ବେୟାରଷ୍ଟୋଙ୍କୁ ପାଟି ବନ୍ଦ କରି ବ୍ୟାଟିଂ କରିବାକୁ କହିଲେ କୋହଲି

ଶାମିଙ୍କ ବଲରେ ବେୟାରଷ୍ଟୋ କିଛିଟା ଅସୁବିଧା ଅନୁଭବ କରୁଥିବା ନଜର ଆସିଥିଲେ…

ଲଣ୍ଡନ : ଏଜବାଷ୍ଟନରେ ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି । ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଙ୍ଗଭଙ୍ଗୀରେ ପାଟି ବନ୍ଦ କରି ବ୍ୟାଟିଂ କରିବାକୁ କୋହଲି ତାଙ୍କୁ କହିଥିଲେ । ବିରାଟଙ୍କ ଆକ୍ରମଣାତ୍ମକ ଶୈଳୀ ଦେଖିରେ ବେୟାରଷ୍ଟୋ ମଧ୍ୟ ରାଗି ଯାଇଥିଲେ । ଏହି ଘଟଣା ୩୨ତମ ଓଭରରେ ଘଟିଥିଲା । ମହମ୍ମଦ ଶାମି ବୋଲିଂ କରୁଥିଲେ । ଶାମିଙ୍କ ବଲରେ ବେୟାରଷ୍ଟୋ କିଛିଟା ଅସୁବିଧା ଅନୁଭବ କରୁଥିବା ନଜର ଆସିଥିଲେ । କୋହଲି ସ୍ଲିପ୍ସରେ ଠିଆ ହୋଇଥିଲେ । ସେଠାରୁ ସେ ସ୍ଲେଜିଂ ଆରମ୍ଭ କଲେ । ଶୁଭମନ ଗିଲ ମଧ୍ୟ କୋହଲିଙ୍କୁ ସମର୍ଥନ କରୁଥିଲେ ।

ବିରାଟ କହିଥିଲେ-ଜନି ବେୟାରଷ୍ଟୋ ପଡ଼ିଆରେ ଥିବା ବଲ ବ୍ୟତୀତ ସବୁକିଛି ଦେଖିପାରିବେ । କୋହଲିଙ୍କ ଏହି କଥାଶୁଣି ବେୟାରଷ୍ଟୋ ରାଗି ଯାଇଥିଲେ । ସେ ବିରାଟଙ୍କୁ ପାଟି ବନ୍ଦ ରଖିବାକୁ କହିଥିଲେ । ଏହାପରେ ମାମଲା ଅଧିକ ବଢିଯାଇଥିଲା । କୋହଲି ତାଙ୍କ ପାଖରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅମ୍ପାୟାର ସେଠାରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲେ । ସ୍ଲିପ ଆଡକୁ ଯାଉଥିବାବେଳେ କୋହଲି ପାଟିର ଆଙ୍ଗୁଠି ରଖିଥିଲେ ଏବଂ ପାଟି ବନ୍ଦ ରଖିବା ପାଇଁ ବେୟାରଷ୍ଟୋକୁ ସଙ୍କେତ ଦେଇଥିଲେ ।