କୋଟିଏ ଟଙ୍କାରୁ ୨୦ ଲକ୍ଷ ଗଣି ମହାଦାନୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଂଟର କଂଟିନେଂଟାଲ କପରେ ଦ୍ୱିତୀୟ ବାର ବିଜୟ ମୁକୁଟ ପିନ୍ଧିଛି ଭାରତ । ଏହି ଟୁର୍ଣ୍ଣାମେଂଟରେ ଚାରିଟି ଦେଶ ଖେଳିଥିଲେ । ଫାଇନାଲରେ ଭାରତ ତା’ଠାରୁ ଶକ୍ତିଶାଳୀ ଦେଶ ଲେବାନନକୁ ୨-୦ ବ୍ୟବଧାନରେ ପରାଜୟ କରିଥିଲା । ଉଦଯାପନୀ ଉତ୍ସବରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେତା ଦଳକୁ ଟଫି ପ୍ରଦାନ କରିବା ସହିତ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଅବଶ୍ୟ ଏହି ପୁରସ୍କାର ରାଶି ସାଢେ଼ ଚାରିକୋଟି ଖଟିଖିଆ ଲୋକଙ୍କ ଝାଳବୁହା ଧନରେ ଗଠିତ ରାଜକୋଷରୁ ଦେଇ ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସା ପାଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ।

ବିଜୟୀ ଭାରତୀୟ ଫୁଟବଲ ଦଳ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଘୋଷିତ କୋଟିଏ ଟଙ୍କାର ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ଟେକି ଦେଇଥିଲେ ବାହାନଗା ଟ୍ରେନ ଦୁର୍ଘଟଣାର ପୀଡ଼ିତଙ୍କ ଉଦ୍ଦେଶ୍ୟରେ । ଅଲ ଇଣ୍ଡିଆ ଫୁୁଟବଲ ଫେଡେରେଶନ ସଭାପତି କଲ୍ୟାଣ ଚୌବେ ଓଡ଼ିଶା ସରକାରଙ୍କ ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜନକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ସେଇ ପ୍ରଶଂସା ଓଡ଼ିଶାର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ।

ବଦାନ୍ୟତା ଦେଖାଇବାର ସଉକ ଥିଲେ କୋଟିଏ ଟଙ୍କାର ପୁରସ୍କାର ରାଶିରେ ଆଉ ଟଙ୍କାଟିଏ ମିଶାଇ ଓଡ଼ିଶା ସରକାରଙ୍କୁ ଦେଇ ପାରିଥାନ୍ତା ବିଜୟୀ ଭାରତୀୟ ଫୁଟବଲ ଦଳ । ମାତ୍ର କୋଟିଏ ଟଙ୍କାରୁ ୨୦ ଲକ୍ଷ ଟଙ୍କା ଦେଇ ଦାନୀପଣ ଦେଖାଇବାରେ କି ବାହାଦୁରି ବୋଲି ସମାଲୋଚନା କରିଛନ୍ତି ରାଜ୍ୟ ପଛୁଆ ବର୍ଗ ସଭାପତି ସୀତାରାମ ବେହେରା ।