ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଭାରତ ମୁଣ୍ଡରେ ବଲ ଟ୍ୟାମ୍ପରିଂ କଳଙ୍କ
ଭାରତର ଅଧିନାୟକ ରୋହିତ ଶର୍ମା ୫୬ ରନ୍ କରିଛନ୍ତି…
ନାଗପୁର: ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ମୁଣ୍ଡରେ ଲାଗିଛି ବଲ ଟାମ୍ପରିଂ ଅଭିଯୋଗ । ଅଷ୍ଟ୍ରେଲିଆର ଫବ୍ସ କ୍ରିକେଟ୍ ଚାନେଲ ଜାଡେଜାଙ୍କର ଗୋଟିଏ ଭିଡିଓ ସେୟାର କରିଛି ଯୋଉଥିରେ ଜାଡେଜା ତାଙ୍କ ଅଙ୍ଗୁଳିରେ କିଛି ଲଗାଇବା ପରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ଜାଡେଜାଙ୍କର ଏପରି ହରକତକୁ ଅଷ୍ଟ୍ରେଲିଆ ବଲ ଟାମ୍ପରିଂ ବିବେଚନା କରିଛି । ଅଷ୍ଟ୍ରେଲିଆର ସ୍ଥିତି ୫ ୱିକେଟ୍ ହରାଇ ୧୨୦ ରନ୍ ଥିଲାବେଳେ ଜାଡେଜା ବୋଲିଂ କରୁଥିଲେ । ପ୍ରସାରିତ ଭିଡିଓରେ ଜାଡେଜା ବଲ ଧରି ମହମ୍ମଦ ସିରାଜଙ୍କ ପାଖରେ ପହଂଚିଛନ୍ତି ।
ସିରାଜ ତାଙ୍କ ହାତରେ ଲାଗିଥିବା ଜିନିଷଟିକୁ ଜାଡେଜାଙ୍କ ହାତକୁ ବଢ଼ାଇ ଦେଉଛନ୍ତି । ଜାଡେଜା ଉକ୍ତ ଜିନିଷଟିକୁ ତାଙ୍କ ହାତରେ ଲଗାଇବା ପରେ ବୋଲିଂ କରିବାକୁ ଚାଲି ଯାଉଛନ୍ତି । ଅଷ୍ଟ୍ରେଲିଆ ଦଳ ପ୍ରଥମ ଦିନରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିଛି । ଜବାବରେ ଭାରତ ଗୋଟିଏ ୱିକେଟ୍ ହରାଇ ୭୭ ରନ୍ କରିଛି । ଭାରତର ଅଧିନାୟକ ରୋହିତ ଶର୍ମା ୫୬ ରନ୍ କରିଛନ୍ତି । ଓପନର କେଏଲ୍ ରାହୁଲ ୨୦ ରନ୍ କରି ଆଉଟ୍ ହୋଇଛନ୍ତି ।
ଅଷ୍ଟ୍ରେଲିଆଠାରୁ ୧୦୦ ରନ୍ ପଛରେ ରହିଛି ଭାରତ । ଟିମ୍ ଇଣ୍ଡିଆ ବୋଲର ରବିନ୍ଦ୍ର ଜାଡେଜା ୫ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ତିନୋଟି ୱିକେଟ୍ ଦଖଲ କରିଛନ୍ତି । ମହମ୍ମଦ ସିରାଜ ଓ ମହମ୍ମଦ ଶାମି ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁଶେନ ସର୍ବାଧିକ ୪୯ ରନ୍ କରିଛନ୍ତି । ଷ୍ଟିଭ ସ୍ମିଥ ୩୭, ଆଲେକ୍ସ କେରୀ ୩୬ ଓ ପିଟର ହ୍ୟାଣ୍ଡସକମ୍ବ ୩୧ ରନ୍ କରିଛନ୍ତି ।