ମହାଭାରତ ଯୁଦ୍ଧ ର ପ୍ରକୃତ ସ୍ରଷ୍ଟା ଧୀବର କନ୍ୟା

ମତ୍ସ୍ୟଗନ୍ଧା ରୁ ମହାଭାରତ: ଏଣେ ହସ୍ତିନାପୁରର ରାଜା ଶାନ୍ତନୁ ନିଜର ପ୍ରଥମ ସ୍ତ୍ରୀ ଗଙ୍ଗାଙ୍କୁ ହରାଇ ମ୍ରିୟମ୍ରାଣ ହୋଇ ପଡ଼ିଥିଲେ I ଗଙ୍ଗାଙ୍କ ସହିତ ମିଳନର ଫଳ ସ୍ୱରୂପ ପ୍ରାପ୍ତ ପୁତ୍ର ଦେବବ୍ରତଙ୍କୁ ଯୁବରାଜ ପଦ ରେ ଅଧିଷ୍ଠିତ କଲେ ଓ ପରବର୍ତ୍ତୀ ସମ୍ରାଟ ପାଇଁ ତାଙ୍କ ନାମ ପ୍ରସ୍ତାବିତ କରିସାରିଲା ପରେ ପତ୍ନୀ ହରାଇ ଥିବାର ଦୁଃଖ ଲାଘବ ପାଇଁ ନିକଟସ୍ଥ ଯମୁନା ନଦୀ କୂଳରେ ବିଚରଣ କରିବା ପାଇଁ ପ୍ରତି ସନ୍ଧ୍ୟାରେ ଯାଉଥିଲେ I ଏହି ଭଳି ଅନିର୍ଦ୍ଦିଷ୍ଟ ଭାବରେ ବୁଲା ବୁଲି କରୁଥିବା ସମୟରେ ଦିନେ ସେ କସ୍ତୁରୀର ଭୂରୁ ଭୁରୁ ସୁଗନ୍ଧ ଦ୍ୱାରା ଆକୃଷ୍ଟ ହୋଇ ଦାସରାଜଙ୍କ ଆବାସସ୍ଥଳୀରେ ପହଞ୍ଚି ତାଙ୍କ କନ୍ୟା ସତ୍ୟବତୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡ଼ିଲେ I ତାଙ୍କୁ ବିବାହ କରିବା ପାଇଁ କୈବର୍ତ୍ତ ରାଜାଙ୍କୁ ଅନୁରୋଧ କରନ୍ତେ ସେ ଗୋଟିଏ ସର୍ତ୍ତ ରଖିଲେ I ସର୍ତ୍ତଟି ଥିଲା ସତ୍ୟବତୀଙ୍କ ସନ୍ତାନ ମଧ୍ୟରୁ କେହି ଜଣେ ହସ୍ତିନାପୁରର ସିଂହାସନରେ ବସିବ I

କିନ୍ତୁ ରାଜା ଶାନ୍ତନୁ ସେତେବେଳକୁ ଯୁବରାଜ  ଦେବବ୍ରତଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିସାରିଥିଲେ ଏବଂ ସେଥିପାଇଁ ଧୀବରରାଜ ଙ୍କ ସର୍ତ୍ତ ପୂରଣ କରିବା ତାଙ୍କ ପକ୍ଷରେ ସମ୍ଭବପର ନ ଥିଲା । ସେଥିପାଇଁ ସେ ମନ ଦୁଃଖରେ ରାଜପ୍ରାସାଦକୁ ଫେରିଲେ ଓ ସବୁ ବେଳେ ମନ ମାରି ରହିଲେ I ଏକଥା ଦେବବ୍ରତଙ୍କ କାନରେ ପଡିବାରୁ ସେ କୈବର୍ତ୍ତରାଜଙ୍କୁ ଦେଖାକରି ତାଙ୍କ ସର୍ତ୍ତରେ ରାଜି ହେବା ସହିତ ଭବିଷ୍ୟତରେ ତାଙ୍କର ଦାୟାଦ ମାନେ ସିଂହାସନ ଉପରେ କାଳେ ଦାବି କରିବେ ସେଥି ପାଇଁ ଆଜୀବନ ଅବିବାହିତ ରହିବାର ଭୀଷ୍ମ ଶପଥ ନେଇ ଦେବବ୍ରତରୁ ଭୀଷ୍ମ ନାମରେ ନିଜର ଏକ ଅମଳିନ ପ୍ରତିଷ୍ଠା ସ୍ଥାପନ କଲେ I

ଭୀଷ୍ମଙ୍କ ସ୍ୱାର୍ଥ ତ୍ୟାଗ ଫଳରେ ରାଜା ଶାନ୍ତନୁଙ୍କ ସହିତ ସତ୍ୟବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେଲା I ସମୟକ୍ରମେ ସେମାନଙ୍କ କୋଳକୁ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇଟି ସନ୍ତାନ ଆସିଲେ ଓ ରାଜପ୍ରାସାଦରେ ଆନନ୍ଦର ଏକ ଉତ୍ତୁଙ୍ଗ ଲହରୀ ଖେଳି ଗଲା I କିନ୍ତୁ ଏହି ଆନନ୍ଦ ଚିରସ୍ଥାୟୀ ହୋଇ ପାରିଲା ନାହିଁ I ରାଜା ଶାନ୍ତନୁଙ୍କ ଅନ୍ତେ ତାଙ୍କ ବଡ଼ ପୁଅ ଚିତ୍ରାଙ୍ଗଦ ସିଂହାସନ ଆରୋହଣ କଲେ କିନ୍ତୁ ଗନ୍ଧର୍ବ ସେନାଙ୍କ ସହିତ ଯୁଦ୍ଧ କରୁ କରୁ ପ୍ରାଣ ହରାଇଲେ I ଏହା ପରେ ତାଙ୍କର ସାନ ଭାଇ ବିଚିତ୍ରବୀର୍ଯ୍ୟ ସିଂହାସନ ଆରୋହଣ କଲେ କିନ୍ତୁ ତାଙ୍କର ରାଜକାର୍ଯ୍ୟରେ କୌଣସି ଆଗ୍ରହ ନ ଥିଲା ଓ ସେ ନିଜର ଦୁଇ ସୁନ୍ଦରୀ ରାଣୀ ଅମ୍ବିକା ଓ ଅମ୍ବାଳିକାଙ୍କ ସହିତ ନିଜର କାମ ବାସନା ଚରିତାର୍ଥ କରିବାରେ ବ୍ୟସ୍ତ ରହିଲେ I ସେଥିପାଇଁ ବଡ଼ ଭାଇ ଭୀଷ୍ମ ତାଙ୍କ ତରଫରୁ ରାଜକାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିଲେ I କିନ୍ତୁ ବିଳାସ ବ୍ୟସନରେ ବ୍ୟସ୍ତ ଥିବା ବିଚିତ୍ରଵୀର୍ଯ୍ୟ କ୍ଷୟ ରୋଗର ଶିକାର ହୋଇ ଅଦିନରେ ମୃତ୍ୟୁ ବରଣ କଲେ I

ରାଣୀମାତାଙ୍କର ମନେ ହେଲା ଭୀଷ୍ମଙ୍କ ପ୍ରତି ଅନ୍ୟାୟ କରିଥିବା କାରଣରୁ ତାଙ୍କର ନିଜର ପୁତ୍ର ଦ୍ବୟ ଅକାଳରେ ମୃତ୍ୟୁ ବରଣ କଲେ ଓ ସେଥିପାଇଁ ସେ ଭୀଷ୍ମଙ୍କୁ ରାଜ ସିଂହାସନ ଆରୋହଣ କରିବା ପାଇଁ ଅନୁରୋଧ କଲେ I କିନ୍ତୁ ନିଜର ପ୍ରତିଜ୍ଞା ଅନୁସାରେ ସିଂହାସନ ଅଧିକାର କରିବା ପାଇଁ ଭୀଷ୍ମ ମନା କରିଦେଲେ I ଏହା ପରେ ସତ୍ୟବତୀଙ୍କ ପାଖରେ ହସ୍ତିନାପୁର ପାଇଁ ଉତ୍ତରାଧିକାରୀ  କିଏ ହେବ ଏହା ଏକ ଦୁଃଖଦ ପ୍ରଶ୍ନ ହୋଇ ଛିଡ଼ା ହେଲା I ବିଚିତ୍ରଵୀର୍ଯ୍ୟଙ୍କ ଦୁଇ ଯୁବା  ବିଧବା ପତ୍ନୀଙ୍କ ପାଖରୁ ସନ୍ତାନ ଉତ୍ପାଦନ କରାଇ ପାରିଲେ ଉତ୍ତରାଧିକାରୀ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ତାଙ୍କର  ମନେ ହେଲା I

ଭୀଷ୍ମଙ୍କୁ ଡାକି ଏହି କାର୍ଯ୍ୟରେ ସହାୟତା କରିବା ପାଇଁ ଅନୁରୋଧ କରିବାରୁ କନିଷ୍ଠ  ଭାତୃବଧୂମାନେ ନିଜର କନ୍ୟା ସ୍ଥାନୀୟ ଓ ସେମାନଙ୍କ ସହିତ ଏଭଳି ଅନୈତିକ କାର୍ଯ୍ୟ ରେ ଲିପ୍ତ ହୋଇ ପାରିବେ ନାହିଁ ବୋଲି ସିଧା ସିଧା ମନା କରିଦେଲେ ।

ନିରାଶ ଓ ହତାଶ ରାଜମାତା ସତ୍ୟବତୀଙ୍କୁ ଋଷି ପରାଶରଙ୍କ କଥା ମନେ ପଡ଼ିଲା ଓ ସେ ନିଜର ଜ୍ୟେଷ୍ଠ ପୁତ୍ର ବେଦବ୍ୟାସଙ୍କୁ ସ୍ମରଣ କଲେ I ତତକ୍ଷଣାତ ଆବିର୍ଭାବ ହୋଇ ତାଙ୍କ ପାଇଁ କି ଆଦେଶ ବୋଲି ମାତାଙ୍କୁ ଯୋଡ଼ହସ୍ତ ରେ ନିବେଦନ କଲେ ପୁତ୍ର ବେଦବ୍ୟାସ I ମାତାଙ୍କ ପାଖରୁ ସବୁ ଶୁଣିଲା ପରେ ଭୀଷ୍ମଙ୍କ ଭଳି ସେ ମଧ୍ୟ କନିଷ୍ଠ ଭାତୃବଧୂଙ୍କ ସହିତ ନିୟୋଗ ଯୋଗ ଦ୍ୱାରା ସନ୍ତାନ ଉତ୍ପନ୍ନ ପ୍ରକ୍ରିୟା ରେ ସମ୍ମିଳୀତ ହେବା ଅନ୍ୟାୟ ହେବ ବୋଲି ଜଣାଇଲେ କିନ୍ତୁ ଏତଦବ୍ୟତୀତ ହସ୍ତିନାପୁରର ସିଂହାସନ ପାଇଁ ଉପଯୁକ୍ତ ଦାୟାଦର ଜନ୍ମ ଅସମ୍ଭବ ଏବଂ ମାତାଙ୍କ ଆଦେଶ ଶିରୋଧାର୍ଯ୍ୟ ବୋଲି କହିବା ପରେ ବେଦବ୍ୟାସଙ୍କ ପକ୍ଷରେ ଏହି ଆଦେଶକୁ ଅମାନ୍ୟ କରିବା ଅସମ୍ଭବ ଥିଲା ଓ ଅନିଚ୍ଛା ସତ୍ତ୍ୱେ ଭାତୃପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସହିତ ନିଯୋଗ ଦ୍ୱାରା ପୁତ୍ର ଉତ୍ପାଦନ ପାଇଁ ସମ୍ମତ ହେଲେ I

ଶାଶୂ ସତ୍ୟବତୀ ବହୁତ ରାଣ ନିୟମ ପକାଇ ଦୁଇ ବୋହୂଙ୍କୁ ଏହି ଘୃଣ୍ୟ କର୍ମ ପାଇଁ ରାଜି କରାଇଲେ I ବେଦବ୍ୟାସ ଯେତେବେଳେ ପ୍ରଥମେ ବଡ଼ ଭଉଣୀ ଅମ୍ବିକାଙ୍କ କକ୍ଷରେ ପ୍ରବେଶ କଲେ , ତାଙ୍କର କୃଷ୍ଣ ବର୍ଣ୍ଣ , ଜଟାଜୁଟ ଓ ବଳ୍କଳ ଆଦି ପରିଧାନକୁ ଦେଖି ସେ ଭୟ ଓ ଘୃଣାରେ ନିଜର ଆଖି ବନ୍ଦ କରିନେଲେ I

କକ୍ଷ ତ୍ୟାଗ ସମୟ ରେ ମାତା ସତ୍ୟବତୀ ତାଙ୍କୁ ଦେଖାକରି ଫଳାଫଳ ବିଷୟରେ ପଚାରିବାରୁ ବେଦବ୍ୟାସ ଉତ୍ତର ଦେଲେ ଯେ ପୁତ୍ରଟିର ଦେହ ରେ ଏକସହସ୍ର ହାତୀର ବଳ ରହିବ ଓ ସୁସ୍ଥ ସବଳ ହେବ କିନ୍ତୁ ନିଯୋଗ ସମୟରେ ମାତା ଆଖି ବନ୍ଦ କରିଦେଇ ଥିବାରୁ ପିଲାଟି ଜନ୍ମରୁ ଦୃଷ୍ଟିହୀନ ହେବ I ଉକ୍ତ ପୁତ୍ର ର ନାମ ପଡ଼ିଲା ଧୃତରାଷ୍ଟ୍ର I

ସତ୍ୟବତୀଙ୍କ ମନ ଦୁଃଖରେ ଭରିଗଲା…ଏହା ପରେ ଅମ୍ବାଳିକାଙ୍କ ପାଳି I ବଡ଼ ଭଉଣୀ ଙ୍କ ଦୁର୍ଦ୍ଦଶା ବିଷୟ ଶୁଣି ଥିବାରୁ ନିଜେ ନ ଯାଇ ନିଜର ପରିଚାରିକା ‘ପରିଶ୍ରମୀ’ କୁ ଭଲ ଭାବରେ ବେଶ ପ୍ରସାଧନରେ ସଜ୍ଜିତ କରି ନିଜର ପ୍ରକୋଷ୍ଠରେ ଋଷିଙ୍କ ଅପେକ୍ଷାରେ ବସାଇ ରଖିଲେ I ବେଦବ୍ୟାସ ପହଞ୍ଚିବା କ୍ଷଣି ଦାସୀ ତାଙ୍କର ପଦ ବନ୍ଦନା କରି ଆଦରର ସହିତ ପଲଙ୍କ ଉପରେ ବସାଇ ସେବା ଯତ୍ନ କଲେ I

ବେଦବ୍ୟାସ ତ ସର୍ବଜ୍ଞ ! ସେ ଦାସୀଙ୍କୁ ଚିହ୍ନି ପାରିଲେ ଓ ଅଭୟ ଦେଲେ ଏବଂ ନିଯୋଗ କର୍ମ ପରେ କହିଲେ ଏଣିକି ତାଙ୍କର ଦାସତ୍ୱରୁ ମୁକ୍ତି ମିଳିବ ଓ ତାଙ୍କ ପୁତ୍ର ଵିଵେକୀ , ନ୍ୟାୟଵାନ ତଥା ସର୍ବଗୁଣ ସମ୍ପନ୍ନ ହେବ I ସେହି ପୁତ୍ରଟି ବିଦୁର ନାମରେ ବିଖ୍ୟାତ ହେଲେ I ଏକଥା ଯେତେବେଳେ ସତ୍ୟବତୀଙ୍କ କାନରେ ପଡିଲା ସେ ଅମ୍ବାଳିକାଙ୍କୁ ବାଧ୍ୟ କରି ବେଦବ୍ୟାସଙ୍କ ସହିତ ନିଯୋଗ କର୍ମରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଲେ I ଶାଶୂଙ୍କ ଦ୍ୱାରା ବାଧ୍ୟ ହୋଇ ଉକ୍ତ ରାତ୍ରିରେ ନିଯୋଗ କ୍ରିୟା ସମୟରେ ବେଦବ୍ୟାସଙ୍କର କୁତ୍ସିତ ଚେହେରା ଦେଖି ଅମ୍ବାଳିକା ଭୟରେ ଶେଥା ପଡ଼ି ଗଲେ I ତେଣୁ ତାଙ୍କ ପୁତ୍ରଟି ଜନ୍ମରୁ ଦୁର୍ବଳ ଓ ପାଣ୍ଡୁର ରଙ୍ଗ ଧାରଣ କରିଥିଲେ ଓ ତାଙ୍କ ନାମ ପଡିଥିଲା  ପାଣ୍ଡୁ I ଜ୍ୟେଷ୍ଠ ଭ୍ରାତା ଧୃତରାଷ୍ଟ୍ର ଜନ୍ମାନ୍ଧ ଥିବାରୁ କନିଷ୍ଠ ପାଣ୍ଡୁରାଜ ସିଂହାସନରେ ବସିଲେ । ଏହା ପରର କାହାଣୀ ପ୍ରାୟ ସମସ୍ତଙ୍କୁ ଜଣା! ତେଣୁ ବାସ୍ତବତା ଦୃଷ୍ଟିରୁ ମହାଭାରତ ଯୁଦ୍ଧ ର ପ୍ରକୃତ ସ୍ରଷ୍ଟା ହେଉଛନ୍ତି ଧୀବର କନ୍ୟା ସତ୍ୟବତୀ !

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି। ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା । )