ନୂଆଦିଲ୍ଲୀ : ଗତ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳା ଯାଇଥିଲା । ଦର୍ଶକ ମୁକାବିଲାରେ ଖୁବ ମଜା ଉଠାଇଥିଲେ । ଶେଷ ଓଭରରେ ଯାଇ ମ୍ୟାଚର ପରିଣାମ ବାହାରିଥିଲା । ହେଲେ ହୃଦସ୍ପନ୍ଦନ ବଢାଇ ଦେଇଥିବା ଏହି ମୁକାବିଲାରେ ଏବେ ଦୁଇ ଦଳ ଉପରେ ଆଇସିସି ଜରିମାନା ଲଗାଇଛି । ମନ୍ଥର ବୋଲିଂ କାରଣରୁ ଆଇସିସି ଦ୍ୱାରା ଭାରତ-ପାକିସ୍ତାନ ଦଳ ଉପରେ ୪୦ ପ୍ରତିଶତ ଜରିମାନା ଲଗାଯାଇଛି ।
ଦୁଇ ଦଳ ହିଁ ନିଜ ଫିଲ୍ଡିଂ ସମୟରେ ଓଭର ପୂରା କରିବାରେ ନିର୍ଦ୍ଧାରିତ ସମୟଠୁ ଅଧିକ ସମୟ ନେଇଥିଲେ । ଏହି ଜରିମାନା ଖେଳାଳିଙ୍କ ମ୍ୟାଚ ଫି ହିସାବରେ ଲାଗିଥାଏ । ଅର୍ଥାତ ଭାରତୀୟ ଖେଳାଳିଙ୍କୁ ଏଥିରେ ଅଧିକ ଘାଟା ହୋଇଛି । ମ୍ୟାଚ ରେଫରୀଙ୍କ ଅନୁଯାୟୀ, ଉଭୟ ନିର୍ଦ୍ଧାରିତ ସମୟଠୁ ଦୁଇ ଓଭର ପଛରେ ଚାଲିଥିଲେ । ଦୁଇ ଅଧିନାୟକ ନିଜର ଭୁଲ ସ୍ୱୀକାର କରିଛନ୍ତି ଏବଂ ଜରିମାନା ଦେବାକୁ ରାଜି ଅଛନ୍ତି । ତେଣୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡିନାହିଁ ।