ରୋଜର ବିନ୍ନି ବିସିସିଆଇର ୩୬ତମ ଅଧ୍ୟକ୍ଷ
ବିସିସିଆଇ ଅଧ୍ୟକ୍ଷ ପଦ ଦୌଡ଼ରେ ଏକମାତ୍ର ପ୍ରାର୍ଥୀ ଥିଲେ ୬୭ ବର୍ଷୀୟ ବିନ୍ନି…..
ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ଭାବେ ପୂର୍ବତନ ଅଲ-ରାଉଣ୍ଡର ରୋଜର ବିନ୍ନି ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଦିନ ସକାଳେ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ଏଜିଏମ୍ ବୈଠକଟି ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମଲ ଓ ରୋଜର ବିନ୍ନି ଉପସ୍ଥିତ ଥିଲେ ।
ବିସିସିଆଇ ଅଧ୍ୟକ୍ଷ ପଦ ଦୌଡ଼ରେ ଏକମାତ୍ର ପ୍ରାର୍ଥୀ ଥିଲେ ୬୭ ବର୍ଷୀୟ ବିନ୍ନି । ତେଣୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିନ୍ନି ନିର୍ବାଚିତ ହୋଇଛନ୍ତି । ସେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ଥିଲେ । ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ପଦବୀ ଛାଡ଼ିବାକୁ ପଡ଼ିବ ।
କର୍ଣ୍ଣାଟକର ବେଙ୍ଗାଲୁରୁରେ ଜନ୍ମିତ ରୋଜର ବିନ୍ନି ଭାରତୀୟ କ୍ରିକେଟ୍ ଟିମର ପ୍ରଥମ ଇଂରାଜୀ ବଂଶଜ ଭାରତୀୟ । ୧୯୭୭ରେ କର୍ଣ୍ଣାଟକ ଟିମ ପକ୍ଷରୁ କେରଳ ବିପକ୍ଷରେ ଚମକଦାର ୨୧୧ ରନ୍ କରିଥିଲେ । ୧୯୭୯ରେ ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରୁ ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ ଖେଳାଳି ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ସେ ୨୭ଟି ଟେଷ୍ଟ ଓ ୭୨ଟି ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି । ୧୯୮୭ ଅକ୍ଟୋବର ୯ ତାରିଖରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ମ୍ୟାଚ୍ ଖେଳିଥିଲେ ।
କ୍ୟାରିୟରର ତୃତୀୟ ଟେଷ୍ଟଟି ମୁମ୍ବାଇରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ଯାଇ ରୋଜର ବିନ୍ନି ପ୍ରଥମ ପାଳିରେ ପାକିସ୍ତାନର ମାଜିଦ ଖାନ୍, ଜାହିର ଆବ୍ୱାସ୍ ଓ ଜାଭେଦ୍ ମିଅାଁଦାଦଙ୍କ ୱିକେଟ୍ ଦଖଲ କରିଥିଲେ । ତାଙ୍କର ଚମକ୍ରାର ବୋଲିଂ ବଳରେ ଟିମ୍ ଇଣ୍ଡିଆ ୧୩୧ ରନ୍ ବ୍ୟବଧାନରେ ପାକିସ୍ତାନକୁ ପରାଜିତ କରିଥିଲା । ୧୯୮୩ ବିଶ୍ୱକପରେ ରୋଜର ବିନ୍ନି ସର୍ବାଧିକ ୧୮ଟି ୱିକେଟ୍ ହାସଲ କରିଥିଲେ ।
୨୦୦୦ରେ ବିନ୍ନି ୧୯ ବର୍ଷରୁ କମ୍ ବୟସର ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱରେ ଥିଲେ । ତାଙ୍କର ଦକ୍ଷ ତାଲିମ ବଳରେ ଜୁନିୟର ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା । ୨୦୦୭ରେ ସେ ପଶ୍ଚିମବଙ୍ଗ କ୍ରିକେଟ୍ ଟିମର କୋଚ୍ ଥିଲେ । କର୍ଣ୍ଣାଟକ କ୍ରିକେଟ୍ ମହାସଂଘର ପରିଚାଳନା ଟିମର ସଭ୍ୟ ଥିଲାବେଳେ ୨୦୧୨ରେ ସେ ଟିମ ଇଣ୍ଡିଆ ଚୟନ କମିଟିରେ ଯୋଗଦେଲେ । ତାଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ମଧ୍ୟ ଜଣେ ଉଦୀୟମାନ ଅଲ-ରାଉଣ୍ଡର । ସେ ଉଭୟ ଆଇପିଏଲ ଓ ଟିମ ଇଣ୍ଡିଆ ପାଇଁ ଖେଳୁଛନ୍ତି ।