ବିଷ୍ଣୁ ଭଗବାନ ଗରୁଡ଼ କୁ ଧୀର ବଚନରେ କହୁଛନ୍ତି ହେ ଗରୁଡ଼ ଯମପୁର ବିଷୟରେ ଶୁଣ….ପ୍ରେତ ମାନଙ୍କର ଗମନାଗମନ କରିବା ପାଇଁ ଯେଉଁ ପଥ ଅଛି ତାକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ପୂର୍ବ ରେ ତିନୋଟି ପଥ ଅଛି ।ଦ କ୍ଷିଣ ଦିଗରେ ବହୁତ ଯାତନା ଅଛି । ପାପୀମାନେ ଯାତନା ମାର୍ଗ ଦେଇ ଗମନ କରି ନର୍କରେ ପଡନ୍ତି । ଧାର୍ମିକ ମାନେ ଉତ୍ତମ ପଥ ଦେଇ ଯାଆନ୍ତି । ଧର୍ମକାରୀ ଲୋକ ଧର୍ମ ସଭାକୁ ଯାଆନ୍ତି ।ଏମାନେ ପୂର୍ବ ଦ୍ୱାର ଦେଇ ଭିତରେ ପଶନ୍ତି।
ସର୍ଵସୁଖ ସେହି ପଥରେ ଗଲେ ମିଳେ । ସେଥି ପଥରେ ବିଭିନ୍ନ ପଶୁପକ୍ଷୀ ମଧୁର କଂଠରେ ରାଵ କରୁଥାନ୍ତି । ସୁବାସିତ ପୁଷ୍ପ ମାନେ ସେହି ପଥରେ ଫୁଟିଥାନ୍ତି ।ଦୁବ ଘାସରେ ବୃକ୍ଷମୂଳ ଶୋଭା ପାଉଥାଏ । ମଳୟ ପବନ ସବୁବେଳେ ଧୀରେ ଧୀରେ ଏହି ପଥରେ ବୁହେ । ସ୍ୱଚ୍ଛ ଝରଣା ପାଣି ବୋହିଯାଉ ଥାଏ । ଦେବର୍ଷି ଓ ମହର୍ଷି ମାନେ ଏହି ପଥରେ ଯୋଗରେ ବସିଥାନ୍ତି ।ଶିବ ଭକ୍ତ ମାନେ ଏହି ପଥରେ ଭ୍ରମଣ କରୁଥାନ୍ତି । ଗନ୍ଧର୍ବ ମାନେ ଗୀତ ଶୁଣୁଥାନ୍ତି ।
ଗ୍ରୀଷ୍ମ ସମୟରେ ଜଳଦାନ ଓ ଶୀତ ରେ ବସ୍ତ୍ର ଦାନ ,ତୁଷାର୍ତ୍ତ କୁ ଜଳ ଓ କ୍ଷୁଧାର୍ତ୍ତ କୁ ଅନ୍ନ ଯେଉଁମାନେ ଦେଇ ଥାଏ କୂପ ଖନନ ଓ କାଙ୍ଗାଳୀ ଭୋଜନ ଯେଉଁମାନେ ଦେଇଥାନ୍ତି ,ନିରାଶ୍ରୟ କୁ ଯେଉଁମାନେ ଆଶ୍ରୟ ଦେଇଥାନ୍ତି ,ଯେଉଁମାନେ ସବୁବେଳେ ସତ୍ୟ କହିଥାନ୍ତି , ଗୁରୁଜନ ଙ୍କୁ ଯେଉଁମାନେ ସଂମ୍ମାନ କରିଥାନ୍ତି,ଯେଉଁମାନ ଦୁଃଖୀ ରଙ୍କି ଙ୍କୁ ଦାନ ଦେଇ ସନ୍ତୁଷ୍ଟ କରିଥାନ୍ତି ସେହି ଲୋକମାନେ ଯମପୁରରେ ଏହି ପଥ ଦେଇ ଯାଇଥାନ୍ତି ।
ଯେଉଁଜନ ସଂକଳ୍ପ କରି ପୁରାଣ ଶୁଣେ ଓ ଶୁଣାଏ ,ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟା ଶିକ୍ଷା ଦିଏ ।ବାଳକ ମୁଖରେ ଆହାର ଯେଉଁମାନେ ଦେଇଥାନ୍ତି । ଦରିଦ୍ର ବ୍ରାହ୍ମଣଙ୍କୁ ଯିଏ ଭୂମି ଦାନ ଦିଏ ଯେଉଁମାନେ ଅଶ୍ୱମେଧ ଯଜ୍ଞ କରିଥାନ୍ତି ,ଗାଈ ସହିତ ବାଛୁରୀ କୁ ଯେଉଁମାନେ ଦାନ ଦେଇଥାନ୍ତି ,ଯମପୁରରେ ଏହି ବାଟ ଦେଇ ଭିତରକୁ ଯାଏ ।ଏଣୁ ମୋଟ ଉପରେ କହିବାକୁ ଗଲେ ଯମପୁରରେ ପୂର୍ବ ଦ୍ୱାର ଧାର୍ମିକ ବ୍ୟକ୍ତିଙ୍କ ପାଇଁ ଥାଏ ।
ଏହି ଦ୍ୱାରରେ ରଥ ,ଗଜ ,ଅଶ୍ୱ ,କୋଟି କୋଟି ସଂଖ୍ୟାରେ ଥାଆନ୍ତି ।ଅପ୍ସରା ମାନେ ନୃତ୍ୟ କରୁଥାନ୍ତି ।ନବରତ୍ନ ମାନଙ୍କ ବିମାନ ସବୁ ଏହି ପଥରେ ଥୁଆ ହୋଇଥାଏ ।ଏହାକୁ ଦେଖିଲେ ମନ ବିମୋହିତ ହୋଇଯାଏ ।ଅସମୟରେ ବସନ୍ତ ଏଠାରେ ଲାଗି ରହିଥାଏ । ହଂସ ,ସାରସ ଆଦି ପକ୍ଷୀ ମାନେ ଏଠାରେ ବିହରଣ କରୁଥାନ୍ତି । ମୟୁର ମାନେ ପୂଛ ଟେକି ନାଚ କରୁଥାନ୍ତି, କାମଧେନୁ ଗାଈ ଏହି ପଥରେ ଯାତାୟାତ କରୁଥାଏ । ରମଣୀ ୟ ପୁଷ୍କରିଣୀ ଏହି ପଥରେ ଅଛି । ବୈଷ୍ଣବ ଗଣ ଶ୍ରୀହରି ଙ୍କ ନାମ କୀର୍ତ୍ତନ କରୁଥାନ୍ତି ।ରକ୍ତପଦ୍ମ ଏହି ପଥ ରେ ଫୁଟିଥାଏ ।ଭ୍ରମର ମାନେ ମଧୁ ସଂଗ୍ରହ କରୁଥାନ୍ତି ।ପରମ ଜ୍ଞାନୀ ମାନଙ୍କର ଯୋଗ ସ୍ଥାନ ଏହି ପଥ ଅଟେ ।ଶାକ୍ତ ଭକ୍ତ ମାନେ ଏହି ପଥ ଦେଇ ଯାଇଥାନ୍ତି ।ଧର୍ମ ଯୁଦ୍ଧରେ ଯେଉଁମାନେ ମୃତ ସେମାନେ ଏହି ପଥ ଦେଇ ଯାଇଥାନ୍ତି ।ତୀର୍ଥ ରେ ଯେଉଁମାନେ ସ୍ନାନ କରିଥାନ୍ତି ସେମାନେ ଏହି ପଥ ଦେଇ ଯାଇଥାନ୍ତି । ଦେବ କାର୍ଯ୍ୟ ବାରଣାସୀ ରେ ସ୍ନାନ ,ସାଧୁ ସନ୍ଥ ବେଦଜ୍ଞ ବ୍ରାହ୍ମଣ ଏହି ପଥ ଦେଉ ଯାଇଥାନ୍ତି। ଏହି ପଥରେ ଅନ୍ୟ ମାନଙ୍କର ଯିବାପାଇଁ ଅଧିକାର ନାହିଁ ?।
ହେ ଗରୁଡ଼ !ପଶ୍ଚିମ ଦ୍ୱାର କଥା ଶୁଣ ……….
ପଶ୍ଚିମ ଦ୍ୱାରର ଶୋଭା କଥା କହିଲେ ନସରେ ।ମଣି ମାନ ସ୍ତମ୍ଭ ସେହି ପଥରେ ଖଞ୍ଜା ହୋଇଥାଏ ।ହୀରା ,ନୀଳା ଆଦି ସ୍ଥାନେ ସ୍ଥାନେ ସେ ପଥ ର ଖୁମ୍ବ ମାନଙ୍କରେ ଲଗାଯାଇ ଥାଏ ।ମାଳ ମାଳ ପ୍ରବାଳ ଖଞ୍ଜା ଯାଇଥାଏ ।ସବୁଆଡେ ତୋରଣ ଲାଗିଥାଏ ।ଦିନରାତି ଆଲୋକର ବ୍ୟବସ୍ଥା ଏହି ପଥରେ ଥାଏ ।ଚନ୍ଦ୍ର ରଶ୍ମୀ ଚନ୍ଦ୍ରକାନ୍ତ ଉପରେ ପଡି ଦାଉ ଦାଉ ହେଉଥାଏ ।ସେହି ପଥରେ ପୁଷ୍କରିଣୀ ଓ ଝରଣା ଅନେକ ଅଛି ।ନିରନ୍ତର ବେଦ ଧ୍ୱନି ଓ ହରି ଧ୍ୱନି ସେହି ପଥରେ ଚାଲିଥାଏ।ଯୋଗୀମାନେ ଯୋଗ ଓ ତପସ୍ୱୀ ମାନେ ସେହି ପଥରେ ତପସ୍ୟା କରୁଥାନ୍ତି ।ଐରାବତ ହସ୍ତୀ ପଲ ପଲ ହୋଇ ବୁଲୁଥାଆନ୍ତି ।ଉଚ୍ଚୈଶ୍ରବା ଅଶ୍ୱ ଏହି ପଥରେ ଥାଆନ୍ତି ।ଗନ୍ଧର୍ବ ମାନେ ନାଚ କରିଥାନ୍ତି ।
ଯେଉଁମାନେ ବିଷ୍ଣୁବ୍ରତ ଜନ ,ସତ୍ୟବନ୍ତ ,ଦାନଶୀଳ ପର ଉପକାରୀ ,ସିଦ୍ଧ ବୈଷ୍ଣବ ,ବିଷ୍ଣୁଭକ୍ତ ,ପୁରାଣ ଶ୍ରବଣ ,ପତି ବ୍ରତା ନାରୀ , ଯେଉଁମାନେ ପର ସ୍ତ୍ରୀକୁ ଦେଖିଲେ ମାତା ବୋଲି ସମ୍ବୋଧନ କରନ୍ତି ,ଦେବର୍ଷି ,ମହର୍ଷି ମାନେ ଏହି ପଥ ଦେଇ ଗମନ କରନ୍ତି ।
ହେ ଗରୁଡ଼ !ଆଉ ଏକ ଅଗମ୍ୟ ପଥ ଅଛି ।ମୋହର କାରଣ ଅଟେ ଏହି ଦ୍ୱାରଟି ।ଭୟ ସମୟରେ ଯିଏ ନାରାୟଣ ନାମ ଜପ କରେ ,ଯାହା ଦେହରେ କଳଙ୍କ ର କାଳିମା ନଥାଏ ,ପାପଶୁନ୍ୟ ଦେହ ଯାହାର ସେହି ଜନ ମାନଙ୍କ ମୃତ୍ୟୁ ସମୟରେ ବିଷ୍ଣୁ ଦୂତ ମାନେ ଆସି ନାନା ବାଦ୍ୟ ବଜାଇ ଏହି ପଥ ରେ ନେଇ ଯାଆନ୍ତି ।ଶେଷରେ ବୈକୁଣ୍ଠ ରେ ସେହି ଜନ ସ୍ଥାନ ପାଏ ।ଯେତେବେଳେ ଏମାନେ ଯମପୁର ଦେଇ ଯାଇଥାନ୍ତି ଯମରାଜ ସେମାନଙ୍କୁ କୋଳ କରି ନିଜ ସିଂହାସନ ଉପରେ ବସାଇଥାନ୍ତି
ମୃଦୁମନ୍ଦ ହସି କୋମଳ ବଚନରେ ଯମରାଜ ତାଙ୍କୁ ପଚାରନ୍ତି ଧନ୍ୟ ଧନ୍ୟ ତୁମେ ଧର୍ମକର୍ତ୍ତା ,ଧନ୍ୟ ତୁମ ଧାର୍ମିକତା । ଏହାପରେ ମର୍ତ୍ତ୍ୟ ଲୋକେ ଦାନ ଧର୍ମ କରିବା ଫଳରେ ଦେବ ନାରାୟଣ ଉଦ୍ଧାର କରିଥାନ୍ତି । ସେହି ପଥରେ ବିଷ୍ଣୁଦୂତ ରଥ ଧରି ଥାଆନ୍ତି ।ଧାର୍ମିକ ମାନଙ୍କୁ ରଥରେ ବସାଇ ବୈକୁଣ୍ଠ ଗମନ କରନ୍ତି।
ହେ ଗରୁଡ଼ ଏବେ ଦକ୍ଷିଣ ଦ୍ୱାର ବିଷୟରେ ଶୁଣ ……..
ଦକ୍ଷିଣ ଦ୍ୱାରଟି କେବଳ ପାପୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ।ଯେଉଁ ଜନ ମତ୍ତ ଗର୍ବରେ ଭୋଳ ହୋଇ ନିତି ପାପ କାର୍ଯ୍ୟ କରିଥାଏ ଦକ୍ଷିଣ ଦ୍ୱାର ଦେଇ ତାକୁ ଯିବାକୁ ପଡେ ।ଏହି ପାପୀମାନେ ବହୁତ ଦୁର୍ଦ୍ଦଶା ପାଇଥାନ୍ତି ।କେଉଁ ,କେଉଁ ,ଦୁର୍ଦ୍ଦଶା ଏମାନେ ପାଆନ୍ତି ସେ ବିଷୟରେ ଗରୁଡ଼ ମୁଁ ତୁମକୁ ପୂର୍ବରେ କହିଛି ।
ବୈକୁଣ୍ଠ ସାଇଁ କହୁଛନ୍ତି ହେ ପନ୍ନଗ ଆସନ! ତୁମେ ଯାହା ପଚାରିଲ ତାହା ମୁଁ ବିସ୍ତାର କରି ସବୁ କହିଲି ।ଆଉ ଯଦି ମନରେ କିଛି ପ୍ରଶ୍ନ ଅଛି ତୁମେ ତାହା ପଚାରିଲେ ମୁଁ ଅବଶ୍ୟ କହିବି । ଭଗବାନ ବିଷ୍ଣୁ ଙ୍କ ଏପରି ବଚନ ଶୁଣି ଗରୁଡ଼ କିଛି ନକହି ନାରାୟଣ ଦେବଙ୍କୁ ଓଳଗି ହେଲା ।ଭଗବାନ ବିଷ୍ଣୁ ଏତିକି କହି ମୌନ ହୋଇଗଲେ ।ଖଗପତି ପ୍ରଭୁଙ୍କୁ କୋଟି କୋଟି ପ୍ରଣାମ ଜଣାଇ ଆକାଶ ମାର୍ଗକୁ ଉଡ଼ିଗଲା ।।