ବିଶ୍ଵାମିତ୍ର ଏବଂ ବଶିଷ୍ଠଙ୍କ ମଧ୍ୟରେ ଏକ ବିବାଦ ଉଠିଥିଲା। ବିଶ୍ଵାମିତ୍ର ଥିଲେ ମହାନ୍ ତପସ୍ୱୀ। ସେ ନିଜର ତପଶ୍ଚର୍ଯ୍ୟା ବଳରେ ତ୍ରିଶଙ୍କୁଙ୍କ ପାଇଁ ସ୍ବର୍ଗଲୋକ ଏବଂ ମର୍ତ୍ତ୍ୟଲୋକ ମଧ୍ୟରେ ଏକ ନୂତନ ଲୋକ ସୃଷ୍ଟି କରିପାରିଥିଲେ। ବିଶ୍ଵାମିତ୍ର ବଶିଷ୍ଠଙ୍କୁ କହିଲେ, “ଏହି ସଂସାରରେ ଅନ୍ୟାନ୍ୟ ସମସ୍ତ ବସ୍ତୁଠାରୁ ତପସ୍ୟା ଶ୍ରେଷ୍ଠ।” ମୁନି ବଶିଷ୍ଠ ଏ କଥାର ପ୍ରତିବାଦ କରି କହିଲେ, “ସତ୍ସଙ୍ଗ ତପଶ୍ଚର୍ଯ୍ୟାଠାରୁ ମଧ୍ୟ ଶ୍ରେଷ୍ଠ।” ଏହି ବିବାଦର ସମାଧାନ ସକାଶେ ଉଭୟେ ପ୍ରଜାପିତା ବ୍ରହ୍ମାଙ୍କର ମତ ପ୍ରାପ୍ତି ପାଇଁ ତାଙ୍କ ନିକଟରେ ଉପଗତ ହେଲେ, ମାତ୍ର ବ୍ରହ୍ମା ଉଭୟଙ୍କୁ ଭଗବାନ ଶିବଙ୍କ ନିକଟକୁ ପଠାଇଦେଲେ।
ତାପରେ ଉଭୟେ ଶିବଙ୍କ ବିଚାର ତଥା ଅନ୍ତିମ ନିର୍ଣ୍ଣୟ ଜାଣିବା ନିମିତ୍ତ ଭଗବାନ ଶିବଙ୍କ ନିକଟରେ ପହଞ୍ଚିଲେ। ମାତ୍ର ଭଗବାନ ଶିବ ତାଙ୍କୁ ଭଗବାନ ବିଷ୍ଣୁଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଲେ। ଉଭୟ ମୁନି ପୁଣି ଭଗବାନ ବିଷ୍ଣୁଙ୍କ ନିକଟକୁ ଯିବାରୁ ଭଗବାନ ବିଷ୍ଣୁ କହିଲେ, “ମୁଁ ଏହାର ନିର୍ଣ୍ଣୟ କରିପାରିବି ନାହିଁ। ଦୟାପୂର୍ବକ ଆପଣମାନେ ନାଗରାଜ ଆଦିଶେଷଙ୍କ ନିକଟକୁ ଯାଆନ୍ତୁ। ସେ ତାଙ୍କର ସହସ୍ର ଜିହ୍ବାରେ ସର୍ବଦା ରାମନାମ ଜପ କରନ୍ତି। ସେ ଜଣେ ମହାନ୍ ଭକ୍ତ ଓ ଅତ୍ୟନ୍ତ ବୁଦ୍ଧିମାନ୍। ତେଣୁ ଅନ୍ତିମ ନିର୍ଣ୍ଣୟ ପାଇଁ ସେ ହିଁ ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି।”
ଶେଷରେ ଉଭୟ ଋଷି ଆଦିଶେଷଙ୍କ ନିକଟରେ ପହଞ୍ଚି ନିଜ ନିଜର ଦୃଷ୍ଟିକୋଣ ଉପସ୍ଥାପନ କଲେ। ଆଦିଶେଷ ସବୁ ଶୁଣିବା ପରେ କହିଲେ, “ନିଶ୍ଚିତ ଭାବରେ ମୁଁ ଆପଣମାନଙ୍କ ନିକଟରେ ମୋର ନିଜସ୍ବ ମତ ବ୍ୟକ୍ତ କରିବି, ମାତ୍ର ଦୟାପୂର୍ବକ ମୋର ଶୀର୍ଷରୁ ପୃଥ୍ବୀର ଭାରକୁ ଓହ୍ଲାଇ ଦିଅନ୍ତୁ ଯାହା ଫଳରେ ଏହି ବିଷୟରେ ମୋର ବିଚାରକୁ ପ୍ରକଟ କରିପାରିବି।” ତଦନନ୍ତର ଉଭୟ ଋଷି ପଚାରିଲେ, “ହେ ଆଦିଶେଷ ! କୃପାକରି ଆମକୁ ସେହି ବିଧି ବତାଇ ଦିଅନ୍ତୁ ଯେପରି ଆମେ ଆପଣଙ୍କର ଭାର ଓହ୍ଲାଇ ପାରିବୁଁ।” ଆଦିଶେଷ କହିଲେ, “ଯଦି ଆପଣ ଆପଣଙ୍କର ତପସ୍ୟା ଏବଂ ସତ୍ସଙ୍ଗର ଫଳ ମୋତେ ଅର୍ପଣ କରିବେ ତ ମୁଁ ଭାରମୁକ୍ତ ହୋଇଯିବି।” ଏହା ଶୁଣିବା ପରେ ବିଶ୍ଵାମିତ୍ର କହିଲେ, “କ’ଣ ଏତିକି ! ଏବେ ମୁଁ ମୋର ଶତବର୍ଷର ତପସ୍ୟାର ଫଳ ଆପଣଙ୍କୁ ସମର୍ପଣ କରୁଛି।” ଆଦିଶେଷ ଭାରମୁକ୍ତ ହେଲେ ନାହିଁ। ଏହା ଦେଖି ବିଶ୍ଵାମିତ୍ର ପୁଣି କହିଲେ, “ଏବେ ମୁଁ ମୋର ସହସ୍ର ବର୍ଷର ତପସ୍ୟାର ଫଳ ଆପଣଙ୍କୁ ସମର୍ପଣ କରୁଛି।” ତଥାପି ଆଦିଶେଷ ଭାରମୁକ୍ତ ହୋଇ ପାରିଲେ ନାହିଁ। ଶେଷରେ ବିଶ୍ଵାମିତ୍ର କହିଲେ, “ଏବେ ମୁଁ ମୋର ସମଗ୍ର ଜୀବନକାଳର ତପସ୍ୟାର ଫଳ ଆପଣଙ୍କୁ ସମର୍ପଣ କରୁଛି।” ଏହାଦ୍ବାରା ମଧ୍ୟ ଆଦିଶେଷ ଭାରମୁକ୍ତ ହୋଇ ପାରିଲେ ନାହିଁ।
ଏସବୁ ଦେଖି ଶେଷରେ ବଶିଷ୍ଠ କହିଲେ, “ମୁଁ ଗୋଟିଏ କ୍ଷଣର ସତ୍ସଙ୍ଗର ଫଳ ଆପଣଙ୍କୁ ସମର୍ପଣ କରୁଛି।” ଏତିକି କହିଲା ମାତ୍ରେ ଆଦିଶେଷ ଭାରମୁକ୍ତ ହୋଇଗଲେ।
ଋଷି ବିଶ୍ଵାମିତ୍ରଙ୍କର ମସ୍ତକ ଲଜ୍ଜାରେ ଅବନତ ହୋଇଗଲା। ସେ ଆଦିଶେଷ ବା ବଶିଷ୍ଠଙ୍କୁ ଗୋଟିଏ ଶବ୍ଦ ମଧ୍ୟ କହିପାରିଲେ ନାହିଁ। ଭଲଭାବରେ ସେ ଜାଣିଗଲେ ଯେ ସତ୍ସଙ୍ଗ ତପସ୍ୟାଠାରୁ ମଧ୍ୟ ଶ୍ରେଷ୍ଠ।(କ୍ରମଶଃ)