ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଦିନିକିଆ ମାନ୍ୟତା ଜାରି କରିଛି । ଆଇସିସି ପକ୍ଷରୁ ଜାରି ହୋଇଥିବା ଦିନିକିଆ ବ୍ୟାଟ୍ସମ୍ୟାନ ଟପ୍-୧୦ ତାଲିକାରେ ଭାରତୀୟ ଦଳର ନୂଆ ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି । ଉଭୟଙ୍କୁ ଛାଡିଦେଲେ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଟପ-୧୦ରେ ସ୍ଥାନ ପାଇନାହାନ୍ତି । ବୁଧବାର ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଜାରି କରାଯାଇଛି । ଏଥିରେ ରୋହିତ ଶର୍ମାଙ୍କ ଦିନିକିଆ ରେଟିଂ ପଏଣ୍ଟ ୭୯୧ ମାନ୍ୟତାରେ ଅବନ୍ନତି ଘଟିବା ସହ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ରହିଛନ୍ତି ।
ସେହିପରି ବିରାଟ କୋହଲି ୮୧୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ବିରାଟ-ରୋହିତଙ୍କୁ ଛାଡି ଦେଲେ ଅନ୍ୟକୌଣସି ଭାରତୀୟ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନର ଟପ୍-୧୦ ତାଲିକାରେ ନାହାନ୍ତି । ଅନ୍ୟପକ୍ଷରେ ପାକିସ୍ତାନର ଅଧିନାୟକ ବାବର ଆଜମ ୮୭୩ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।
ସେହିପରି କ୍ୱିଣ୍ଟନ ଡିକକ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଞ୍ଚିଛନ୍ତି । ତେବେ ବୋଲିଂ ତାଲିକାରେ ଯଶପ୍ରୀତ ବୁମରା ଏକ ମାତ୍ର ଭାରତୀୟ ବୋଲର ଭାବେ ଟପ-୧୦ରେ ସ୍ଥାନ ପାଇଛନ୍ତି । ବୁମରା ୬୭୯ ରେଟିଂ ସହ ଷଷ୍ଠ ସ୍ଥାନରେ ରହିବା ସହ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ୭୩୭ ରେଟିଂ ସହ ଶୀର୍ଷରେ ଅଛନ୍ତି ।