ନୂଆଦିଲ୍ଲୀ: ଭାରତ-ବାଂଲା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ପ୍ରଥମ ପାଳିରେ ବାଂଲାଦେଶକୁ ୧୫୦ ରନ୍ରେ ଅଲ୍ ଆଉଟ୍ କରିବା ପରେ ଭାରତ ଦ୍ୱିତୀୟ ପାଳି ଦୁଇ ୱିକେଟ୍ ବିନିମୟରେ ୨୫୮ ରନ୍ କରି ସମାପ୍ତି ଘୋଷଣା କରିଛି । ୫୧୩ ରନ୍ ଟାର୍ଗେଟ୍ ପିଛା କରି ବାଂଲାଦେଶ ଖେଳ ଶେଷ ସୁଦ୍ଧା ୪୨ ରନ୍ କରିଛି । ତୃତୀୟ ଦିନ ଶୁଭମନ ଗିଲଙ୍କ ଶତକରେ ଟିମ୍ ଇଣ୍ଡିଆ ଚରମ ଆନନ୍ଦ ଲାଭ କରିଛି ।
ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୁଜାରା ୧୪୪୨ ଦିନ ପରେ ଟେଷ୍ଟ ଶତକ ହାସଲ କରିଛନ୍ତି । ଶୁଭମନ ଗିଲ ବ୍ୟକ୍ତିଗତ ଭାବେ ୧୧୦ ରନ୍ କରିଥିଲା ବେଳେ ପୁଜାରା ୧୦୨ କରି ଅପରାଜିତ ଥିଲେ । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ବୈଷୟିକ ତ୍ରୁଟି କାରଣରୁ ବାଂଲାଦେଶ ଟିମ ଆବଶ୍ୟକ ସମୟରେ ଡିଆରଏସ୍ ସଦୁପଯୋଗ କରିପାରିନି । ବୋଲର ୟାସିର ଅଲୀ ଅଫ୍ ଷ୍ଟମ୍ପ ବାହାରକୁ ବଲ ପକାଇଲେ । ବଲ୍ଟି ଶୁଭମନ ଗିଲଙ୍କ ପ୍ୟାଡ୍ରେ ଲାଗିଲା । ବାଂଲାଦେଶ ଫିଲଡର ଏଲ୍ବିଡବ୍ଲ୍ୟୁ ଅପିଲ କଲେ, ମାତ୍ର ଅମ୍ପାୟାର ନଟ୍ ଆଉଟ୍ ଇଶାରା କଲେ ।
ଅଧିନାୟକ ଶାକିବ ଅଲ ହସନ୍ ଅମ୍ପାୟାରଙ୍କ ନିଷ୍ପତିକୁ ଚାଲେଞ୍ଜ କରି ଡିଆରଏସ୍ ପାଇଁ ଇଶାରା କଲେ । ମାତ୍ର ବୈଷୟିକ ତ୍ରୁଟି କାରଣରୁ ଡିଆରଏସ୍ କାମ କରୁନି ବୋଲି ଥାର୍ଡ ଅମ୍ପାୟାର ଜଣାଇଦେଲା । ବିଚରା ବାଂଲାଦେଶ ଟିମ ଦ୍ୱିଧାର ସହିତ ଗିଲ ନଟ୍ ଆଉଟ୍ ବୋଲି ମାନିନେଲେ ।
ଚେତେଶ୍ୱର ପୁଜାରା ୧୩୦ଟି ବଲରୁ ୧୦୨ ରନ୍ କରିଛନ୍ତି । ଶେଷଥର ପାଇଁ ୨୦୧୯ ଜାନୁଆରୀ ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶତକ ହାସଲ କରିଥିଲେ । ତା’ପରେ ତାଙ୍କ ବ୍ୟାଟ୍ରୁ ଶତକ ବର୍ଷା ହୋଇ ନଥିଲା । ପ୍ରାୟ ୪୭ ମାସ ପରେ ପୁଜାରା ଶତକ ହାସଲ କରିବା ଦେଖି ବିରାଟ କୋହଲି ଆନନ୍ଦରେ ନାଚିବାକୁ ଲାଗିଲେ ।
ମହା ଆନନ୍ଦରେ ପୁଜାରାକୁ ଆଲିଙ୍ଗନ କରି ପକାଇଲେ ବିରାଟ । ଶୁଭମନ ୧୫୨ ବଲକୁ ସାମ୍ନା କରି ୧୦ଟି ଚୌକା ଓ ୩ଟି ଛକା ବଳରେ ୧୧୦ ରନ୍ କରିଛନ୍ତି । ବ୍ୟକ୍ତିଗତ ଭାବେ ୯୯ ରନ୍ କରିବା ପରେ ଚୌକା ମାରି ଶତକ ହାସଲ କରିଥିଲେ । ଗିଲଙ୍କ ପ୍ରଥମ ଟେଷ୍ଟ ଶତକକୁ ଟିମ୍ ଇଣ୍ଡିଆର ସବୁ ଖେଳାଳି କରତାଳି ମଧ୍ୟରେ ପାଳନ କରିଛନ୍ତି ।