ଦିନିକିଆ କ୍ରିକେଟ୍‌ ଦୁନିଆରେ ସର୍ବାଧିକ ୧୪ ହଜାର ରନ୍‌, ଏକ ନମ୍ବରରେ ବିରାଟ କୋହଲି

ରବିବାର ଦିନ (୨୩/୨/୨୫) ଦୁବାଇରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଚାମ୍ପିଅନ୍‌ ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୨୪୧ ରନ୍‌ କରିଥିଲା ।

ଜବାବରେ ଭାରତ ୪୨.୩ ଓଭରରେ ୪ ୱିକେଟ୍‌ ହରାଇ ଟାର୍ଗେଟ୍‌ ପୂରଣ କରିଥିଲା । ପୂର୍ବତନ କ୍ରିକେଟର ଇର୍ଫାନ୍‌ ପଠାନ୍‌ ବିଜୟୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଭାରତୀୟ ବୋଲର କୁଲଦୀପ ଯାଦବ ତିନୋଟି ୱିକେଟ୍‌ ହାସଲ କରିଥିଲେ । କ୍ରିକେଟର ବିରାଟ କୋହଲି ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ସ୍କୋର କରିଥିବା ରେକର୍ଡ ସ୍ଥାପନ କରିଛନ୍ତି । ପାକିସ୍ତାନର ଶୋଚନୀୟ ପରାଜୟରେ ଲାହୋର ସହର ଖାଁ ଖାଁ ଲାଗୁଥିଲା । ସହରର କୌଣସି ମୁଖ୍ୟ ଛକରେ କ୍ରିକେଟ୍‌ ପ୍ରଶଂସକଙ୍କୁ ଦେଖିବାକୁ ମିଳି ନଥିଲା । ସତେ ଯେପରି ସହରଟା ଜନଶୂନ୍ୟ ହୋଇଯାଇଛି ।

ଭାରତ ଜିତାପଟ ହାସଲ କଲା, ମାତ୍ର ୨୦୨୩ ବିଶ୍ୱକପ୍‌ ପରେ ଅଧିନାୟକ ରୋହିତ ଶର୍ମା ଗୋଟିଏ ଟସ୍‌ ଜିତି ପାରିଲେ ନାହିଁ । ପାକିସ୍ତାନ ପ୍ରଥମ ୨୦ ଓଭରରେ ୬୫.୪ ପ୍ରତିଶତ ହାରରେ ସ୍କୋର କରିଥିଲା । ବୋଲର କୁଲଦୀପ ଯାଦବ ତାଙ୍କର ଆନ୍ତର୍ଜାତିକ କ୍ରିକେଟ୍‌ ଦୁନିଆରେ ୩୦୦ ୱିକେଟ୍‌ ହାସଲ କଲେ । କୁଲଦୀପ ପାକିସ୍ତାନ ବିପକ୍ଷରେ ୬ଟି ମ୍ୟାଚ୍‌ ଖେଳି ୧୫ଟି ୱିକେଟ୍‌ ହାସଲ କରିଛନ୍ତି । ଦିନିକିଆ କ୍ରିକେଟ୍‌ ଦୁନିଆରେ ବିରାଟ କୋହଲି ସର୍ବାଧିକ ୧୫୮ କ୍ୟାଚ୍‌ ହାସଲ କଲେ । ତାଙ୍କ ପୂର୍ବରୁ ମହମ୍ମଦ ଆଜାରୁଦ୍ଦିନ ସର୍ବାଧିକ ୧୫୬ଟି କ୍ୟାଚ୍‌ ଧରିଥିଲେ ।