ଆସନ୍ତା ରବିବାର ପୁଣି ଭାରତ-ପାକ ମୁହାଁମୁହିଁ!

ଏମିତି ହେଲେ ନେଟ ରନ ରେଟ ଆଧାରରେ ଦୁଇଟି ଦଳ ସୁପର ୪ରେ ପ୍ରବେଶ କରିବେ……

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ରବିବାର ଦୁବାଇରେ ବହୁପ୍ରତୀକ୍ଷିତ ମୁକାବିଲା ଖେଳାଯାଇଛି । ଏମିତି ରୋମାଞ୍ଚ ଆପଣଙ୍କୁ ପୁଣି ଥରେ ଆଗାମୀ ରବିବାର ଅର୍ଥାତ ସେପ୍ଟେମ୍ବର ୪ରେ ଦେଖିବାକୁ ମିଳିପାରେ । ଏସିଆ କ୍ରିକେଟ୍‌ ପରିଷଦ ଅର୍ଥାତ ଏସିସି ଏମିତି କିଛି କ୍ରୀଡାସୂଚୀ ପ୍ରସ୍ତୁତ କରିଛି, ଯେଉଁଥିରୁ ଲାଗୁଛି ଭାରତ-ପାକ ମଧ୍ୟରେ ପୁଣି ଥରେ ମୁକାବିଲା ହେବାକୁ ଯାଉଛି । ଆଉ ଏହି ମ୍ୟାଚ ରବିବାର ଖେଳାଯିବ । ଯଦି ସବୁ କିଛି ଠିକ ରହେ ତେବେ ଫାଇନାଲରେ ବି ଭାରତ-ପାକିସ୍ତାନକୁ ଦେଖିବାକୁ ମିଳିପାରେ । ସୂଚନା ଅନୁଯାୟୀ, ଏସିଆ କପରେ ଛଅଟି ଦଳ ଅଂଶଗ୍ରହଣ କରିଛନ୍ତି । ଦଳଗୁଡିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି ।

ପ୍ରତି ଗ୍ରୁପରୁ ଦୁଇଟି ଲେଖାଏଁ ଦଳ ସୁପର ୪ରେ ପ୍ରବେଶ କରିବେ । ଏହା ପରେ ସୁପର ୪ ପର୍ଯ୍ୟାୟରେ ଗ୍ରୁପ ଏ’ର ଶୀର୍ଷରେ ଥିବା ଦଳ ଏବଂ ଦ୍ୱିତୀୟରେ ଥିବା ଦଳ ମଧ୍ୟରେ ମୁକାବିଲା ଖେଳାଯିବ । ଅର୍ଥାତ ଏ୧ ବନାମ ଏ୨ ମଧ୍ୟରେ ମ୍ୟାଚ ଖେଳାଯିବ । ସେହି ପରି ବି୧ ଏବଂ ବି୨ ମଧ୍ୟରେ ମ୍ୟାଚ ଖେଳାଯିବ । ଏମିତିରେ ଭାରତ ଯଦି ଅଗଷ୍ଟ ୩୧ରେ ହଂକଂକୁ ହରାଇ ଦିଏ ତେବେ ଦଳ ଏ-ଗ୍ରୁପରୁ ଶୀର୍ଷରେ ରହି ସୁପର ୪ରେ ପ୍ରବେଶ କରିବ । ପୁଣି ଆସନ୍ତା ୨ରେ ହଂକଂ-ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯିବ । ଏହି ମ୍ୟାଚ ପାକିସ୍ତାନ ଜିତିଗଲେ ଏ୨ ଦଳ ଭାବେ ସୁପର ୪ରେ ପହଞ୍ଚିବ ।

ଏହି ହିସାବରେ ଆସନ୍ତା ୪ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯିବ । ଯଦି ଦୁର୍ଭାଗ୍ୟବଶତଃ ହଂକଂ ଭାରତକୁ ହରାଇ ଦିଏ ତେବେ ସେପ୍ଟେମ୍ବର ୨ରେ ପାକିସ୍ତାନ ହଂକଂକୁ ହରାଇବା ଜରୁରୀ । ଏମିତି ହେଲେ ନେଟ ରନ ରେଟ ଆଧାରରେ ଦୁଇଟି ଦଳ ସୁପର ୪ରେ ପ୍ରବେଶ କରିବେ । ତେବେ ହଂକଂ ଭାରତ ଏବଂ ପାକିସ୍ତାନ ପରି ଶକ୍ତିଶାଳୀ ଦଳକୁ ହରାଇବା ବହୁତ ମୁସ୍କିଲ ।