରତ ପାଳନ ସମୟରେ ସାବୁଦାନା ସେବନ କରନ୍ତି । ସାବୁଦାନାରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍‌ ଅଛି ।

କିଛି ଶ୍ରଦ୍ଧାଳୁ କଦଳୀ, ସେଓ, ପାଚିଲା ଅମୃତଭଣ୍ଡା ଗ୍ରହଣ କରିଥାନ୍ତି । କେହି କେହି ବେଲପଣା, ଲେମ୍ବୁପାଣି ପିଇଥାନ୍ତି । ବ୍ରତ ସମୟରେ ସାଲାଡ୍‌ ଖାଇବା ଉପାଦେୟ । କିଛି ଶ୍ରଦ୍ଧାଳୁ ଶୁଖିଲା ଖାଦ୍ୟ ଭାବେ ଆଲମଣ୍ଡ, କାଜୁ, କିସ୍‌ମିସ୍‌ ଗ୍ରହଣ କରନ୍ତି ।ଶରୀରକୁ ଫୂର୍ତି ରଖିଥାଏ ଚାଟ୍‌, ଫ୍ରୁଟ୍‌ ମିଲ୍‌କସେକ୍‌ସ । କିଛି ଶ୍ରଦ୍ଧାଳୁ ଖିର, ଦହି, ଛେନା ଓ ପନିର ଭଳି ଖିରଜାତ ଦ୍ରବ୍ୟ ଗ୍ରହଣ କରନ୍ତି । ଉପବାସରେ ରହୁଥିଲେ, ଗିଲାସେ ଖିର, ଗିଲାସେ ଫଳରସ, ଗିଲାସେ ଦହି, ଲହୁଣୀଭରା ଖିର ଗିଲାସେ ପିଇବା ଶରୀର ପାଇଁ ହିତକାରକ । ଅଧିକାଂଶ ଶ୍ରଦ୍ଧାଳୁ ଜାଣନ୍ତି ନାହିଁ ଯେ ଉପାସ ଦିନ ଆପଣ ଆଳୁ ଚିପ୍ସ ସେବନ କରିପାରିବେ । ଆଳୁ ଚିପ୍‌ସରେ ପିଆଜ, ଅଦା, ରସୁଣ ଅବା ହଳଦୀ ପଡ଼ି ନଥାଏ । ଶ୍ରଦ୍ଧାଳୁମାନେ ଆଳୁ ପକୋଡା, ଆଳୁ ଖିଚିଡ଼ି, ଆଳୁ ଟିକ୍‌କି, ଆଳୁରେ ତିଆରି ହାଲ୍‌ୱା ସେବନ କରିପାରନ୍ତି । ତେବେ ଆଳୁରେ ତିଆରି ଯେକୌଣସି ଖାଦ୍ୟରେ ଟିକିଏ ସୈନ୍ଧବ ଲବଣ ପକାଇ ସେବନ କରିବେ ।