କୋହଲି ବିଶ୍ୱର ଶ୍ରେଷ୍ଠ କ୍ରିକେଟର: ସୋଏବ ଅଖତର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂପ୍ରତି ଖରାପ ସମୟ ଦେଇ ଗତି କରୁଛନ୍ତି । କୋହଲି ୩ ବର୍ଷରୁ ଅଧିକ ସମୟ ହେବ ଶତକଟିଏ ହାସଲ କରି ନାହାନ୍ତି । ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ମଧ୍ୟ କୋହଲି ଆଶାଜନକ ପ୍ରଦର୍ଶନ କରିନାହାନ୍ତି । ଫଳରେ ଚାରିଆଡ଼ୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଏଭଳ ସମୟରେ ତାଙ୍କୁ ସମର୍ଥନ କରିଛନ୍ତି ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର । ନିଜ ୟୁଟ୍ୟୁବ ଚ୍ୟାନେଲରେ ବିରାଟଙ୍କ ଫର୍ମକୁ ନେଇ ଭାରତୀୟ ପ୍ରଶଂସକ ପ୍ରକାଶ କରୁଥିବା ତୀବ୍ର ଅସନ୍ତୋଷ ଉପରେ ପ୍ରତିକ୍ରିୟା ରଖି ଅଖତର କହିଛନ୍ତି ଯେ ଆପଣ ବିରାଟଙ୍କ ବିଷୟରେ ଭଲ କଥା କୁହନ୍ତୁ । ତାଙ୍କୁ ସମ୍ମାନ ଦିଅନ୍ତୁ । କୋହଲିଙ୍କୁ ଆପଣମାନେ କାହିଁକି ସମ୍ମାନ ଦେଉନାହାନ୍ତି ।

ଜଣେ ପାକିସ୍ତାନୀ ହୋଇ ବି ମୁଁ କିନ୍ତୁ କହିବି କୋହଲି ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ସେ ୧୦୦ ନୁହେଁ ୧୧୦ ଅନ୍ତର୍ଜାତୀୟ ଶତକ ହାସଲ କରିବେ । ସେହିଭଳି କୋହଲିଙ୍କ ଉଦ୍ଦେଶ୍ୟରେ ଅଖତର କହିଛନ୍ତି ଯେ ତୁମେ ବ୍ୟସ୍ତ ହୁଅନି । ମୁଁ ଜାଣିଛି ତୁମେ ୪୫ ବର୍ଷ ପର୍ଯ୍ୟନ୍ତ ଖେଳିବ । ସମୟ ଏବେ ତୁମର ପରୀକ୍ଷା ନେଉଛି ।