ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ଅବସର, କ୍ୟାରିଅର ଉପରେ ନଜର ପକାନ୍ତୁ

ରାଞ୍ଚି(ଏସ୍ ନ୍ୟୁଜ): ଭାରତୀୟ କ୍ରିକେଟ ପୃଷ୍ଠାରେ ସବୁଠୁ ସଫଳ ଅଧିନାୟକ ଭାବେ ନିଜର ନାମ ଛାପିଥିବା ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ନିଜେ ମାହି ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଆଧିକାରିକ ଭାବେ ଏ ନିଷ୍ପତ୍ତି ଶୁଣାଇଛନ୍ତି।

୩୯ ବର୍ଷୀୟ ଧୋନି ଶେଷଥର ପାଇଁ ୯ ଜୁଲାଇ ୨୦୧୯ ତାରିଖରେ ଭାରତୀୟ ଜର୍ସି ପିନ୍ଧିଥିବାର ନଜର ଆସିଥିଲେ। ଏହା ଥିଲା ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲ ମ୍ୟାଚ। ତାହା ପରେ ଧୋନି ଭାରତ ପାଇଁ ଅନ୍ୟ କୌଣସି ମ୍ୟାଚ ଖେଳିନଥିଲେ। ଯେଉଁଥିପାଇଁ ବାରମ୍ବାର ତାଙ୍କ ଅବସର କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନିଜେ ଧୋନି ଶେଷରେ ତାଙ୍କ ଅବସର କଥା ଘୋଷଣା କରିଛନ୍ତି।

ହେଲେ ଧୋନିଙ୍କୁ ତାଙ୍କ ପ୍ରଶଂସକ ମାନେ ଆଇପିଏଲ ମୈଦାନରେ ପୂର୍ବଭଳି ଦେଖିବାକୁ ପାଇବେ। ନିଜ ଟିମ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ଏଥର ମଧ୍ୟ ଧୋନି ହିଁ ନେବେ। ଖୁବଶୀଘ୍ର ସେ ପ୍ରସ୍ତୁତି ତାଲିମ ପାଇଁ ୟୁଏଇ ଯିବାର କାର୍ଯ୍ୟକ୍ରମ ରହିଛି। ୨୦୧୦, ୨୦୧୧ ଏବଂ ୨୦୧୮ରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଆଇପିଏଲ ଟ୍ରଫି ଜିତିଛି। ୨୦୦୮ ଆଇପିଏଲ ଆରମ୍ଭରୁ ହିଁ ଧୋନି ଏହାର ଅଧିନାୟକ ଭାର ତୁଲାଇଆସୁଛନ୍ତି।

ରେଳବାଇ ଚାକିରି ଛାଡ଼ି ଭାରତୀୟ ଦଳରେ ସ୍ଥାନ ପାଇବାକୁ ଅପେକ୍ଷା କରିଥିବା ଧୋନିଙ୍କୁ ୨୦୦୪ରେ ଏହି ସୁଯୋଗ ମିଳିଥିଲା। ସେହି ବର୍ଷ ଡିସେମ୍ବର ୨୩ ତାରିଖରେ ସେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ସେବେଠାରୁ ଆରମ୍ଭ କରି ନିଜର ଶେଷ ମ୍ୟାଚ ଖେଳିବା ଭିତରେ ଧୋନି ମୋଟ ୩୫୦ ଦିନିକିଆରେ ୧୦,୭୭୩ ରନ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ରହିଛି। ତାଙ୍କ ନେତୃତ୍ୱରେ ଭାରତ ୨୦୧୧ରେ ଦ୍ଵିତୀୟ ଥର ପାଇଁ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

୨୦୦୭ରେ ଦଳର ନେତୃତ୍ୱ ନେଇ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତାଇଥିବା ଧୋନି ବିଶ୍ୱରେ ଏକମାତ୍ର ଅଧିନାୟକ ଯାହାଙ୍କ ଅଧୀନରେ ଦଳ ସମସ୍ତ ଆଇସିସି ଟ୍ରଫି ବିଜେତା ହୋଇଛି। ଏଥିସହ ୯୮ଟି ଟି-ଟ୍ୱେଣ୍ଟିରେ ୧୬୧୭ ରନ ଏବଂ ୯୦ଟି ଟେଷ୍ଟ ଖେଳି ୪୮୭୬ ରନ କରିଛନ୍ତି ମାହି। ଚମତ୍କାର କିପିଂ ପ୍ରଦର୍ଶନ ସାଙ୍ଗକୁ ନିଜ ଦମରେ ମ୍ୟାଚ ଫିନିସିଂ ଦକ୍ଷତା ତାଙ୍କୁ ଜଣେ ସଫଳ କ୍ରିକେଟର ତଥା ମ୍ୟାଚ ବିଜେତା ସଜାଇଛି।

ହେଲିକପ୍ଟର ସଟ ମାରି ସମସ୍ତଙ୍କୁ ଚକିତ କରୁଥିବା ଧୋନି ୨୦୦୮ ଏବଂ ୨୦୦୯ରେ ଲଗାତାର ଦୁଇଥର ଆଇସିସି ଦିନିକିଆ ଖେଳାଳି ପୁରସ୍କାର ପାଇଥିଲେ। ଏପରି କରିବାରେ ସେ ବିଶ୍ବର ପ୍ରଥମ କ୍ରିକେଟର। ଏଥିସହ ଭାରତ ସରକାରଙ୍କ ପକ୍ଷରୁ ୨୦୦୭ରେ ତାଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ଏବଂ ୨୦୧୮ରେ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ ପ୍ରଦାନ କରାଯାଇଛି।

ଏଥିସହ ଭାରତୀୟ ଟେରିଟୋରିଆଲ ଆର୍ମିରେ ଧୋନିଙ୍କୁ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ମିଳିଛି। ତାଙ୍କ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ଏହି ସମ୍ମାନ ପାଇଛନ୍ତି।