ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅଚାନକ ଅବସର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି ପୂର୍ବତନ ଭାରତୀୟ ଦଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଅଗଷ୍ଟ ୧୫ ତାରିଖ ଦିନ ଏ ବାବଦରେ ଆସିଥିବା ତାଙ୍କର ଭିଡିଓ ବାର୍ତ୍ତା ଅନେକ ଭାରତୀୟଙ୍କୁ ମର୍ମାହତ କରିଛି। ଟିଭି, ଖବର କାଗଜ, ସୋସିଆଲ ମିଡିଆ, ଚା ଖଟି, ଗଳି କନ୍ଦି ସବୁଠି ଧୋନିଙ୍କ ଚର୍ଚ୍ଚା। ଏ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୋନିଙ୍କୁ ବ୍ୟକ୍ତିଗତ ଏକ ଚିଠି ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଧୋନିଙ୍କ ଏହି ନିଷ୍ପତ୍ତିରେ ୧୩୦ କୋଟି ଭାରତୀୟ ଅସନ୍ତୁଷ୍ଟ। ହେଲେ ଭାରତୀୟ କ୍ରିକେଟ ପାଇଁ ଗତ ୧୫ ବର୍ଷ ଭିତରେ ସେ ଯାହା କିଛି କରିଯାଇଛନ୍ତି ସେଥିପାଇଁ ହୃଦୟରୁ ସାଧୁବାଦ ଜଣାଇଛନ୍ତି। ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ, ମହାନ ଅଧିନାୟକ ଏବଂ ଏହି ଖେଳର ଜଣେ ଅତି ଦକ୍ଷ ୱିକେଟ ରକ୍ଷକ ଭାବେ ପ୍ରଧାନମନ୍ତ୍ରୀ ଧୋନିଙ୍କୁ ଚିଠିରେ ଉଲ୍ଲେଖ କରିବା ସହ ଭରପୁର ପ୍ରଶଂସା କରିଛନ୍ତି।
ତେବେ ଧୋନିଙ୍କୁ କେବଳ ଜଣେ ଭଲ ଖେଳାଳି ବୋଲି କହିବା ଅନ୍ୟାୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଛୋଟ ସହରରୁ ଯାଇ ନିଜେ ସଫଳତାର ଶିଖରକୁ ଛୁଇଁବା, ଦେଶ ପାଇଁ ଗର୍ବ ସାଉଁଟିବା ଏବଂ ଯୁବ ପିଢ଼ିଙ୍କୁ ବହୁଳ ଭାବରେ ଅନୁପ୍ରାଣିତ କରିବାର କାର୍ଯ୍ୟ କମ କଥା ନୁହେଁ ବୋଲି ମୋଦି କହିଛନ୍ତି। ଚ୍ୟାଲେଜିଂ ସମୟରେ ଯୁବ ଖେଳାଳିଙ୍କୁ ଭରସାକୁ ନେଇ ଆଗକୁ ଆଣିବା, ଧୈର୍ଯ୍ୟର ସହ ପ୍ରତିଟି ପରିସ୍ଥିତିର ମୁକାବିଲା କରି ଧୋନି ନିଜର ବ୍ୟକ୍ତିତ୍ବର ସୁଦୂରପ୍ରସାରୀ ପ୍ରମାଣିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ୨୦୦୭ ଟି ଟ୍ୱେଣ୍ଟି ବିଶ୍ୱ କପ୍ ଫାଇନାଲର ଉଦାହରଣ ଏଠାରେ ମୋଦି ଉଲ୍ଲେଖ କରିଛନ୍ତି।
‘ତୁମେ ଯେକୌଣସି ହେୟାର ଷ୍ଟାଇଲ ରଖିଲେ ବି ତୁମ ମସ୍ତିଷ୍କ ବିଜୟ ଏବଂ ପରାଜୟ ସମୟରେ ସମାନ ରହିଥାଏ। ଯାହାକି ଯୁବପିଢ଼ିଙ୍କ ପାଇଁ ବହୁତ ବଡ଼ ଶିକ୍ଷା’ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ପ୍ରାଥମିକତାକୁ କେମିତି ତଉଲିବାକୁ ହୁଏ ତାହା ମଧ୍ୟ ଧୋନିଙ୍କଠୁ ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ମୋଦି ଭାରତୀୟ ସେନାରେ ଧୋନିଙ୍କ ଯୋଗଦାନ ଏବଂ ଝିଅ ଝିଭାଙ୍କ କଥା ମଧ୍ୟ କହିଛନ୍ତି।
ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏପରି ଚିଠି ପାଇ ଧୋନି ମଧ୍ୟ ଟ୍ବିଟରରେ ଏକ ସୁନ୍ଦର ଉତ୍ତର ରଖିଛନ୍ତି। ଜଣେ କଳାକାର, ସୈନିକ ଏବଂ ଖେଳାଳି ଯାହା ବି କଠିନ ପରିଶ୍ରମ କରନ୍ତି କେବଳ ଲୋକଙ୍କ ମାନ୍ୟତା ଏବଂ ଶୁଭେଚ୍ଛା ପାଇଁ। ଆପଣଙ୍କ ପ୍ରଂଶସା ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ।