ରୈନା ରାଗରେ ଛାଡ଼ିଛନ୍ତି ଆଇପିଏଲ୍

ଚେନ୍ନାଇ: ବ୍ୟକ୍ତିଗତ କାରଣ ଯୋଗୁଁ ସୁରେଶ ରୈନା ଆଇପିଏଲ୍ ଖେଳିବେନି ବୋଲି ସିଏସକେ ସିଇଓ କହିଥିବା କଥା ମିଛ। ତାଙ୍କ ପିଉସାଙ୍କ ମୃତ୍ୟୁ ଯୋଗୁଁ ସେ ଭାରତ ଫେରିଥିବା କଥା ମଧ୍ୟ ମିଛ। ଧୋନିଙ୍କ ପରି ବାଲକୋନି ଥିବା ହୋଟେଲ୍ ରୁମ୍ ମିଳିଲାନି ବୋଲି ରାଗରେ ରୈନା ଆଇପିଏଲ ଛାଡି଼ଥିବା ଏବେ ଜଣାପଡ଼ିଛି। ନିଜେ ସିଏସକେ ମାଲିକ ଏନ୍ ଶ୍ରୀନିବାସନ୍ ଏ ବାବଦରେ ମୁହଁ ଖୋଲିଛନ୍ତି।

ପୂର୍ବତନ ବିସିସିଆଇ ସଭାପତି ତଥା ଚେନ୍ନାଇ ସୁପର୍ କିଙ୍ଗ୍ସ ମାଲିକ ଏନ୍ ଶ୍ରୀନିବାସନ ଆଉଟଲୁକକୁ ନିଜର ବିବୃତି ପ୍ରଦାନ କରି ସୁରେଶ ରୈନାଙ୍କ ଅଚାନକ ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟୋକ୍ତି ଦେଇଛନ୍ତି। ସେ କହିଛନ୍ତି, କ୍ରିକେଟର ମାନେ ସାଧାରଣତଃ ବେଶ ଗର୍ବୀ। ସେମାନେ ପୂରୁଣା କାଳର ଫିଲ୍ମ କଳକାରଙ୍କ ପରି ଆଚରଣ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ସଦସ୍ୟ ମାନେ ଗୋଟିଏ ପରିବାର ଭଳି ରୁହନ୍ତି। ସମସ୍ତ ବରିଷ୍ଠ ଖେଳାଳି ମାନେ ସ୍ଥିତି ସହ ତାଳଦେଇ ଚଳନ୍ତି। ମୋ ମତରେ ଯଦି ଆପଣ ଖୁସି ନାହାନ୍ତି, ତାହେଲେ ଫେରିଯିବା ଭଲ। ମୁଁ କେବେ ହେଲେ କାହାକୁ କୌଣସି କାମ ପାଇଁ ବାଧ୍ୟ କରେନାହିଁ।

ଛୋଟ କଥାକୁ ଧରି ରୈନା ଭାରତ ଫେରିଆସିବାକୁ ନେଇ ବେଶ ରାଗିଛନ୍ତି ଶ୍ରୀନିବାସନ୍। ସେ କହିଛନ୍ତି ବେଳେ ବେଳେ ସଫଳତା ମୁଣ୍ଡରେ ଚଢ଼ିଯାଏ। ମୁଁ ଏ ସମ୍ପର୍କରେ ଧୋନିଙ୍କ ସହ କଥା ହୋଇଛି। ଏନେଇ ଚିନ୍ତା ନକରିବାକୁ ସେ ମୋତେ କହିଛନ୍ତି। ରୈନାଙ୍କୁ ୟୁଏଇ ପ୍ରତ୍ତ୍ୟାବର୍ତ୍ତନ କରି ମ୍ୟାଚ୍ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥସହ ମ୍ୟାଚ୍ ନଖେଳିଲେ ଦରମା ବାବଦକୁ ତାଙ୍କୁ ମିଳିବାକୁ ଥିବା ୧୧ କୋଟି ଟଙ୍କା ଦିଆଯିବ ନାହିଁ ବୋଲି ରୋକଠୋକ କହିଛନ୍ତି ଶ୍ରୀନିବାସନ୍।

CSK's Suresh Raina to miss IPL 2020, returns to India - Cricket News -  Sportstar

ସୂଚନାଯୋଗ୍ୟ, ୩୩ ବର୍ଷୀୟ ରୈନା ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଭାରତୀୟ ଟିମରେ ବର୍ତ୍ତମାନ ଖେଳୁନଥିବାରୁ ତାଙ୍କୁ ଏହି ଘଟଣା ପରେ ପୁନଶ୍ଚ ସିଏସଏକେ ଜର୍ସିରେ ଦେଖିବାକୁ ମିଳିନପାରେ ବୋଲି ଅନେକେ କହିଛନ୍ତି। ତେବେ ୨୦୨୧ ଅକ୍ସନରେ ରୈନା ଅନ୍ୟ କୌଣସି ଦଳପାଇଁ ଖେଳିପାରନ୍ତି। ମିଷ୍ଟର ଆଇପିଏଲ୍ ଭାବେ ଜଣା ରୈନା କିନ୍ତୁ ଏଯାଏଁ ଘଟଣାବଳୀ ଉପରେ ନିଜସ୍ୱ କୌଣସି ମତ ରଖିନାହାନ୍ତି।