ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆୟୋଜନ ହେବ ଏହି ଟୁର୍ଣ୍ଣାମେଣ୍ଟ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଅଲଗା ହୋଇ ଖେଳିବାକୁ ଯାଉଛି । ଶିଖର ଧାୱନଙ୍କ ନେତୃତ୍ୱାଧୀନ ଦିନିକିଆ ଟିମରେ ଅନେକ ନବାଗତ ସ୍ଥାନ ପାଇଛନ୍ତି । ନବାଗତଙ୍କୁ ନେଇ ଭାରତୀୟ ଟିମ୍ ପ୍ରଥମ ବିଜୟ ଆଶାରେ ପଡିଆକୁ ଓହ୍ଲାଇବ । ଇଂଲଣ୍ଡ ମ୍ୟାଚ ସମୟରେ ଶ୍ରୀଲଙ୍କାର କୁସାଲ ମେଣ୍ଡିଜ୍ ଓ ନିରୋଶାନ ଡ୍ୱିକୱାଲା ବାୟୋ ବବଲ୍ସ କାରଣରୁ ନିଲମ୍ବିତ ହୋଇ ଥିବାବେଳେ କୁସାଲ ପେରେରା ଆହତ ହୋଇ ମ୍ୟାଚରୁ ବାଦ୍ ପଡିଛନ୍ତି । ଏ ଦୃଷ୍ଟିରୁ ଭାରତକୁ ମ୍ୟାଚ୍ ଅକ୍ତିଆର କରିବା ପାଇଁ ସହଜ ହେବ ବୋଲି ଆକଳନ କରାଯାଉଛି । ସେପଟେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିବା ଶ୍ରୀଲଙ୍କା ଟିମ୍ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଭଲ ପ୍ରଦର୍ଶନ କରିପାରେ । ତେବେ ଭାରତୀୟ ଯୁବ ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ।