କୋଲକାତା : ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ୫ଟି ବଲ୍ରୁ କୋଲକାତା ନାଇଟ୍ ରାଇଡର୍ସ ୨୮ ରନ୍ ଆବଶ୍ୟକ କରୁଥିବା ବେଳେ ରିଙ୍କୁ ସିଂହ ଏହି ୫ଟି ବଲ୍ରୁ ୫ଟି ଛକାମାରି ଦଳକୁ ଜିତାଇଥିଲେ। ୨ୟ ରାଉଣ୍ଡରେ ଉକ୍ତ ପରାଜୟର ପ୍ରତିଶୋଧ ନେଇଛି ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ।
ଶନିବାର ଅପରାହ୍ଣର ମ୍ୟାଚ୍ରେ କେକେଆର୍କୁ ୭ ୱିକେଟରେ ଗୁଜରାଟ ପରାସ୍ତ କରିଛି। ରହମନୁଲ୍ଲା ଗୁର୍ବାଜଙ୍କ ବିସ୍ଫୋରକ ୮୧ ଓ ଆଣ୍ଡ୍ରେ ରସେଲଙ୍କ ଦ୍ରୁତ ୩୪ ରନ୍ ବଳରେ କେକେଆର୍ ୭ ୱିକେଟରେ ୧୭୯ ରନ୍ କରିଥିଲା। ପରେ ଶୁବ୍ମାନ ଗିଲ୍ ଚମତ୍କାର ଭାବେ ରନ୍ ପିଛା ଆରମ୍ଭ କରିଥିବା ବେଳେ ବିଜୟ ଶଙ୍କର ଓ ଡେଭିଡ୍ ମିଲର ମ୍ୟାଚ୍କୁ ଶେଷ କରିଥିଲେ। ୧୩ଟି ବଲ୍ ବାକିଥାଇ ୩ ୱିକେଟ ହରାଇ ଗୁଜରାଟ ଜିତିଥିଲା।