ଲଣ୍ଡନ: ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି ନୂଆ ଖେଳ-କୀର୍ତ୍ତି ସ୍ଥାପନ କରିଛି । ୧୯୭୧ ପରେ ଭାରତର ଏହା ପ୍ରଥମ ବିଜୟ ଓଭାଲରେ । ବିରାଟ ବାହିନୀ ଇଂଲଣ୍ଡକୁ ୧୫୭ ରନ୍ରେ ହରାଇ ଇତିହାସ ସୃଷ୍ଟି କରିଛି ଓଭାଲରେ । ଏଥିସହ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍ରେ ୨-୦ରେ ଆଗୁଆ ହୋଇ ଯାଇଛି।

ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା । ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ରେ ଦୁଇଟି ଲେଖାଏ ୱିକେଟ ଦଖଲ କରି ରେକର୍ଡ ବୁକ୍ରେ ନିଜ ନାଁ ଲେଖାଇଛନ୍ତି । ବୁମ୍ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।
ଏହାପୂର୍ବରୁ ଭାରତ ପାଇଁ ସବୁଠାରୁ କମ ମ୍ୟାଚ୍ରେ ୧୦୦ ୱିକେଟ ଦଖଲ କରିବାର ୧ନଂ ସ୍ଥାନରେ କିମ୍ବଦନ୍ତୀ ପେସ୍ ବୋଲର କ୍ରିକେଟର କପିଲ ଦେବ ରହିଥିଲେ।
କପିଲ ଦେବ ୨୫ଟି ମ୍ୟାଚ୍ରେ ୧୦୦ତମ ୱିକେଟ ପୂରଣ କରିଥିବା ବେଳେ ବୁମ୍ରା ୨୪ତମ ମ୍ୟାଚ୍ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁମ୍ରା କପିଲଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।
ବୁମ୍ରା ଇଂଲଣ୍ଡର ଓଲି ପପ୍ଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ୱିକେଟ ପୂରଣ କରିଛନ୍ତି । ସେ ଭାରତର ୨୩ତମ ବୋଲର ଭାବେ ଟେଷ୍ଟରେ ୧୦୦ରୁ ଅଧିକ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି ।