ମୁଲତାନ : ପାକିସ୍ତାନ ଅଧିନାୟକ ବାବର ଆଜମ କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଭୁଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ବାବରଙ୍କ ବେଆଇନ ଫିଲ୍ଡିଂ ଯୋଗୁ ପାକିସ୍ତାନକୁ ୫ ରନର କ୍ଷତି ସହିବାକୁ ପଡ଼ିଛି । ବାବରଙ୍କ ପାଇଁ ୱେଷ୍ଟଇଣ୍ଡିଜକୁ ୫ ରନର ପେନାଲ୍ଟି ମିଳିଛି । ମୁଲତାନରେ ଖେଳା ଯାଉଥିବା ମ୍ୟାଚ୍ରେ ବାବର ୱିକେଟ କିପର ମହମ୍ମଦ ରିଜୱାନଙ୍କ ଗୋଟିଏ ଗ୍ଲୋବ୍ସକୁ ବ୍ୟବହାର କରି ବଲ ସଂଗ୍ରହ କରିଥିଲେ । ବାବରଙ୍କ ଏପରି ଆଚରଣକୁ ପଡ଼ିଆରେ ଥିବା ଅମ୍ପାୟାର ବେଆଇନ ଘୋଷଣା କରିଥିଲେ । ଏହାପରେ ୨୭୬ ରନର ପିଛା କରୁଥିବା ୱେଷ୍ଟଇଣ୍ଡିଜକୁ ୫ ରନ ପେନାଲ୍ଟି ଆକାରରେ ମିଳିଥିଲା ।
ଇନିଂସର ୨୯ତମ ଓର୍ଭରେ ବାବର ୱିକେଟ ପଛରେ ରହି ଗୋଟିଏ ଗ୍ଲୋବ୍ସ ଦ୍ୱାରା ବଲ ସଂଗ୍ରହ କରୁଥିବା ବେଳର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ନିୟମ ଅନୁଯାୟୀ, ୱିକେଟ କିପରଙ୍କ ବ୍ୟତୀତ କୌଣସି ଫିଲ୍ଡର ପଡ଼ିଆରେ ଗ୍ଲୋବ୍ସ କିମ୍ବା ବାହ୍ୟ ଲେଗ ଗାର୍ଡ ବ୍ୟବହାର କରିପାରିବେ ନାହିଁ । ସେହିପରି ହାତ କିମ୍ବା ଆଙ୍ଗୁଠିର ସୁରକ୍ଷା ପାଇଁ ଖେଳାଳିମାନେ ଅମ୍ପାୟାରଙ୍କ ଅନୁମତି ପାଇବା ପରେ ସେ ଦିଗରେ ପଦକ୍ଷେପ ନେଇ ପାରିବେ । ହେଲେ ବାବର କୌଣସି ପ୍ରକାରର ନିୟମକୁ ପାଳନ କରି ନଥିଲେ ।