ରଗ୍ବୀ ଚାମ୍ପିଅନସିପ୍ ଉଦଯାପିତ
୧୪ ବର୍ଷରୁ କମ୍ ପ୍ରତିଯୋଗିତାରେ ଓଡ଼ିଶା ଚାମ୍ପିଅନ୍
୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ….
ଭୁବନେଶ୍ୱର: ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫–୨୬ର ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ବିଜୟୀ ହୋଇଛି ଏବଂ ଏଥିସହ ୫ ଦିନ ଧରି ଚାଲିଥିବା ଜାତୀୟ ପ୍ରତିଯୋଗିତା ଉଦଯାପିତ ହୋଇଛି। ବିହାର ରନର୍ସ ଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନ ଅଧିକାର କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଉଦଯାପନୀ ସମାରୋହରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ବିଜୟୀ ଦଳକୁ ପୁରସ୍କୃତ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
ଯୁବ ଖେଳାଳିମାନଙ୍କ ଶୃଙ୍ଖଳା ଓ ଉତ୍ସାହକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଏପରି ମଂଚ କେବଳ କ୍ରୀଡା ପ୍ରତିଭାକୁ ଚିହ୍ନଟ କରିବାରେ ସୁଯୋଗ ଦେବ ନାହିଁ ବରଂ ଶିଶୁମାନଙ୍କ ମଧ୍ୟରେ ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସହନଶୀଳତାକୁ ମଜଭୁତ କରିବ। ଏହା ସହ ଏଭଳି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆୟୋଜନକୁ ପ୍ରଶଂସା କରିଥିଲେ। ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଳା ନାୟକ ଖେଳାଳିମାନଙ୍କର ସମର୍ପଣ ଓ କ୍ରୀଡା ମନୋଭାବକୁ ପ୍ରଶଂସା କରିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟସ୍ତରରେ କ୍ରୀଡା ସଂସ୍କୃତିକୁ ସୁଦୃଢ଼ କରିବାରେ ବିଭାଗର ପ୍ରୟାସକୁ ଉଲ୍ଲେଖ କରିଥିଲେ। ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ୍ ସଭାପତି ପ୍ରିୟଦର୍ଶୀ ମିଶ୍ର ବିଦ୍ୟାଳୟ କ୍ରୀଡାର ବ୍ୟକ୍ତିତ୍ୱ ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଚାମ୍ପିଅନସିପ୍ ସଫଳ ଆୟୋଜନ ପାଇଁ ସମସ୍ତ ଅଂଶୀଦାରଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ଟୁର୍ଣ୍ଣାମେଂଟ୍ ପର୍ଯ୍ୟବେକ୍ଷକ ଅରବିନ୍ଦ ଯାଦବ ଓଡ଼ିଶାର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ। ପରିଶେଷରେ ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା ଧନ୍ୟବାଦ ଜ୍ଞାପନ କରିଥିଲେ।