ନୂଆଦିଲ୍ଲୀ: ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ସୁରେଶ ରୈନା। ଅଗଷ୍ଟ ୧୫ରେ ଧୋନିଙ୍କ ସହ ସେ ମଧ୍ୟ ନିଜର ନିଷ୍ପତ୍ତି ଶୁଣାଇଥିଲେ। ତାଙ୍କର ଖେଳୁଆଡ଼ ମନୋଭାବ, ବ୍ୟକ୍ତିତ୍ବ ଏବଂ ନିଆରା ଦକ୍ଷତାକୁ ଏକ ଚିଠି ଲେଖି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମୋଦି ଲେଖିଛନ୍ତି, ଅଗଷ୍ଟ ୧୫ ଦିନ ତୁମେ ଯାହା ବିଚାର କଲ ନିହାତି ଭାବେ ଏହା ତୁମ ଜୀବନର ଏକ ବଡ଼ ନିଷ୍ପତ୍ତି। ହେଲେ ମୁଁ ତୁମପାଇଁ ଅବସର ଶବ୍ଦର ବ୍ୟବହାର କରିବାକୁ ଚାହୁଁନି। କାରଣ ତୁମେ ଏବେ ବି ଯୁବ ଏବଂ ତୁମ ଭିତରେ ଜୋସ ଭରି ରହିଛି। କ୍ରିକେଟ ଫିଲ୍ଡରେ ଇନିଂସ୍ ସାରି ତୁବେ ଜୀବନର ନୂଆ ଇନିଂସ୍ ପାଇଁ ଚାରା ରୋପଣ କଲ।
ମୁରାଦନଗରରୁ ଆସି ଲକ୍ଷ୍ନୋରେ ଖେଳିବା ଏବଂ ଏହାପରେ ଭାରତୀୟ ଦଳ ପାଇଁ ସମସ୍ତ ତିନୋଟି ଫର୍ମାଟରେ ଖେଳିବା ବେଶ ଗୌରବର କଥା ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଲେଖିଛନ୍ତି। ପରପୀଢ଼ି ତୁମକୁ ଜଣେ ଭଲ ବ୍ୟାଟ୍ସମ୍ୟାନ ଭାବେ ନିଶ୍ଚୟ ମନେ ରଖିବେ। ଏହାସହ ଜଣେ କାମିକା ବୋଲର୍ ଯାହାଙ୍କୁ ଦରକାର ବେଳେ ଅଧିନାୟକ ବ୍ୟବହାର କରିପାରୁଥିଲେ ଏ କଥା ମଧ୍ୟ ମନେ ପକାଇବେ। ତୁମର ଫିଲ୍ଡିଂ ଚମତ୍କାର ଥିଲା। ଏପରିକି ଏବେକାର ସମୟର କିଛି ସର୍ବଶ୍ରେଷ୍ଠ କ୍ୟାଚ୍ ତାଲିକାରେ ତୁମ ନାଁ ଆସିବ।
ଟି-ଟ୍ୱେଣ୍ଟି କ୍ରିକେଟ ସହ ୨୦୧୧ ବିଶ୍ବକପରେ ରାଇନାଙ୍କ ଅବଦାନକୁ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବ୍ୟକ୍ତିଗତ ଅନୁଭବକୁ ମଧ୍ୟ ଏଥିରେ ସ୍ଥାନ ଦେଇଛନ୍ତି। ଫିଲ୍ଡ ଭିତରେ ଖେଳୁଆଡ଼ ମନୋଭାବକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ କରି ରୈନା ବହୁ ଯୁବପିଢ଼ିଙ୍କୁ ପ୍ରେରିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ମହିଳା ସଶକ୍ତିକରଣ, ସ୍ବଚ୍ଛ ଭାରତ ଅଭିଯାନରେ ଯୋଗଦାନ ପାଇଁ ମଧ୍ୟ ସେ ରୈନାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ତାଙ୍କର ସୁଖ ଜୀବନର କାମନା କରିଛନ୍ତି।