ସର୍ବତ୍ୟାଗୀ ନିଜକୁ ସମୁଦ୍ର ପରି ବ୍ୟାପକ ଓ ଅଦ୍ବୟ ରୂପରେ ଦେଖେ
ନେହ ନାନାସ୍ତି କିଞ୍ଚନ, ଏକମେବାଽଦ୍ବିତୀୟଂ ବ୍ରହ୍ମ
ହେ ରାମ ! ସର୍ବତ୍ୟାଗୀ ଶରୀରର ଅହଙ୍କାର ଆଉ କରେ ନାହିଁ ବରଂ ସମସ୍ତ ସଂସାରରେ ନିଜକୁ ଅନୁଭବ କରେ। ସେ ହିଁ ସର୍ବ ହୋଇଯାଏ। ସର୍ବାତ୍ମା ହୋଇଯାଏ। ଯେପରି ସୁତା ମାଳାର ଅନେକ ମାଳିରେ ସୂତା ରହି ଥାଏ ଓ ସୁତାମାଳାର ମାଳିମାନଙ୍କର ଆଧାର ମଧ୍ୟ ସେହି ଗୋଟିଏ ସୁତା ହିଁ ଥାଏ। ସୁତାଠାରୁ ଭିନ୍ନ ସେଥିରେ ଅନ୍ୟ କିଛି ନ ଥାଏ। ଏହିପରି ହେ ରାମ !
ମତ୍ତଃ ପରତରଂ ନାନ୍ୟତ୍କିଂଚିଦସ୍ତି ଧନଞ୍ଜୟ। ମୟି ସର୍ବମିଦଂ ପ୍ରୋତଂ ସୁତ୍ରେ ମଣିଗଣା ଇବ।।- ୭/୭. ଗୀତା “ତୁ ମଧ୍ୟ ନିଜକୁ ଜାଣିବୁ ଯେ ମୁଁ ହିଁ ସର୍ବ ଅଟେ, ମୋ ଅତିରିକ୍ତ ଏଠାରେ କିଛି ବି ନାହିଁ”
ନେହ ନାନାସ୍ତି କିଞ୍ଚନ, ଏକମେବାଽଦ୍ବିତୀୟଂ ବ୍ରହ୍ମ।
ହେ ରାମ ! ଯିଏ ଏହି ଚିତ୍ତର ତ୍ୟାଗ କରିଦେଲା, ସେହି ସର୍ବତ୍ୟାଗୀ ସୁଖୀ ଅଟେ। ସର୍ବତ୍ୟାଗୀ ନିଜକୁ ସମୁଦ୍ର ପରି ବ୍ୟାପକ ଓ ଅଦ୍ବୟ ରୂପରେ ଦେଖେ. ତାହାକୁ ଅନ୍ୟର ଅଭାବରେ ଦୁଃଖ ଏବଂ ଭୟ ରହେ ନାହିଁ। ତେଣୁ ତୁମେ ସର୍ବରୂପ ଏହି ଚିତ୍ତକୁ ହିଁ ତ୍ୟାଗ କର। ଏହି ଚିତ୍ତକୁ ହିଁ ମନ, ଚିତ୍ତ, ଅହଙ୍କାର, ଅଜ୍ଞାନ, ମାୟା ଆଦି ନାମ ଦିଆଯାଇଛି।
ହେ ରାମ ! ବାହ୍ୟ ବସ୍ତୁ ତ୍ୟାଗ କରି ଭିକ୍ଷାବୃତ୍ତି କରି ଜୀବନ ବ୍ୟତୀତ କରିଲେ ଚିତ୍ତ ଆୟତ୍ତ ହୁଏନାହିଁ। ଚିତ୍ତ ଯେତେବେଳେ ସାଂସାରିକ ପଦାର୍ଥଠାରୁ ଆରମ୍ଭ କରି ସ୍ୱର୍ଗ, ବୈକୁଣ୍ଠର ପଦାର୍ଥ ପର୍ଯ୍ୟନ୍ତ ପାଇବାର ଇଚ୍ଛା କରେ ନାହିଁ, ସେତେବେଳେ ଚିତ୍ତ ଶାନ୍ତ ହୁଏ। ସେତେବେଳେ ସେ ନିର୍ବାସନିକ ହୁଏ। ଯେବେ ପର୍ଯ୍ୟନ୍ତ ଚିତ୍ତର ସ୍ଫୁରଣ ଅଛି, ସେତେ ପର୍ଯ୍ୟନ୍ତ ସର୍ବତ୍ୟାଗ ହୁଏ ନାହିଁ। ଯେତେବେଳେ ଏହି ଚିତ୍ତର ସ୍ଫୁରଣ ନିବୃତ୍ତ ହୁଏ ଅର୍ଥାତ ମୁଁ-ମୋର ଭାବ ସମାପ୍ତ ହୋଇଯାଏ ଓ ସର୍ବର ତ୍ୟାଗ କରି ଅଭିମାନ ରହିତ ହୋଇଯାଏ, ଯେତେବେଳେ ଚିତ୍ତର ଏହିପରି ଶୂନ୍ୟ ରୂପ ହେବ, ସେତେବେଳ ସେ ସର୍ବାତ୍ମା ହେବ। ଏଣୁ ଯଦି ଚିତ୍ତକୁ ତ୍ୟାଗ କରିବ, ତେବେ ସେହି ପଦକୁ ପ୍ରାପ୍ତ ହେବ। ଯେଉଁଥିରେ ଐଶ୍ଚର୍ଯ୍ୟ ସୁଖ ଅଛି, ଅଧିକରୁ ଅଧିକ ସୁଖ ଅଛି, ସେ ସବୁର ଆଧାର ଏହି ଆତ୍ମପଦ ଅଟେ। ଏହା ହିଁ ତୁମର ସ୍ୱରୂପ ଅଟେ।
ହେ ରାମ ! ଯାହାକୁ ଜାଣିବା ପରେ ଆଉ କାହାକୁ ଜାଣିବାକୁ ବା ପାଇବାକୁ ଇଚ୍ଛା ବାକି ରହେ ନାହିଁ। ଆତ୍ମବୋଧର ଵିଵେକୀକୁ କୌଣସି ଅନାତ୍ମ ପଦାର୍ଥ ପାଇବାର ଇଚ୍ଛା ବାକି ରହେ ନାହିଁ।
ବଶିଷ୍ଠ ପୁଣି କହିଲେ – ହେ ରାମ ! ଯେବେ ତୁମେ ଆତ୍ମପଦରେ ସ୍ଥିତ ହୋଇଯିବ, ତେବେ କାମନା, ବାସନା, ଇଚ୍ଛାରୁ ରହିତ ପୂର୍ଣ୍ଣ ନିର୍ବାସନିକ ହେବ ଓ ସେତେବେଳେ ଏହି କଳ୍ପିତ ସଂସାର ବୃକ୍ଷ ନଷ୍ଟ ହୋଇଯିବ। ଯେପରି ଅଣ୍ଡାରେ ପକ୍ଷୀ ଥାଏ, ବୀଜରେ ବୃକ୍ଷ ଥାଏ, ବୀର୍ଯ୍ୟରେ ସନ୍ତାନ ଥାଏ, ସେହିପରି ଚିତ୍ତରେ ଏହି ସଂସାର ଥାଏ। ଯେପରି ଅଣ୍ଡାର ନାଶରେ ପକ୍ଷୀର ନାଶ ଏବଂ ବୀଜର ନାଶରେ ଗଛ ବା ବୃକ୍ଷର ନାଶ ହୋଇଯାଏ, ସେହିପରି ଚିତ୍ତର ନାଶରେ ସଂସାରର ନାଶ ସ୍ୱତଃ ହୋଇଯାଏ। ଯେପରି ନିଦରେ ସ୍ବପ୍ନ ସଂସାର ହୁଏ, ନିଦ ଭାଙ୍ଗିଗଲେ ସେଥିରେ ଥିବା ସ୍ଵପ୍ନ ସଂସାର ମଧ୍ୟ ନାଶ ହୋଇଯାଏ, ଏହିପରି ବାସନାରେ ସଂସାର ଅଛି, ବାସନାର ନାଶ ହେଲେ ସଂସାର ମଧ୍ୟ ନାଶ ହୋଇଯାଏ। ଯେପରି ବୃକ୍ଷର କୋରଡ଼ରେ ଲୁଚି ରହିଥିବା ସାପ ବା ପକ୍ଷୀ ବୃକ୍ଷ ଜଳିଗଲେ ବୃକ୍ଷ ସହିତ ଜଳିଯାନ୍ତି, ସେହିପରି ଚିତ୍ତ ରୂପ ବୃକ୍ଷର ଶାଖା ସ୍ଥୁଳ ଓ ସୁକ୍ଷ୍ମ ଶରୀର ଅଟେ। ଏହି ଚିତ୍ତ ବୃକ୍ଷ ନଷ୍ଟ ହୋଇଯିବା ଦ୍ୱାରା ସେଥିରେ ସ୍ଥିତ ଦେହାଦି ଅହଙ୍କାର ମଧ୍ୟ ନଷ୍ଟ ହୋଇଯାଏ କିନ୍ତୁ ଶରୀର ନଷ୍ଟ ହୋଇଗଲେ ଚିତ୍ତର ନାଶ ହୁଏ ନାହିଁ। ଯେବେ ପର୍ଯ୍ୟନ୍ତ ଚିତ୍ତ ଅଛି, ବାରମ୍ବାର ଜନ୍ମ ଧାରଣ କରିବାକୁ ପଡିବ। ସେଥିପାଇଁ ଚିତ୍ତ ନାଶ କରିବା ଉପାୟ ଆତ୍ମଜ୍ଞାନ ତୁମେ ସଦଗୁରୁଙ୍କ ଠାରୁ ପ୍ରାପ୍ତ କର।
ହେ ରାମ ! ଜନ୍ମ-ମରଣ ଦୁଃଖରୁ ନିବୃତ୍ତି ପାଇବା ପାଇଁ ଆତ୍ମଜ୍ଞାନ ବ୍ୟତୀତ ଅନ୍ୟ କୌଣସି ସାଧନ ନାହିଁ। କ୍ରମଶଃ..