ମହା ଶିବରାତ୍ରୀ ୨୦୨୫: ହସୁଛି ପୁରୁଣା ଭୁବନେଶ୍ୱର, କେବଳ ଲିଙ୍ଗରାଜଙ୍କୁ ସୁରକ୍ଷା ଦେବ ୪୦ ପ୍ଲାଟୁନ୍‌ ପୁଲିସ

ପବିତ୍ର ଜାଗର ଯାତ ପାଳନ କରିବା ପାଇଁ ଭକ୍ତ ଓ ସରକାର ଲାଗି ପଡ଼ିଛନ୍ତି । ଭଗବାନ ଶିବଙ୍କ ପୂଜାର୍ଚ୍ଚନା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରାୟ ସରିଆସିଲାଣି । ସେହି କ୍ରମରେ ଆମେ ଭୁବନେଶ୍ୱର ଆରାଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହା ଶିବରାତ୍ରୀ ପାଳନ ସଂପର୍କୀତ ଖବର ସଂଗ୍ରହ କରିଛୁ ।

ପୁରୁଣା ଭୁବନେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭକ୍ତଙ୍କ ସୁରକ୍ଷା, ଜରୁରୀକାଳୀନ ସହାୟତା ପାଇଁ ଅଗ୍ନିଶମ ବାହିନୀ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାକୁ ତୟାର କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ସୂଚନା ମୁତାବକ ଶତାଧିକ ପୁଲିସ ଅଧିକାରୀଙ୍କୁ ମନ୍ଦିର ସୁରକ୍ଷା କାମରେ ନିୟୋଜିତ କରାଯାଇଛି । ୨୬ ତାରିଖ ପ୍ରତ୍ୟୁଷରୁ ପୁଲିସ ବାହିନୀ ଲିଙ୍ଗରାଜ ମନ୍ଦିର ନିକଟରେ ରୁଣ୍ଡ ହୋଇଯିବ । ଜାଗର ଯାତକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସକ୍ରିୟ ସହଯୋଗ କାମନା କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ।

ଅସାମାଜିକ ଲୋକ ଓ ଚୋରଙ୍କ ପ୍ରତି ସତର୍କ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତାଗିଦ୍‌ କରାଯାଇଛି । ସନ୍ଦେହଜନକ ବସ୍ତୁ ଦୃଷ୍ଟିରେ ପଡ଼ିବା କ୍ଷଣି ପୁଲିସ କର୍ମଚାରୀଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ପୁରୁଣା ଭୁବନେଶ୍ୱର ଅନ୍ତର୍ଗତ କପିଳେଶ୍ୱର ମନ୍ଦିର, କେଦାରନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ସବୁ ଶୈବପୀଠରେ ଗହଳି ଚହଳି ଆରମ୍ଭ ହୋଇଗଲାଣି । ସେବାୟତ, ପୁଲିସ କର୍ମଚାରୀ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ପ୍ରଭୁଙ୍କ କାମକୁ ସୁରୁଖୁରୁରେ ଶେଷ କରିବେ ।