ମୁମ୍ବାଇ : ଆଇପିଏଲ ୨୦୨୨ର ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ କଡା ଟକ୍କର ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୫ ୱିକେଟ୍ ହରାଇ ୧୭୭ ରନ କରିଛି । ଇଶାନଙ୍କ ଦମଦାର ୮୧ ରନର ବଡ ଇନିଂସ ଖେଳିଥିବା ବେଳେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୪୧ ରନର ପାଳି ଖେଳିଥିଲେ । ଅନ୍ୟପକ୍ଷରେ ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୧୮ ରନ ଦେଇ ୩ଟି ୱିକେଟ ନେବା ସହ ଖଲିଲ ଅହମ୍ମଦଙ୍କୁ ମଧ୍ୟ ୨ଟି ୱିକେଟ୍ ମିଳିଛି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ମୁମ୍ବାଇ ପକ୍ଷରୁ ଓପନର ରୋହିତ ଶର୍ମା ଓ ଇଶାନଙ୍କ ଲଢୁଆ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ୮.୨ ଓଭରରେ ଓପନିଂ ଯୋଡି ୬୭ ରନ ଯୋଡିଥିଲେ । ରୋହିତ ୩୨ ବଲରୁ ୪ ଚୌକା ଓ ୨ ଛକା ସହ ୪୧ ରନ କରି ପାଭିଲିୟନ ଫେରିଥିଲେ । ପରେ ଇଶାନ କିଷନ ଏବଂ ତିଳକ ବର୍ମା ଦ୍ରୁତ ବ୍ୟାଟିଂ କରି ମୁମ୍ବାଇ ସ୍କୋରକୁ ୧୧୭ ରନରେ ପହଞ୍ଚାଇଥିଲେ । ଅନ୍ୟପଟେ ଇଶାନ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳର ସ୍ଥିତି ମଜବୁତ କରିଥିଲେ । ସେ ଆଇପିଏଲରେ ୧୦ମ ଅର୍ଦ୍ଧଶତକ ହାସଲ କରିବା ସହ ୪୮ ବଲରୁ ୧୧ ଚୌକା ସହ ୨ ଛକା ସହାୟତାରେ ୮୧ ରନରେ ଅପରାଜିତ ଥିଲେ ।