ପାକିସ୍ତାନ ମଇଦାନରେ ରେକର୍ଡ ରଚିଲା ଇଂଲଣ୍ଡ

ଟେଷ୍ଟର ପ୍ରଥମ ଦିନରେ ଅପରାଜିତ ୫୦୬

ଗୋଟିଏ ଓଭରରେ ଛ’ଟି ଚୌକା ମାରିଲେ ବ୍ରୁକ୍ସ…..

ରାଓଲପିଣ୍ଡି: ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ ଏବେ ପାକିସ୍ତାନରେ ପ୍ରଥମ ଟେଷ୍ଟ୍‌ ଖେଳୁଛି । ପାକିସ୍ତାନ ସହ ଇଂଲଣ୍ଡ ତିନୋଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଗୁରୁବାର ପାକିସ୍ତାନର ରାଓଲପିଣ୍ଡିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଦଳ ଚାରୋଟି ୱିକେଟ୍‌ ହରାଇ ୫୦୬ ରନ୍‌ କରିଛି । ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମ ଦିନରେ ଇଂଲଣ୍ଡ ଟେଷ୍ଟ ଦୁନିଆରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି । ଏ ଯାବତ୍‌ କୌଣସି ଟିମ୍‌ ଟେଷ୍ଟ୍‌ ମ୍ୟାଚର ପ୍ରଥମ ଦିନରେ ୫୦୦ରୁ ଅଧିକ ରନ୍‌ କରି ନଥିଲା ।

ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନିକଟରେ ପାକିସ୍ତାନୀ ବୋଲରଙ୍କ ସବୁ ଯୋଜନା ଫେଲ୍‌ ମାରିଛି । ଇଂଲଣ୍ଡର ବ୍ରୁକ୍‌ କ୍ରମେ ୧୦୧, ଜ୍ୟାକ୍‌ କ୍ରାଲି ୧୨୨, ବେନ୍‌ ଡକେଟ୍‌ ୧୦୭ ଓ ଓଲି ପପ୍‌ ୧୦୮ ରନ୍‌ କରିଛନ୍ତି । ଶାହିନ ଶାହ ଆଫ୍ରିଦିଙ୍କ ଅନୁପସ୍ଥିତିକୁ ଅନୁଭବ କରିପାରିଛନ୍‌ତି ପାକିସ୍ତାନୀ ବୋଲର । ଲେଗ୍‌ ସ୍ପିନର୍‌ ଜାହିଦ ମେହମୁଦ ଦୁଇଟି, ମହମ୍ମଦ ଅଲୀ ଓ ହାରିସ ରୌଫ୍‌ ଗୋଟିଏ ଲେଖାଁଏ ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ପାକିସ୍ତାନ ବୋଲରଙ୍କୁ ନିର୍ଘାତ୍‌ ଧୁଲେଇ କରିଛନ୍ତି । ପ୍ରଥମ ଦିନରେ ସେ ୮୧ଟି ବଲରୁ ବ୍ୟକ୍ତିଗତ ଭାବେ ୧୦୧ କରି ଅପରାଜିତ ଅଛନ୍ତି । ପାକିସ୍ତାନର ବାମହାତୀ ବୋଲର ସୌଦ ଶାକିଲଙ୍କର ଗୋଟିଏ ଓଭରରେ ଲଗାତର ୬ଟି ଚୌକା ମାରି ବ୍ରୁକ୍‌ ବିଶ୍ୱ ରେକର୍ଡ ସମକକ୍ଷ ହୋଇପାରିଛନ୍ତି ।