ସାମସନଙ୍କ ମାଡ଼ରେ ଚେନ୍ନାଇ ମାଟି କାମୁଡ଼ିଲା

ଦୁବାଇ: ଆଜି ରାଜସ୍ଥାନ ରୟାଲସ ଓ ଚେନ୍ନାଇ ସୁପର କିଂଗ୍ସ ମଧ୍ୟରେ ଖେଳାଯାଇଥିଲା ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚ। ସଞ୍ଜୁ ସାମସନଙ୍କ ଧୂଆଁଦାର ୭୪ ରନ ସାହାଯ୍ୟରେ ଚେନ୍ନାଇକୁ ୧୬ ରନରେ ହରାଇଛି ରାଜସ୍ଥାନ।

ସାରଜାହ ଷ୍ଟାଡିଅମ ଠାରେ ଆଜିର ମ୍ୟାଚ ଖେଳାଯାଇଥିବା ବେଳେ ଟସ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ସିଏସକେ ଅଧିନାୟକ ଧୋନି। ଚଳିତ ସିଜିନର ପ୍ରଥମ ମ୍ୟାଚ ଖେଳୁଥିବା ରାଜସ୍ଥାନ ୨୧୬ ରନର ବଡ଼ ଟାର୍ଗେଟ ଚେନ୍ନାଇ ପାଇଁ ଛିଡ଼ା କରିଥିଲା। ମାତ୍ର ୩୨ ବଲରେ ୭୪ ରନର ବିସ୍ଫୋରକ ପାଳି ଖେଳିଥିଲେ ସଞ୍ଜୁ ସାମସନ। ଯେଉଁଥିରେ ରହିଥିଲା ୯ଟି ଛକା।

ଅଧିନାୟକ ଷ୍ଟିଭ ସ୍ମିଥ ମଧ୍ୟ ଆରମ୍ଭରୁ ଆସି ୪୭ ବଲରେ ୬୯ ରନର ମଜବୁତ ପାଳି ଖେଳିଥିଲେ। ଶେଷ ଆଡକୁ ୮ ବଲରେ ୨୭ ରନର ଧମାକାଦାର ପାଳି ଖେଳି ୨୧୬ ପର୍ଯ୍ୟନ୍ତ ଦଳୀୟ ସ୍କୋର ପହଞ୍ଚାଇଥିଲେ ଜୋଫ୍ରା ଆର୍ଚ୍ଚର। ଚେନ୍ନାଇ ପକ୍ଷରୁ ସାମ କରନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଗୋଟିଏ ଓଭରରେ ପିୟୁଷ ଚାୱଲା ୨୮ ଓ ଲୁଙ୍ଗି ଏନଗିଡ଼ି ୩୦ ରନ ଦେବା ଦଲପାଇଁ ଖରାପ ସ୍ଥିତି ଆଣିଥିଲା।

ଜବାବରେ ଚେନ୍ନାଇ କେବଳ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଫାଫ ଡୁପ୍ଲେସି ୭୨ ରନର ଧୂଆଁଦାର ପାଳି ଖେଳିଥିଲେ ହେଁ ତାଙ୍କର ସାଥ ଅନ୍ୟ କେହି ଦେଇପାରିନଥିଲେ। ୱାଟସନ ୩୩ ଓ ଧୋନି ୨୯* ରନ ସଂଗ୍ରହ କରିଥିଲେ। ମ୍ୟାଚ ହାରିଥିଲେ ହେଁ ଧୋନି ଆଜି ହାଟ୍ରିକ ଛକା ମାରି ନିଜ ପ୍ରସଂଶକଙ୍କୁ ଖୁସି କରାଇଛନ୍ତି। ୨୦୧୦ ପରେ ପ୍ରଥମ ଥର ପାଇଁ ରାଜସ୍ଥାନ ବ୍ୟାଟିଂରେ ଚେନ୍ନାଇକୁ ହରାଇଲା। ସଞ୍ଜୁ ସାମସନଙ୍କୁ ଜବରଦସ୍ତ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ ଦ ମ୍ୟାଚ ଆୱାର୍ଡ଼ ମିଳିଛି।