ଗୁଣ୍ଡିଚା ମନ୍ଦିର ର ପଛପଟ ରାସ୍ତା ରେ ମାଟିଆପଡା ଛକରୁ ଟିକିଏ ଆଗକୁ ଗଲେ ପଡିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। କୁହାଯାଏ, ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ଵମେଧ ଯଜ୍ଞ ସମୟରେ କୋଟି କୋଟି ଗୋଦାନ କରିଥିଲେ ଓ ଦାନ ପୂର୍ବରୁ ସମସ୍ତ ଗୋରୁଙ୍କୁ ଗୋଟିଏ ସ୍ଥାନରେ ରଖିଥିଲେ। ଗୋରୁଙ୍କ ଖୁରା ରୁ ଏକ ବଡ଼ ଗାତ ସୃଷ୍ଟି ହୋଇଥିଲା ଓ ତାହା ଗୋମୂତ୍ରରେ ଭର୍ତ୍ତି ହୋଇ ଏକ ତୀର୍ଥ ପୁଷ୍କରିଣୀ ରେ ପରିଣତ ହୋଇଥିଲା। ସେଥିପାଇଁ ଲୋକଙ୍କର ବିଶ୍ୱାସ ଯେ, ଏହି ପୁଷ୍କରିଣୀ ରେ ସ୍ନାନ, ଶ୍ରାଦ୍ଧ ଓ ତର୍ପଣ କଲେ ସହସ୍ର ଅଶ୍ଵମେଧ ଯଜ୍ଞର ପୁଣ୍ୟ ମିଳିଥାଏ।
ପଞ୍ଚତୀର୍ଥ ରେ ହବିଷ୍ୟାଳି ମାନେ ପୁଷ୍କରିଣୀ ନିକଟରେ ପହଞ୍ଚିଲା ପରେ ପଥର ପାହାଚ ଦେଇ ଆଗକୁ ବଢି ପବିତ୍ର ପୁଷ୍କରିଣୀ ର ଜଳ ଛିଞ୍ଚନ କରି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଙ୍କ ର ଦର୍ଶନ କରିଥାନ୍ତି। ଶ୍ରୀ ନୀଳକଣ୍ଠେଶ୍ୱର ହେଲେ ପଞ୍ଚ ମହାଦେବ ବା ପଞ୍ଚୁପାଣ୍ଡବ ଙ୍କ ଭିତରେ କନିଷ୍ଠ ପାଣ୍ଡବ। ଦର୍ଶନ ସାରି ସାମ୍ନା ମନ୍ଦିର ରେ ଗୋପୀନାଥ ଦେବ ଙ୍କ ମନ୍ଦିରରେ ରାଧାକୃଷ୍ଣ ଙ୍କୁ ଦର୍ଶନ କରିବେ।।
ସେଠାରେ ସାମ୍ନା ସାମ୍ନି ଦୁଇଟି ମନ୍ଦିର ଅଛି, ଯେଉଁଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ପୂଜା ପାଉଛନ୍ତି। ଏହିଠାରେ ହନୁମାନ ଙ୍କ ର ଏକ ମନ୍ଦିର ମଧ୍ୟ ଅଛି।

ତୀର୍ଥ ପୁଷ୍କରିଣୀ ରୁ ଦର୍ଶନ ସାରି ଫେରିବା ବାଟରେ ଆଦି ନୃସିଂହ ଙ୍କ ମନ୍ଦିର ରେ ଦର୍ଶନ କରିବାର ବିଧି ରହିଛି। ମାସ ସାରା ଯେଉଁ ହବିଷ୍ୟାଳି ଏଠାରେ ପ୍ରାତଃ ସ୍ନାନ କରନ୍ତି, ସେମାନେ ନିଶ୍ଚିତ ଭାବରେ ଆଦି ନୃସିଂହ ଙ୍କ ଦର୍ଶନ କରନ୍ତି। ଯେଉଁ ମାନେ ଅନ୍ୟ ପୁଷ୍କରିଣୀ ରେ ସ୍ନାନ କରନ୍ତି, ସେମାନେ ଏହି ପଞ୍ଚୁକ ରେ ଦର୍ଶନ କରି ଥାଆନ୍ତି।
ଏହାଛଡା, ରଥଯାତ୍ରା ସମୟରେ ଠାକୁରଙ୍କ ସହ ନବ ଦିନ ଯାତ୍ରା କରୁଥିବା ଭକ୍ତ ମାନେ ପ୍ରତ୍ୟହ ଏହି ଇନ୍ଦ୍ରଦ୍ୟୁମ୍ନ ରେ ସ୍ନାନ କରିଥାନ୍ତି।
ଆଜିର ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ର ଏହି ଚୈତ୍ରିକ ପ୍ରଦକ୍ଷଣ ଆପଣ ମାନଙ୍କୁ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରିଥିବ।