ଆବୁଧାବି: ଚଳିତ ଆଇପିଏଲରେ ବୁଧବାର ଖେଳାଯାଇଥିବା
ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ଠୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧୦ ରନରେ ଜିତିଛି। ଏହି ବିଜୟ ଯୋଗୁ କେକେଆର ମୋଟ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।
ଅନ୍ୟ ପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ଵାଧୀନ ସିଏସକେ ଚଳିତ ସିଜନରେ ୪ର୍ଥ ପରାଜୟ ମ୍ୟାଚରେ ପରାସ୍ତ ହୋଇଛି । ପରାଜୟ ସତ୍ତ୍ୱେ ଷଷ୍ଠ ସ୍ଥାନରେ ବଜାୟ ରହିଛି ସିଏସକେ (୪ ପଏଣ୍ଟ) ।
ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। କୋଲକାତା ପକ୍ଷରୁ ଓପନର୍ ରାହୁଲ ତ୍ରିପାଠୀ ୫୧ ବଲରେ ୮୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ସ୍ଥାନ ପାଇଥିଲା ୮ ଚଉକା ଓ ୩ ଛକା । ତାଙ୍କ ବ୍ୟତୀତ ଶୁବମନ ଗିଲ୍ ୧୧, ନୀତୀଶ ରାଣା ୯, ଇଅନ ମୋର୍ଗାନ ୭, ଆନ୍ଦ୍ରେ ରସେଲ ୨ ଓ ଦୀନେଶ କାର୍ତ୍ତିକ ୧୨ ରନ କରିଥିଲେ। ସଫଳ ବୋଲର ଭାବେ ଡୁଇନ ବ୍ରାଭୋ ୩ ଏବଂ ସାମ୍ କୁରାନ, ଶାର୍ଦ୍ଦୁଳ ଠାକୁର ଓ କର୍ନ ଶର୍ମା ୨ଟି ଲେଖାଏ ଉଇକେଟ ନେଇଛନ୍ତି। ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ ଫାଫ ଡୁପ୍ଲେସି ଏକ ଦର୍ଶନୀୟ କ୍ୟାଚ ନେଇ ଥିଲେ ।
ଜବାବରେ ସିଏସକେର ଦୁଇ ଓପନର ଫାଫ ଡୁପ୍ଲେସି ଓ ଶେନ ୱାଟସନ ଭଲ ଆରମ୍ଭ ଦେଇଥିଲେ । ଦୁହେଁ ୪ ଓଭରରେ କରିଥିଲେ ୩୦ ରନ । ଡୁପ୍ଲେସି ( ୧୭) ଆଉଟ ହେବା ପରେ ଅମ୍ବାତି ରାୟୁଡୁଙ୍କ ସହ ମିଶି ୱାଟସନ ଦଳୀୟ ସ୍କୋରରେ ୬୯ ରନ ଯୋଡି ଥିଲେ । ୧୨ ଓଭର ସୁଦ୍ଧା ସିଏସକେ ୯୯ ରନ କରି ବିଜୟ ଦିଗରେ ଅଗ୍ରସର ହେଉଥିଲା । ହେଲେ ଏହିଠୁ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୩୦ ରନରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା ସିଏସକେ । ରାୟୁଡୁ ୩୦ , ୱାଟସନ ୫୦ ( ୬ ଚଉକା ଓ ୧ ଛକା ), ମହେନ୍ଦ୍ର ସିଂ ଧୋନି ୧୧ ଓ ସାମ କୁରାନ ୧୭ ରନ କରିଥିଲେ । ଦଳକୁ ଜିତିବା ପାଇଁ ଅନ୍ତିମ ୩ ଓଭରରେ ଦରକାର ଥାଏ ମାତ୍ର ୩୯ ରନ । ହେଲେ ରବୀନ୍ଦ୍ର ଜାଡେଜା ୨୧ ଓ କେଦାର ଯାଦବ ୭ ରନ ଯୋଗୁ ଦଳ ଶେଷ ପର୍ଯ୍ୟନ୍ତ ଖେଳି ୫ ଉଇକେଟ କ୍ଷତିରେ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ଆଉ ଦଳ ଶେଷରେ ଜିତିଥିଲା।