ଆଇସିସି ର୍ୟାଙ୍କିଙ୍ଗରେ ବାବରଙ୍କ ଦବଦବା
ବିରାଟ କୋହଲି ନିଜର ଦମଦାର ବ୍ୟାଟିଂ ଯୋଗୁ ଏକଦା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ…
ଦୁବାଇ : ପାକିସ୍ତାନ ଅଧିନାୟକ ବାବର ଆଜମ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ନିଜ କ୍ଲାସ ଦେଖାଇ ବିଶ୍ୱର ସବୁ କ୍ରିକେଟ ପଣ୍ଡିତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି । କିଛି କ୍ରିକେଟ ପଣ୍ଡିତ ବାବରଙ୍କୁ ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରର ଆଖ୍ୟା ଦେଇଥିବା ବେଳେ ବିରାଟ କୋହଲି, କେନ ୱିଲିୟମସନ, ଷ୍ଟିଭ ସ୍ମିଥ ଓ ଜୋ ରୁଟଙ୍କ କ୍ଲବରେ ସାମିଲ କରିଛନ୍ତି । ବାବରଙ୍କୁ ନେଇ ଏପରି ଚର୍ଚ୍ଚା ଚାଲିଥିବା ବେଳେ ସେ ଆଇସିସି ବ୍ୟାଟିଂ ରାଙ୍କିଙ୍ଗରେ ନିଜର ଦବଦବା ଜାରି ରଖିଛନ୍ତି । ଉଭୟ ଟି-୨୦ ଓ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି ବାବର । ଆଇସିସି ପକ୍ଷରୁ ଜାରି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବାବର ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି । ସେ ଦୀର୍ଘ ଦିନ ଧରି ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବାରୁ ଏବେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ବିରାଟ କୋହଲି ନିଜର ଦମଦାର ବ୍ୟାଟିଂ ଯୋଗୁ ଏକଦା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ । କିନ୍ତୁ ବାବର ଏବେ ବିରାଟଙ୍କ ୧୦୧୩ ଦିନର ରେକର୍ଡକୁ ଅତିକ୍ରମ କରି ଯାଇଥିବା ଆଇସିସି ସୂଚନା ଦେଇଛି ।