ମହା ଶିବରାତ୍ରୀ: ପତର ଭିତରେ ସାର ଲୋ

ସୁଖସମୃଦ୍ଧି ପାଇଁ ଶିବଲିଙ୍ଗରେ ଚଢ଼ାନ୍ତୁ ବେଲପତ୍ର….

କୁହାଯାଏ, ମହା ଶିବରାତ୍ରୀ ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ ହୋଇଥିଲା । ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଦେବ ଓ ମା’ ପାର୍ବତୀଙ୍କର ପୂଜାର୍ଚ୍ଚନା କଲେ ସବୁ ମନସ୍କାମନା ପୂରଣ ହୁଏ । ବେଲପତ୍ର ବିନା ମହାଦେବଙ୍କ ପୂଜାର୍ଚ୍ଚନା ଅଧୁରା । ଶିବଲିଙ୍ଗ ଉପରେ ବେଲପତ୍ର ଚଢ଼ାଇଲେ; ସଦାଶିବ ଅତି ପ୍ରସନ୍ନ ହୋଇଥାନ୍ତି । କେଉଁ ବେଲପତ୍ର ଶିବଲିଙ୍ଗ ଉପରେ ଚଢ଼ାଇବା ଅତି ଶୁଭ ହୋଇଥାଏ; ସେ ସଂପର୍କରେ ପ୍ରତ୍ୟେକ ଲୋକ ଜାଣିବା ଦରକାର ।

ଶିବଙ୍କ ପୂଜାର୍ଚ୍ଚନାରେ ଛିଣ୍ଡି ଯାଇଥିବା ବେଲପତ୍ର ବ୍ୟବହାର କରାଯାଏନା । ବେଲପତ୍ରକୁ ଭଲ ଭାବରେ ଧୋଇବା ପରେ ଶିବଲିଙ୍ଗ ଉପରେ ଚଢ଼ାଯିବା ଉଚିତ । ବେଲପତ୍ର ଚିକ୍କଣ ଅଂଶଟି ଶିବଲିଙ୍ଗକୁ ଲାଗି ରହିବା ଉଚିତ । ବେଲପତ୍ର କେବେ ଅଇଁଠା ବା ବାସି ହୋଇ ନଥାଏ, ତେଣୁ ପୂଜାର୍ଚ୍ଚନା ପାଇଁ ବେଲପତ୍ର ନମିଳିଲେ, ଶିବଲିଙ୍ଗରୁ ଖସି ପଡ଼ିଥିବା ବେଲପତ୍ରକୁ ଧୁଆଧୋଇ କରି ପୁଣିଥରେ ପୂଜା କର୍ମରେ ବ୍ୟବହାର କରିପାରିବେ ।

ଶିବଲିଙ୍ଗ ଉପରେ ଗୋଟିଏ ବେଲପତ୍ର ଚଢ଼ାଇଲେ ଚଳିବ । ମାତ୍ର ଏଗାରଟି ନଚେତ୍‌ ଏକୋଇଶିଟି ବେଲପତ୍ର ଚଢ଼ାଯିବା ଅତ୍ୟନ୍ତ ଶୁଭଦାୟକ । ବେଲପତ୍ର ଚଢ଼ାଇ ନପାରିଲେ, ବେଲଗଛ ଦର୍ଶନ ମାତ୍ରକେ ସବୁ ପାପମୋଚନ ହୋଇଯାଏ । ବେଲପତ୍ର ତୋଳିବା ପୂର୍ବରୁ ଗଛକୁ ପ୍ରଣାମ କରିବା ଯେତିକି ଜରୁରୀ; ଭଗବାନ ମହାଦେବଙ୍କୁ ସ୍ମରଣ ସେତିକି ଜରୁରୀ । ଚତୁର୍ଥୀ, ଅଷ୍ଟମୀ ଓ ନବମୀ ତିଥିରେ ବେଲପତ୍ର ତୋଳିବା ଅନୁଚିତ । ସେହିପରି ପ୍ରଦୋଷ ବ୍ରତ, ଶିବରାତ୍ରୀ, ଅମାବାସ୍ୟା ଓ ସୋମବାର ବେଲପତ୍ର ତୋଳିବା ନିଷେଧ । ଅନ୍ୟ ତିଥିରେ ବେଲପତ୍ର ତୋଳି ପୂଜା କାର୍ଯ୍ୟରେ ବ୍ୟବହାର କରିବା ସର୍ବୋତମ।

ମହିଳାମାନେ ଶିବଲିଙ୍ଗ ଉପରେ ବେଲପତ୍ର ଚଢ଼ାଇଲେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି । ବେଲପତ୍ର ଚଢ଼ାଇବା ପରେ କମଣ୍ଡଳୁରେ ପାଣି ନେଇ ଶିବଲିଙ୍ଗ ଉପରେ ଢାଳିବା ଉଚିତ । ବେଲପତ୍ର ଉପରେ ଚନ୍ଦନରେ ‘ରାମ’ ନଚେତ୍‌ ‘ଓଁ ନମଃ ଶିବାୟ’ ଲେଖି ଶିବଲିଙ୍ଗ ଉପରେ ଚଢ଼ାଇଲେ, ସବୁ ମନୋସ୍କାମନା ପୂରଣ ହୋଇଥାଏ ।