ଭାରତ-ବାଂଲା ପ୍ରଥମ ଟେଷ୍ଟ: ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୪୦୪, ବାଂଲା ୧୩୩/୮
ଶୁଭମନ ଗିଲଙ୍କର ଚମକ୍ରାର କ୍ୟାଚ୍….
ନୂଆଦିଲ୍ଲୀ: ଆଜି ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ । ଭାରତ ପ୍ରଥମ ପାଳିରେ ୪୦୪ କରିଛି । ଦ୍ୱିତୀୟ ଦିନ ଖେଳ ଶେଷସୁଦ୍ଧା ବାଂଲା ୧୩୩ ରନ୍ ବିନିମୟରେ ୮ଟି ୱିକେଟ୍ ହରାଇ ସାରିଛି । ଆଜି ଟିମ୍ ଇଣ୍ଡିଆ ଖେଳାଳିଙ୍କଠାରୁ କିଛି ସ୍ମରଣୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ବଲରୁ ୭ ରନ୍ : ବାଂଲା ବୋଲର ତୈଜୁଲ ଇସଲାମଙ୍କ ବଲକୁ ଲମ୍ବା ସଟ୍ ମାରିଲେ ରବିଚନ୍ଦ୍ରନ ଅଶ୍ୱିନୀ । ବଲଟି ଥାର୍ଡ ମ୍ୟାନ୍ ଆଡ଼କୁ ଯିବା ଭିତରେ ଭାରତ ଦୁଇ ରନ୍ କରି ସାରିଥିଲା ।
ଥାର୍ଡ ମ୍ୟାନ୍ ୟାସିର ଅଲୀ ୱିକେଟ୍ ରକ୍ଷକଙ୍କ ନିକଟକୁ ବଲଟି ଫିଙ୍ଗିଲେ; ମାତ୍ର ବଲଟି ପଡ଼ିଆରେ ରଖା ଯାଇଥିବା ହେଲମେଟ୍ରେ ବାଜିଲା । ହେଲମେଟ୍କୁ ବଲଟି ଆଘାତ ଦେଇଥିବାରୁ ନିୟମ ମୁତାବକ ଭାରତକୁ ୫ ରନ୍ ମିଳିଗଲା । ଫଳରେ ଭାରତ ଗୋଟିଏ ବଲରୁ ୭ ରନ୍ ସାଉଁଟି ନେଲା । ଶୁଭମନ ଗିଲଙ୍କର ଚମକ୍ରାର କ୍ୟାଚ୍: ଭାରତର ୩୩ତମ ଓଭରରେ ଶୁଭମନ୍ ଗିଲ ସୁନ୍ଦର କ୍ୟାଚ୍ କରି ନୁରୁଲଙ୍କୁ ଆଉଟ୍ କରିପାରିଛନ୍ତି । ଗୋଲିଂ କରୁଥିଲେ କୁଲଦୀପ ଯାଦବ । ବାଂଲା ବ୍ୟାଟ୍ସମ୍ୟାନ୍ ନୁରୁଲ ହସନ ବ୍ୟାକ୍ଫୁଟ୍ ଉପରେ ବଲଟିକୁ ଆଘାତ କଲେ ।
ମାତ୍ର ସର୍ଟ ଲେଗ୍ ନିକଟରେ ଠିଆ ହୋଇଥିଲେ ଶୁଭମନ୍ । ସେ ଚଟ୍ କରି ହାତଟିକୁ ବଢ଼ାଇ ବଲଟିକୁ ଧରିନେଲେ । ବାଂଲାଦେଶର ଷଷ୍ଠ ୱିକେଟ୍ ଭାବେ ନୁରୁଲ ବିଦାୟ ନେଲେ । ସେତେବେଳକୁ ବାଂଲାର ସ୍କୋର ୯୭ ଥିଲା । ଉମେଶଙ୍କର ୧୦୦ ମିଟର ଲମ୍ବର ଛକା: ପ୍ରଥମ ପାଳିର ୧୩୨ତମ ଓଭରରେ ଭାରତର ଉମେଶ ଯାଦବ ୧୦୦ ମିଟର ଲମ୍ବର ଛକା ମାରିଛନ୍ତି । ବାଂଲାଦେଶ ବୋଲର ମେହଦି ହସନଙ୍କ ବଲକୁ ଲମ୍ବା ସଟ୍ ମାରି ଉମେଶ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।
ଉମେଶ ୧୦ଟି ବଲକୁ ସାମ୍ନା କରି ଦୁଇଟି ଛକା ସମେତ ୧୪ ରନ୍ କରିଥିଲେ । ଉମେଶ ତାଙ୍କ ଟେଷ୍ଟ କ୍ୟାରିୟରରେ ୨୦ଟି ଛକା ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଛକା ମାରିବା ଘଟଣାରେ ଉମେଶ ଭାରତର ରାହୁଲ ଦ୍ରାବିଡ୍, ଗୌତମ ଗମ୍ଭୀର, ମହମ୍ମଦ ଆଜାରୁଦ୍ଦିନ୍, ଦିଲ୍ଲୀପ ଭେଙ୍ଗସରକାର, ଚେତେଶ୍ୱର ପୁଜାରା, ଭିଭିଏସ୍ ଲକ୍ଷ୍ମଣ ଓ ଶିଖର ଧବନଙ୍କୁ ପଛରେ ପକାଇଛନ୍ତି ।