ରୈନାଙ୍କ ପୀଉସାଙ୍କୁ ମାରିଛି ଶାହରୁଖ ଖାନ୍!

ଚଣ୍ଡୀଗଡ଼: ପଞ୍ଜାବ ପଠାନକୋଟରେ କ୍ରିକେଟର ସୁରେଶ ରୈନାଙ୍କ ପୀଉସାଙ୍କୁ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି। ଟଙ୍କା ଓ ସୁନା ଗହଣା ଲୁଟ୍ କରିବା ଉଦ୍ଦେଶ୍ୟରେ ଆସି ଅପରାଧୀ ତାଙ୍କ ପୀଉସା, ପୀଉସୀ ଓ ଭାଇଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ହତ୍ୟା ଘଟଣାରେ ସାମିଲ୍ ଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ୍। ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ରହିଛି ଲୁଟେରା ଶାହରୁଖ ଖାନ୍।

ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ସାୱନ ଓ ମୁହବତ୍। ଫେରାର ଥିବା ୧୧ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ପଞ୍ଜାବ ଡିଜିପି ଦିନକର ଗୁପ୍ତା ଜଣାଇଛନ୍ତି। ୩ ଜଣଙ୍କୁ ଗିରଫ ପରେ ହତ୍ୟା ମାମଲାର ସମାଧାନ ହୋଇଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଜଣାଇଛନ୍ତି। କୌଣସି ପୂର୍ବ ଶତ୍ରୁତା ନୁହେଁ ବରଂ ଲୁଟିବାକୁ ଆସି ଅପରାଧି ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ସ୍ପଷ୍ଟ ହୋଇଛି।

Double whammy for CSK: Day after COVID-19 strike, Suresh Raina backs out of  IPL 2020

ସୂଚନାଯୋଗ୍ୟ, ଅଗଷ୍ଟ ୧୯ ତାରିଖ ରାତିରେ ପଠାନକୋଟ ସ୍ଥିତ ସୁରେଶ ରୈନାଙ୍କ ପୀଉସା ଅଶୋକ କୁମାରଙ୍କ ଘରେ ପସିଥିଲେ ଲୁଟେରା। ଏହି ସମୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ସେମାନେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଅଶୋକ କୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ କୈଶଲ କୁମାରଙ୍କର କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲରେ ପରଦିନ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ରୈନାଙ୍କ ପୀଉସୀ ଆଶା ରାଣିଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସାଂଘାତିକ ରହିଛି।

ଅନ୍ୟପଟେ ଆଜି ସୁରେଶ ରୈନା ମୃତ ପୀଉସାଙ୍କ ପଠାନକୋଟ ସ୍ଥିତ ଘରେ ପହଞ୍ଚିଛନ୍ତି। ସେ ପଞ୍ଜାବ ପୋଲିସଙ୍କର କାର୍ଯ୍ୟକୁ ଏହି ଅବସରରେ ପ୍ରଶଂସା କରିଛନ୍ତି ଏବଂ ସାହାଯ୍ୟ କରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଇପିଏଲ ଖେଳିବା ଲାଗି ଟିମ୍ ସହ ୟୁଏଇ ଯାଇଥିବା ରୈନା ହଠାତ୍ ଭାରତ ଫେରିଆସିଥିଲେ। ସେ ବ୍ୟକ୍ତିଗତ କାରଣ ଲାଗି ଚଳିତ ଆଇପିଏଲର କୌଣସି ସମସ୍ତ ମ୍ୟାଚ୍ ଖେଳିବେନି ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିବା। ଯାହାପରେ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ପୀଉସାଙ୍କ ପରିବାର ସହ ଘଟିଥିବା ଜଘନ୍ୟ କାଣ୍ଡ ସମ୍ପର୍କରେ ରୈନା ସୋସିଆଲ୍ ମିଡ଼ିଆ ଜରିଆରେ ଅବଗତ କରାଇଥିଲେ।